Categories: ଜାତୀୟ

୯ ହଜାର କୋଟିର ବ୍ୟାଙ୍କ ଠକେଇ

କୋଲକାତା,୧୬।୫: ବାଂଲାଦେଶର ଏକ ବ୍ୟାଙ୍କରୁ ୯ ହଜାର କୋଟି ଠକେଇ ଅଭିଯୋଗରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ରବିବାର ୬ ଜଣଙ୍କୁ ଗିରଫ କରିଛି। ମାଷ୍ଟରମାଇଣ୍ଡ୍‌ ପ୍ରଶାନ୍ତ ହଲଦାର ତାଙ୍କ ଦେଶର ବ୍ୟାଙ୍କରୁ ଋଣ ନେଇ ଜାଲ୍‌ ପ୍ରମାଣପତ୍ର ବଳରେ ପଶ୍ଚିମବଙ୍ଗରେ ସମ୍ପତ୍ତି କିଣିଛନ୍ତି। ସେ ବାଂଲାଦେଶ ନାଗରିକ ହୋଇଥିବାବେଳେ ନକଲି ରାଶନ କାର୍ଡ, ପ୍ୟାନ୍‌ କାର୍ଡ ସାଙ୍ଗକୁ ଆଧାର କାର୍ଡ ଆଦି ଦେଖାଇ ଛଦ୍ମ ନାମ ଶିବଶଙ୍କର ହଲଦାର ଭାବେ ଭାରତରେ ରହୁଥିଲେ।

ପ୍ରଶାନ୍ତ ଓ ତାଙ୍କ ୫ ସହଯୋଗୀଙ୍କୁ ମନି ଲଣ୍ଡରିଂ ଆକ୍ଟ ଅଧୀନରେ ଇଡି ଗିରଫ କରିଛି। ବ୍ୟାଙ୍କରୁ ଆଣିଥିବା ଅର୍ଥରେ ପ୍ରଶାନ୍ତ ପଶ୍ଚିମବଙ୍ଗର ଅନେକ ସ୍ଥାନରେ ସମ୍ପତ୍ତି କିଣିବା ସହ କିଛି ଜାଲ୍‌ କମ୍ପାନୀ ସ୍ଥାପନ କରିଥିବା ଜଣାପଡ଼ିଛିି। ମାମଲାର ତଦନ୍ତ ପାଇଁ ଇଡି ପଶ୍ଚିମବଙ୍ଗର ୧୧ଟି ସ୍ଥାନରେ ଚଢ଼ାଉ କରିଥିଲା। ତାଙ୍କ ନିକଟରୁ ବାଂଲାଦେଶ, ଭାରତ ଓ ଗ୍ରେନେଡାର ପାସ୍‌ପୋର୍ଟ ଇଡିର ହସ୍ତଗତ ହୋଇଛି। ବାଂଲାଦେଶ ସରକାରଙ୍କ ଅନୁରୋଧ କ୍ରମେ ଇଣ୍ଟରପୋଲ ପ୍ରଶାନ୍ତଙ୍କ ବିରୋଧରେ ରେଡ୍‌ କର୍ନର ନୋଟିସ ଜାରି କରିଛି।

 

Share