ବାଙ୍କୀ,୨୭।୧୧(ଶୁଭେନ୍ଦୁ ମହାପାତ୍ର):ଶିକ୍ଷାର ବିକାଶ ପାଇଁ ସରକାର ଅନେକ ଯୋଜନା କରୁଥିବାବେଳେ ଅନେକ ସମୟରେ ବିଭାଗୀୟ ଅଧିକାରୀଙ୍କ ଅବହେଳା ଯୋଗୁ ଏହା ଫଳପ୍ରଦ ହେଉନାହିଁ। ବାଙ୍କୀ ବ୍ଲକ ଶିକ୍ଷା ବିଭାଗ ଅନ୍ତର୍ଗତ ରତାଗଡ଼ ଗୋବିନ୍ଦପୁର ପଞ୍ଚାୟତ ଅଧୀନ ସହଙ୍ଗା ଗୋପାଳପୁର ଗ୍ରାମରେ ଅବସ୍ଥାପିତ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ବିଭିନ୍ନ ସମସ୍ୟା ଦେଇ ଗତି କରୁଥିବାବେଳେ ବ୍ଲକ ଏବଂ ଜିଲା ଶିକ୍ଷା ବିଭାଗ ଅଧିକାରୀଙ୍କ ଦୃଷ୍ଟି ପଡୁନାହିଁ। ଏହି ବିଦ୍ୟାଳୟର ଭିତ୍ତିଭୂମି ଦୁର୍ବଳ ଥିବାରୁ ଶିକ୍ଷାଦାନ ବିଶେଷ ଭାବେ ପ୍ରଭାବିତ ହେଉଛି। ଏନେଇ ବେସରକାରୀ ବିଦ୍ୟାଳୟରେ ପାଠ ପଢ଼ାଇବାକୁ ଅଭିଭାବକମାନେ ବାଧ୍ୟ ହେଉଛନ୍ତି। ୧୯୩୬ରୁ ଏହି ବିଦ୍ୟାଳୟଟି ସରକାରୀ ମାନ୍ୟତା ପାଇଛି। ଏହାସତ୍ତ୍ୱେ ବିଦ୍ୟାଳୟଟି ଶିକ୍ଷା ବିଭାଗର ଦୃଷ୍ଟି ଆଢୁଆଳରେ ରହିଛି ବୋଲି ଅଭିଭାବକ ଓ ଗ୍ରାମବାସୀ କହିଛନ୍ତି।
ପ୍ରଥମରୁ ସପ୍ତମ ଶ୍ରେଣୀ ପର୍ଯ୍ୟନ୍ତ ଶିକ୍ଷାଦାନର ବ୍ୟବସ୍ଥା ରହିଛି। ପୂର୍ବରୁ ଏଠାରେ ୧୫୦ରୁ ଊର୍ଦ୍ଧ୍ୱ ଛାତ୍ରୀଛାତ୍ର ପଢ଼ୁଥିବାବେଳେ ବିଭିନ୍ନ କାରଣରୁ ଏବେ ମାତ୍ର ୩୬ଜଣ ପଢ଼ୁଛନ୍ତି। ବିଦ୍ୟାଳୟରେ ୭ ଶ୍ରେଣୀଗୃହ ଆବଶ୍ୟକ ହେଉଥିବାବେଳେ କେବଳ ୪ଟି ରହିଛି। ସେହିପରି ଛାତ୍ରୀଛାତ୍ରଙ୍କ ପାଇଁ ଉଦ୍ଦିଷ୍ଟ ଲାଇବ୍ରେରି ଓ କମ୍ପ୍ୟୁଟର ଶ୍ରେଣୀ ନ ଥିବାରୁ ସେମାନେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ଅପରପକ୍ଷେ ସରକାରୀ ଅନୁଦାନରେ ନିର୍ମାଣାଧୀନ ଶ୍ରେଣୀଗୃହ ମଧ୍ୟ ଅଧାପନ୍ତରିଆ ଭାବେ ପଡ଼ିରହିଛି। ସରକାରୀ ମାନ୍ୟତା ମିଳିଥିବା ଏହି ବିଦ୍ୟାଳୟକୁ ଇତିମଧ୍ୟରେ ୯୦ ବର୍ଷ ବିତିଯାଇଥିବାବେଳେ ଉକ୍ତ ବିଦ୍ୟାଳୟରେ ଏପର୍ଯ୍ୟନ୍ତ ସ୍ଥାୟୀ ସୁରକ୍ଷିତ ରୋଷେଇ ଘରଟିଏ ନାହିଁ। ପୂର୍ବରୁ ଖୋଲାରେ ମଧ୍ୟାହ୍ନଭୋଜନ ପ୍ରସ୍ତୁତ ହେଉଥିବାବେଳେ ଏବେ ଏକ ଅସୁରକ୍ଷିତ ଓ ବିପଦସଙ୍କୁଳ ଭଙ୍ଗା ଦଦରା ଗୃହରେ ଏହି କାର୍ଯ୍ୟ ଚାଲିଛି। ଏପରି କି ବାରଣ୍ଡାରେ ବସି ପିଲାମାନେ ମଧ୍ୟାହ୍ନ ଭୋଜନ ଖାଇବାକୁ ବାଧ୍ୟ ହେଉଛନ୍ତି ବୋଲି ମହିଳା ରୋଷେୟା ପ୍ରକାଶ କରିଛନ୍ତି।
ପାନୀୟ ଜଳର ବ୍ୟବସ୍ଥା ଥିଲେ ମଧ୍ୟ ପାଣି ନିଷ୍କାସନ ପାଇଁ କୌଣସି ବ୍ୟବସ୍ଥା ନ ଥିବାରୁ ପାଣିଟାଙ୍କି ପାଖରେ ପାଣି ଜମି ରହୁଛି। ସ୍କୁଲ୍ର ଗେଟ୍ ଏବଂ ପାଚେରି ନ ଥିବାରୁ ଅନେକ ସମୟରେ ବୁଲା କୁକୁର ଅବାଧରେ ପ୍ରବେଶ କରୁଛନ୍ତି। ବହୁ ସମୟରେ ସେମାନଙ୍କ ଆକ୍ରମଣ ଛାତ୍ରୀଛାତ୍ରଙ୍କ ପାଇଁ ଚିନ୍ତାର କାରଣ ପାଲଟୁଛି। ଖାଲି ସେତିକି ନୁହେଁ, ମହାନଦୀ ବନ୍ଧ ସନ୍ନିକଟରେ ଥିବା ସରୀସୃପମାନେ ମଧ୍ୟ ଅବାଧରେ ପ୍ରବେଶ କରୁଛନ୍ତି। ଫଳରେ ଛାତ୍ରୀଛାତ୍ରଙ୍କ ଜୀବନ ପ୍ରତି ବିପଦ ଆଶଙ୍କା ରହୁଛି। ବିଦ୍ୟାଳୟ ସମ୍ମୁଖରେ ଥିବା ମୁଖ୍ୟ ରାସ୍ତାର ଅପରପାର୍ଶ୍ୱରେ ଅସୁରକ୍ଷିତ ଅବସ୍ଥାରେ ଶୌଚାଳୟ ରହିଛି। ଏଥିଯୋଗୁ କୁନି ଛାତ୍ରୀଛାତ୍ରମାନଙ୍କୁ ମୁଖ୍ୟ ରାସ୍ତା ପାର ହେବାକୁ ପଡ଼େ। ଏନେଇ ଯଦି କୌଣସି ଅଘଟଣ ଘଟେ ତେବେ ଶିକ୍ଷା ବିଭାଗ ସମ୍ପୂର୍ଣ୍ଣ ଦାୟୀ ରହିବ ବୋଲି ଅଭିଭାବକମାନେ ଚେତାବନୀ ଦେଇଛନ୍ତି। ସେହିପରି ବିଦ୍ୟାଳୟରେ ଖେଳପଡ଼ିଆ ନ ଥିବାରୁ ଛାତ୍ରୀଛାତ୍ରମାନେ କ୍ରୀଡ଼ାରୁ ବଞ୍ଚତ୍ତ ହେଉଛନ୍ତି। ବିଦ୍ୟାଳୟର ମରାମତି ଓ ଉନ୍ନତୀକରଣ ନିମନ୍ତେ ୨୦୨୩-୨୪ରେ ଆମ ଓଡ଼ିଶା ନବୀନ ଓଡ଼ିଶା ଯୋଜନାରେ ୨.୫ଲକ୍ଷ ଟଙ୍କା ପ୍ରଦାନ କରାଯାଇଥିବା ନେଇ କେବଳ ଫଳକରେ ସୀମିତ ହୋଇରହିଛି। ଉକ୍ତ ଅର୍ଥରେ ଏପର୍ଯ୍ୟନ୍ତ କୌଣସି କାର୍ଯ୍ୟ ହୋଇପାରି ନାହିଁ। ବିଦ୍ୟାଳୟର ଉନ୍ନତୀକରଣ ପାଇଁ ୨୦୨୨ରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ତପନ କୁମାର ବେହେରା ସ୍ଥାନୀୟ ସରପଞ୍ଚ, ବାଙ୍କୀ ବିଡିଓ ଏବଂ ବ୍ଲକ ଶିକ୍ଷା ଅଧିକାରୀଙ୍କୁ ପତ୍ର ଲେଖିଥିଲେ ମଧ୍ୟ କୌଣସି ଫଳପ୍ରଦ ହୋଇ ନ ଥିବା ସେ ପ୍ରକାଶ କରିଛନ୍ତି।
ସମ୍ପର୍କରେ ବିଦ୍ୟାଳୟ ପରିଚାଳନା କମିଟି ସଭାପତି ରୋଜାଲିନ ରାଉତ କହିଛନ୍ତି, ବିଦ୍ୟାଳୟଟି ବହୁ ସମସ୍ୟା ଦେଇ ଗତି କରୁଥିବାବେଳେ ଛାତ୍ରୀଛାତ୍ରମାନଙ୍କ ପାଇଁ ଆବଶ୍ୟକ ମୁତାବକ ଉନ୍ନୟନମୂଳକ କାର୍ଯ୍ୟ ଶିକ୍ଷା ବିଭାଗ ଅବା ବ୍ଲକ ପ୍ରଶାସନ ପକ୍ଷରୁ କରାଯାଉ ନ ଥିବାରୁ ଏଠାରେ ଛାତ୍ରୀଛାତ୍ରଙ୍କ ସଂଖ୍ୟା ଦିନକୁ ଦିନ କମିବାରେ ଲାଗିଛି। ବାଙ୍କୀ ବିଡିଓ ଅଗ୍ନିଜା ଶିବଦତ୍ତାଙ୍କୁ ପଚାରିବାରେ ସେ ପୂର୍ବରୁ ଦିଆଯାଇଥିବା ଚିଠି ସମ୍ପର୍କରେ କିଛି ଜାଣି ନ ଥିବା କହିଛନ୍ତି । ତେବେ ବିଦ୍ୟାଳୟ ପରିଦର୍ଶନ କରିବାପରେ ବ୍ଲକ ମାଧ୍ୟମରେ ଯେଉଁ ସହଯୋଗ ହୋଇପାରିବ ତାହା କରାଯିବ ବୋଲି ସେ ପ୍ରକାଶ କରିଛନ୍ତି। ଏ ସମ୍ପର୍କରେ ବାଙ୍କୀ ବ୍ଲକ ଶିକ୍ଷା ଅଧିକାରୀ ଜ୍ୟୋତି ଷଡ଼ଙ୍ଗୀ ଏବଂ ଜିଲା ଶିକ୍ଷା ଅଧିକାରୀ ନିତ୍ୟାନନ୍ଦ ବାରିକଙ୍କୁ ବାରମ୍ବାର ଯୋଗାଯୋଗ କରାଯାଇଥିଲେ ମଧ୍ୟ ସେମାନେ ମୋବାଇଲ ଫୋନ ନ ଉଠାଇବାରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ।