ପୁଣି ମାତିଲେ କଳା ପଲ୍‌ସର ଲୁଟେରା, ଝାମ୍ପି ନେଲେ ୯୦ ହଜାର

ଟିଟିଲାଗଡ, ୧୩ା୬(ଡି.ଏନ.ଏ.): ବଲାଙ୍ଗୀର ଜିଲା ଟିଟିଲାଗଡ଼ ସହରରେ ଲୁଟେରାଙ୍କ ଆତଙ୍କ ବଢ଼ିବାରେ ଲାଗିଛି। ଲୁଟେରା ଗ୍ୟାଙ୍ଗ ବ୍ୟାଙ୍କରୁ ଟଙ୍କା ଉଠାଇ ଫେରୁଥିବା ଲୋକଙ୍କୁ ଟାର୍ଗେଟ କରୁଛନ୍ତି। ଏହିପରି ଘଟଣା କ୍ରମାଗତ ଭାବେ ବୃଦ୍ଧି ପାଉଥିବା ବେଳେ ସୋମବାର ଘଟଣାର ପୁଣି ପୁନରାବୃତ୍ତି ଘଟିଛି।

ଟିଟିଲାଗଡ଼ ଷ୍ଟେଶନ ରାସ୍ତାରେ ପଥର୍ଲା ଗ୍ରାମର ଅବସରପ୍ରାପ୍ତ ଶିକ୍ଷକ ନେତ୍ରାନନ୍ଦ ବେହେରାଙ୍କଠାରୁ ଦୁର୍ବୃତ୍ତମାନେ ୯୦ ହଜାର ଟଙ୍କା ଝାମ୍ପି ନେଇଛନ୍ତି। ସ୍ଥାନୀୟ ଷ୍ଟେଟ ବ୍ୟାଙ୍କ ମୁଖ୍ୟ ଶାଖାରୁ ଟଙ୍କା ଉଠାଇ ଷ୍ଟେଶନ ରାସ୍ତାରେ ଥିବା ଏକ ହୋଟେଲ ସମ୍ମୁଖରେ ବାଇକରୁ ଓହ୍ଲାଉ ଥିବାବେଳେ କଳା ପଲସରରେ ଆସି ୨ଜଣ ଯୁବକ ନେତ୍ରାନନ୍ଦଙ୍କ ହାତରୁ ଟଙ୍କା ବ୍ୟାଗ ଛଡାଇ ନେଇଥିଲେ। ଚିତ୍କାର ଶୁଣି ସେଠାରେ ଥିବା କେତେକ ଯୁବକ ସେମାନଙ୍କ ପିଛା କରିଥିଲେ ମଧ୍ୟ ଧରି ପାରି ନ ଥିଲେ। ସ୍ଥାନୀୟ ପୋଲିସ ଘଟଣାର ଅନୁସନ୍ଧାନ ଚଳାଇଛି।

କିଛିଦିନ ତଳେ ଟିଟିଲାଗଡ଼ ଡିଏଭି ମହାବିଦ୍ୟାଳୟର ଅବସରପ୍ରାପ୍ତ ଅଧ୍ୟାପକ ଗୋପାଳକୃଷ୍ଣ ଚାନ୍ଦ ସ୍ଥାନୀୟ ଷ୍ଟେଟବ୍ୟାଙ୍କ ମୁଖ୍ୟ ଶାଖାରୁ ଦେଢ଼ ଲକ୍ଷ ଟଙ୍କା ଉଠାଇ ଜ୍ବାଇଁଙ୍କ ସହ ଏକ ଦୁଇଚକିଆ ଯାନରେ ଫେରୁଥିବା ବେଳେ ଠିକାଦାରପଡ଼ା ସ୍ଥିତ ଘର ସମ୍ମୁଖରେ ଦୁଇଜଣ ଦୁର୍ବୃତ୍ତ ଏକ ପଲସରରେ ଆସି ଟଙ୍କା ଭର୍ତ୍ତି ବ୍ୟାଗ ଲୁଟି ନେଇଥିଲେ। ବର୍ତ୍ତମାନ ସୁଦ୍ଧା ପୋଲିସ ଲୁଟେରାଙ୍କୁ ଠାବ କରି ପାରିନାହିଁ ।