ହୋମ୍‌ ଆଇସୋଲେଶନରେ ୭୦% ଆକ୍ରାନ୍ତ

ଭୁବନେଶ୍ୱର, ୧୯। ୯(ବ୍ୟୁରୋ):  ଦେଶ ତୁଳନାରେ ରାଜ୍ୟରେ କରୋନା ସ୍ଥିତି ଭଲ ରହିଛି। ଓଡ଼ିଶାରେ କରୋନା ମୃତ୍ୟୁ ହାର ସାରା ଦେଶରେ କମ୍‌ ରହିଛି। ରାଜ୍ୟରେ ପ୍ରତିଦିନ ୫୦ହଜାରରୁ ଅଧିକ କୋଭିଡ୍‌ ଟେଷ୍ଟ କରାଯାଉଛି। ଆରୋଗ୍ୟ ହାର ୭୮% ଥିବାବେଳେ ମୃତ୍ୟୁ ହାର ୦.୪% ରହିଛି। ଏବେ ମଧ୍ୟ ରାଜ୍ୟର ୭୦% ଆକ୍ରାନ୍ତ ହୋମ୍‌ ଆଇସୋଲେଶନରେ ଅଛନ୍ତି। ହୋମ୍‌ ଆଇସୋଲେଶନରେ ଥିବା ଅଧିକାଂଶ ଆକ୍ରାନ୍ତ ଆରୋଗ୍ୟ ହେଉଛନ୍ତି ବୋଲି ଜାତୀୟ ସ୍ବାସ୍ଥ୍ୟ ମିଶନ ନିର୍ଦ୍ଦେଶିକା ଶାଳିନୀ ପଣ୍ଡିତ ସୂଚନା ଦେଇଛନ୍ତି।
ଶୁକ୍ରବାର ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଆୟୋଜିତ ଖବରଦାତା ସମ୍ମିଳନୀରେ ଏ ସମ୍ପର୍କରେ ସୂଚନା ଦେଇ ସେ କହିଛନ୍ତି, ଅଧିକାଂଶ ଆକ୍ରାନ୍ତ ହୋମ୍‌ ଆଇସୋଲେଶନରେ ରହିବାକୁ ପସନ୍ଦ କରୁଥିବାରୁ ସେମାନେ କିପରି ଉପଯୁକ୍ତ ସୂଚନା ଓ ସେବା ପାଇପାରିବେ ସେ ଦିଗରେ ସରକାର ଏକ ନିଷ୍ପତ୍ତି ନେଇଛନ୍ତି। ହୋମ୍‌ ଆଇସୋଲେଶନର ସୁବିଧା ଓ ଅସୁବିଧା ସମ୍ପର୍କରେ ଏକ ସପ୍ତାହ ଧରି ଖବରଦାତା ସମ୍ମିଳନୀ ଅନୁଷ୍ଠିତ ହେବ। ଆସନ୍ତା ୭ଦିନ ପର୍ଯ୍ୟନ୍ତ ଅପରାହ୍ନ ସାଢ଼େ ୪ଟାରେ ବିଶେଷଜ୍ଞମାନେ ପରାମର୍ଶ ଦେବେ। ଇଚ୍ଛୁକ ବ୍ୟକ୍ତି ଡାକ୍ତରଙ୍କୁ ପ୍ରଶ୍ନ ପଚାରିପାରିବେ। ସେଥିପାଇଁ ରାଜ୍ୟ ସରକାର ଶୁକ୍ରବାର ଏକ ହ୍ବାଟ୍ସଆପ୍‌ ନଂ. ୯୯୩୭୫ ୬୪୦୬୬ ଜାରି କରିଛନ୍ତି। ଦୈନିକ ଅପରାହ୍ନ ୩ଟାରୁ ସାଢ଼େ ୩ଟା ମଧ୍ୟରେ ଲୋକେ ପ୍ରଶ୍ନ କରିପାରିବେ ବୋଲି ଶାଳିନୀ ପଣ୍ଡିତ କହିଛନ୍ତି।
ଶୁକ୍ରବାର ଅନୁଷ୍ଠିତ ଖବରଦାତା ସମ୍ମିଳନୀରେ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ପ୍ରତିଷ୍ଠାନ ବରିଷ୍ଠ ଡା. ଅମରେନ୍ଦ୍ରନାଥ ମହାନ୍ତି ଉପସ୍ଥିତ ରହି କହିଲେ, ସବୁ କୋଭିଡ ରୋଗୀ ହସ୍ପିଟାଲରେ ଭର୍ତ୍ତି ହେବାର ଆବଶ୍ୟକତା ନାହିଁ। ଲକ୍ଷଣ ନ ଥିବା ଏବଂ କମ୍‌ ଲକ୍ଷଣ ଥିବା ରୋଗୀ ଘରେ ରହି ମଧ୍ୟ ଚିକିତ୍ସିତ ହୋଇପାରିବେ। ହୋମ ଆଇସୋଲେଶନରେ ଥିବାବେଳେ ଲକ୍ଷଣ ଦେଖିଲେ ପ୍ରଶାସନକୁ ଜଣାଇବା ଆବଶ୍ୟକ। ସେମାନଙ୍କୁ ଦିଆଯାଉଥିବା ମାଗଣା କିଟ୍‌ରେ ଔଷଧ, ସୂଚନା, ପୁସ୍ତିକା ଓ ଫୋନ ନମ୍ବର ଦିଆଯାଉଛି। ଘରେ ରହିଲେ ରୋଗୀ ପରିବାର ଲୋକଙ୍କଠାରୁ ଭଲ ସେବା ପାଇପାରିବେ। କିନ୍ତୁ ସେମାନେ ଯଦି ହସ୍ପିଟାଲରେ ରହିବ ଅନ୍ୟମାନଙ୍କୁ ଦେଖି ମନୋବଳ ଭାଙ୍ଗିଯିବ। ତେଣୁ ହୋମ ଆଇସୋଲେଶନରେ ରହି କୋଭିଡ୍‌ ବିରୋଧରେ ଲଢ଼େଇ ଜାରି ରଖିପାରିବା। ତେବେ ହୋମ ଆଇସୋଲେଶନରେ ଥିବାବେଳେ ଲକ୍ଷଣ ଦେଖିଲେ ପ୍ରଶାସନକୁ ଜଣାଇବାକୁ ସେ ପରାମର୍ଶ ଦେଇଥିଲେ।
ଡିଏମଇଟି ଡା. ସି.ବି.କେ. ମହାନ୍ତି କହିଲେ, ବର୍ତ୍ତମାନ ସୁଦ୍ଧା କରୋନା ଚିକିତ୍ସାର ମୂଳ ଜିନିଷ ହେଲା ପ୍ରାଥମିକ ଅବସ୍ଥାରେ ଚିହ୍ନଟ ହେବା। ଲକ୍ଷଣ ଦେଖାଗଲେ ଆକ୍ରାନ୍ତଙ୍କୁ ହସ୍ପିଟାଲ ନେଇଯିବା ଏବଂ ସାବଧାନ ହେଲେ ରୋଗରୁ ବର୍ତ୍ତିପାରିବା। କାଶିବା, ଛିଙ୍କିବା, ପଜିଟିଭ ସଂସ୍ପର୍ଶରେ ଆସିଲେ କରୋନା ସଂକ୍ରମିତ ହେବାର ଆଶଙ୍କା ରହିଛି। ୮୦ ପ୍ରତିଶତ ରୋଗୀ ଲକ୍ଷଣହୀନ। ହୋମ ଆଇସୋଲେଶନରେ ଥିବାବେଳେ ଆକ୍ରାନ୍ତ ପ୍ରଚୁର ପାଣି ପିଇବା ପାଇଁ ସେ ପରାମର୍ଶ ଦେଇଛନ୍ତି।