ମୋହନା,୨ା୪(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକ ଅଞ୍ଚଳରୁ ଗୋଟିଏ ଗାଁରୁ ୯୦ଟି ଘରୋଇ ସିଲିଣ୍ଡର ଜବତ ହୋଇଛି। ଇରାନ ଓ ଆମେରିକା ଯୁଦ୍ଧ ଲାଗିବା ପରଠାରୁ ଘରୋଇ ଗ୍ୟାସର ଅଭାବ ଦେଖାଯିବା ସହ ଗ୍ୟାସର କଳାବଜାର ହେବାର ଅଞ୍ଚଳବାସୀ ଅଭିଯୋଗ କରୁଛନ୍ତି। ଗଜପତି ଜିଲାପାଳଙ୍କ ନିର୍ଦ୍ଦେଶକ୍ରମେ ଜିଲା ସ୍କ୍ବାଡ୍ ସହିତ ସହକାରୀ ସିଏସଓ ସୁହାଂସା ଭୋଇ, ପୃଥ୍ବୀରାଜ ପ୍ରଧାନ,ବ୍ଲକ ଯୋଗାଣ ନିରୀକ୍ଷକ ସତ୍ୟନାରାୟଣ ଭୋଇଙ୍କ ମିଳିତଭାବେ ଚ଼ଢ଼ାଉରେ ବିରିକୋଟ ପଞ୍ଚାୟତ ଗ୍ରାମର ହୃଶୀକେଶ ପାଇକଙ୍କ ଘରୁ ୯୦ଟି ଘରୋଇ ସିଲିଣ୍ଡର ଜବତ କରିଥିଲେ। ସେଥି ମଧ୍ୟରୁ ଗ୍ୟାସ୍ ଭର୍ତ୍ତି ହୋଇଥିବା ୩୪ଟି, ଖାଲି ସିଲିଣ୍ଡର ୧୪ଟି, ଇଣ୍ଡେନ ଭର୍ତ୍ତି ଗ୍ୟାସ୍ ୫ଟି ଖାଲି ସିଲିଣ୍ଡର ୨୪ଟି, ଭାରତ ସିଲିଣ୍ଡର ୧୩ଟି ମୋଟ୍ ୯୦ଟି ସିଲିଣ୍ଡର ଜବତ କରିଥିଲେ।
ଅପରପକ୍ଷେ ମୋହନା ସଦର ମହକୁମାରେ ରହିଥିବା ବିଭିନ୍ନ ସ୍ଥାନରେ ଖୁଲମଖୁଲା ଭାବେ ଘରୋଇ ସିଲିଣ୍ଡର ବ୍ୟବହାର କରାଯାଉ ଥିବାବେଳେ ସେଥିପ୍ରତି ପ୍ରସାଶନର ନିଘା ନାହିଁ। ହୋଟେଲ, ଉଠା ଜଳଖିଆ ଦୋକାନଗୁଡ଼ିକୁ କମର୍ସିଆଲ ଗ୍ୟାସ୍ ସିଲିଣ୍ଡର ବ୍ୟବହାର କରିବା ପାଇଁ ସଚେତନ କରାଯାଉନାହିଁ। ଚିର ନିଦ୍ରାରେ ଜିଲାର ଖାଉଟି ବିଭାଗ ଓ ବ୍ଲକ ବିଭାଗ ଶୋଇଥିବା ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ହେଉଛି। କେବେ ଏଥିପ୍ରତି ଉଚ୍ଚ କର୍ତ୍ତୃପକ୍ଷ ଦୃଷ୍ଟି ଦେବେ ବୋଲି ଅଞ୍ଚଳରେ ଚର୍ଚ୍ଚା ହେଉଛି।

