Categories: ଜାତୀୟ

ନିର୍ଭୟା କାଣ୍ଡକୁ ପୂରିଲା ୯ ବର୍ଷ

ନୂଆଦିଲ୍ଲୀ,୧୬।୧୨: ଦିଲ୍ଲୀର ନିର୍ଭୟା ଗଣବଳାତ୍କାର ଓ ହତ୍ୟା ଘଟଣାକୁ ୯ ବର୍ଷ ପୂରିଛି। ୨୦୧୨ ଡିସେମ୍ବର ୧୬ ରାତିରେ ଏହି ବୀଭତ୍ସ ଘଟଣା ସାରା ଦେଶକୁ ସ୍ତବ୍ଧ କରିଦେଇଥିଲା। ଦକ୍ଷିଣ ଦିଲ୍ଲୀରେ ଏକ ଚଳନ୍ତା ବସ୍‌ରେ ୨୨ ବର୍ଷୀୟ ପାରାମେଡିକ୍‌ ଛାତ୍ରୀ ନିର୍ଭୟାଙ୍କୁ ୬ ଜଣ ଗଣବଳାତ୍କାର କରିବା ସହ ଅତି ଅମାନୁଷିକ ଭାବେ ଆକ୍ରମଣ କରି ରାସ୍ତା ପାର୍ଶ୍ୱରେ ଫିଙ୍ଗି ଦେଇଥିଲେ। ମୁମୂର୍ଷୁ ଅବସ୍ଥାରେ ୧୫ ଦିନ ମୃତ୍ୟୁସହ ସଂଗ୍ରାମ କରିବା ପରେ ପୀଡ଼ିତା ସିଙ୍ଗାପୁରର ଏକ ହସ୍ପିଟାଲରେ ଆଖି ବୁଜିଥିଲେ। ଏହି ଘଟଣାକୁ ନେଇ ସାରା ଦେଶରେ ପ୍ରବଳ ପ୍ରତିକ୍ରିୟା ପ୍ରକାଶ ପାଇବା ସହ ବଳାତ୍କାର ରୋକିବା ଲାଗି ଆଇନକୁ କଠୋର କରିବା ନିମନ୍ତେ ଦାବି ହୋଇଥିଲା। ୯ ବର୍ଷ ପରେ ବି ଦେଶରେ ମହିଳା ଅସୁରକ୍ଷିତ। ଏଥିରୁ ସରକାର କିଛି ଶିକ୍ଷା ଗ୍ରହଣ କଲେନାହିଁ। ନାରୀ ସୁରକ୍ଷା ପ୍ରସଙ୍ଗ ଅନାଲୋଚିତ ବିଷୟ ହୋଇ ରହିଗଲା ବୋଲି ନିର୍ଭୟାଙ୍କ ବାପା କହିଛନ୍ତି। ଗତବର୍ଷ ୪ ଅପରାଧୀଙ୍କୁ ଫାଶୀ ଦିଆଯାଇଥିଲା। ଗଣସମର୍ଥନ ଯୋଗୁ ଏହା ସମ୍ଭବ ହୋଇଥିଲା। ହେଲେ ଏବେ ମଧ୍ୟ ଦିଲ୍ଲୀ ମହିଳାଙ୍କ ପାଇଁ ଅସୁରକ୍ଷିତ। ପାର୍ଲାମେଣ୍ଟର ମହିଳା ସଦସ୍ୟମାନେ ନାରୀ ସୁରକ୍ଷା ପ୍ରସଙ୍ଗ ବାରମ୍ବାର ଉଠାଇବା ଆବଶ୍ୟକ, ଯାହା ହେଉନାହିଁ ବୋଲି ନିର୍ଭୟାଙ୍କ ବାପା କହିଛନ୍ତି।

Share