ନୂଆଦିଲ୍ଲୀ,୮।୬: ରାଜଧାନୀ ଦିଲ୍ଲୀରେ ପୁଣି ଥରେ ଏକ ଅତ୍ୟନ୍ତ ଲଜ୍ଜାଜନକ ଘଟଣା ଘଟିଛି। ଉତ୍ତର ପୂର୍ବ ଦିଲ୍ଲୀର ଦୟାଲପୁର ଥାନା ଅନ୍ତର୍ଗତ ନେହେରୁ ବିହାରରେ ଜଣେ ୯ ବର୍ଷୀୟ ନାବାଳିକାଙ୍କୁ ବଳାତ୍କାର ପରେ ହତ୍ୟା କରାଯାଇଛି। ଏକ ବନ୍ଦ ଘର ଭିତରୁ ଏକ ସୁଟକେସରେ ନାବାଳିକାଙ୍କ ମୃତଦେହ ଉଦ୍ଧାର କରାଯାଇଛି। ସୂଚନା ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ନିଜ ହେପାଜତକୁ ନେଇ ପୋଷ୍ଟମର୍ଟମ ପାଇଁ ପଠାଇଛି।
ଘଟଣାଟି ଶନିବାର ରାତି ପ୍ରାୟ ୮.୪୫ରେ ଘଟିଥିଲା। ତେବେ ଝିଅଟିକୁ ଅନ୍ୟ କୌଣସି ସ୍ଥାନରେ ବଳାତ୍କାର ପରେ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି। ପରେ ମୃତଦେହକୁ ଏହି ବନ୍ଦ ଘରେ ପୋତି ଦିଆଯାଇଥିଲା। ଦିଲ୍ଲୀ ପୋଲିସର କହିବା ଅନୁଯାୟୀ, ଝିଅଟିର ମୃତଦେହ ତାଙ୍କ ପଡ଼ୋଶୀଙ୍କ ଏକ ବନ୍ଦ ଘର ଭିତରୁ ମିଳିଥିଲା। ଏପରି ପରିସ୍ଥିତିରେ ଏଭଳି ନିର୍ମମ କାଣ୍ଡ ପଡ଼ୋଶୀ କରିଥିବା ସନ୍ଦେହ କରାଯାଉଛି। ଧରାପଡ଼ିବା ଭୟରେ ସେ ଝିଅଟିର ଗଳାକାଟି ହତ୍ୟା କରିଛନ୍ତି। ପରେ ସେ ମୃତଦେହକୁ ସୁଟକେସରେ ବନ୍ଦ କରି ଏହି ଘରେ ପୋତି ଦେବାକୁ ଚେଷ୍ଟା କରିଥିଲେ। ତେବେ ଝିଅଟିର ମୃତଦେହ ତାଙ୍କ ବାପା ପାଇଥିଲେ। ସେ ନିଜେ ତାଙ୍କୁ ଜେପିସି ହସ୍ପିଟାଲକୁ ନେଇଥିଲେ, ଯେଉଁଠାରେ ଡାକ୍ତରମାନେ ତାଙ୍କୁ ମୃତ ଘୋଷଣା କରିଥିଲେ।
ପୋଲିସର ସୂଚନା ଅନୁଯାୟୀ, ଶନିବାର ସାରୁ ନାବାଳିକା ନିଖୋଜ ଥିଲେ। ପରିବାରଲୋକେ ତାଙ୍କୁ ଖୋଜିବା ସମୟରେ ନିକଟସ୍ଥ ଖାଲି ଘରେ ଏକ ସନ୍ଦେହଜନକ ସୁଟକେସ ଦେଖିଥିଲେ। ଯେତେବେଳେ ସେମାନେ ଏହାକୁ ଖୋଲିଥିଲେ, ଝିଅଟି ଭିତରେ ଭର୍ତ୍ତି ହୋଇଥିବା ଦେଖିଥିଲେ। ସେହି ସମୟରେ ନାବାଳିକାଜଣଙ୍କ ଅଚେତ ଥିଲେ। ତାଙ୍କ ମୁହଁରେ ଗଭୀର ଆଘାତ ଚିହ୍ନ ଥିଲା। ତାଙ୍କୁ ତୁରନ୍ତ ଜେପିସି ହସ୍ପିଟାଲକୁ ନିଆଯାଇଥିଲା, କିନ୍ତୁ ଡାକ୍ତରମାନେ ତାଙ୍କୁ ମୃତ ଘୋଷଣା କରିଥିଲେ। ପୋଲିସ ଝିଅଟିର ମୃତଦେହକୁ ହେପାଜତକୁ ନେଇ ଗୁରୁ ତେଗ ବାହାଦୁର ହସ୍ପିଟାଲର ମର୍ଚୁଆରୀରେ ସୁରକ୍ଷିତ ଭାବରେ ରଖିଛି।
ଏହି ସମ୍ପର୍କରେ, ନାବାଳିକାଙ୍କ ବାପାଙ୍କ ଅଭିଯୋଗ କ୍ରମେ, ଦୟାଲପୁର ପୋଲିସ ପକ୍ସୋ ଆଇନ ଏବଂ ଅନ୍ୟାନ୍ୟ ସମ୍ବନ୍ଧିତ ଧାରା ଅନୁଯାୟୀ ଅଜ୍ଞାତ ବ୍ୟକ୍ତିଙ୍କ ବିରୁଦ୍ଧରେ ମାମଲା ରୁଜୁ କରି ଅଭିଯୁକ୍ତଙ୍କୁ ଖୋଜିବା ଆରମ୍ଭ କରିଛି। ପୋଲିସ ଘଟଣାର ତଦନ୍ତ ପାଇଁ ଟିମ୍ ଗଠନ କରିବା ବ୍ୟତୀତ ଘଟଣାସ୍ଥଳ ଚାରିପାଖରେ ଲାଗିଥିବା ସିସିଟିଭି ଯାଞ୍ଚ କରୁଛି।


