ବନ୍ଧୁକ, ଭୁଜାଲି ଦେଖାଇ ବ୍ୟାଙ୍କ ମାଲିକଙ୍କଠାରୁ ଲୁଟିନେଲେ ୯ ଲକ୍ଷ ଟଙ୍କା

ଖଇରା,୪ା୮(ଡି.ଏନ୍‌.ଏ.): ବାଲେଶ୍ବର ଜିଲା ଖଇରା ବ୍ଲକ ଅଧୀନ ଡୁଙ୍ଗୁରା ବଜାରରେ ଥିବା ଏକ କିଓସ୍କୋ ବ୍ୟାଙ୍କ ମାଲିକଙ୍କୁ ବନ୍ଧୁକ ଓ ଭୁଜାଲି ଦେଖାଇ ୭ଜଣ ଯୁବକ ୯ଲକ୍ଷ ଟଙ୍କା ଲୁଟି ନେଇଥିବାର ଅଭିଯୋଗ ପାଇଛି ା ସିସି ଟିଭି ଫୁଟେଜରୁ ଜଣେ ବ୍ୟକ୍ତିଙ୍କୁ ଚିହ୍ନଟ କରାଯାଇଥିବା ବେଳେ ଅନ୍ୟମାନଙ୍କୁ ଧରିବାକୁ ଉଦ୍ୟମ ଜାରି ରହିଛି ା ଡୁଙ୍ଗୁରା ସମିତି ସଭ୍ୟ ଶିଶିର ସାମଲଙ୍କ ପୁଅ ରାକେଶଙ୍କର ଡୁଙ୍ଗୁରା ବଜାରରେ ଏକ କିଓସ୍କୋ ବ୍ୟାଙ୍କ ରହିଛି ା ଗୁରୁବାର ସକାଳ ସାଢ଼େ ୮ଟାରେ ରାକେଶ ମେଡିକାଲ ନକଟରେ ଥିବା ଘରୁ ନିଜର ଟଙ୍କା ବ୍ୟାଙ୍କ ଧରି ବ୍ୟାଙ୍କ କାର୍ଯ୍ୟାଳୟକୁ ବହାରିଥିଲେ। ଏହି ସମୟରେ କୋଭିଡ୍‌ ଟିକା ପାଇଁ ମେଡିକାଲ ସମ୍ମୁଖରେ କରାଯାଇଥିବା ଧାଡ଼ିରେ ଜଣେ ଲୁଟେରା ଛିଡ଼ା ହୋଇ ରାକେଶଙ୍କ ଗତିବିଧି ଅନୁଧ୍ୟାନ କରୁଥିଲେ। ସେ ତାଙ୍କ ସାଥୀମାନଙ୍କୁ ଖବର ଦେଇଥିଲେ। ଏତିକିବେଳେ ୪ଜଣ ୨ଟି ବାଇକ୍‌ରେ ଆସି ବନ୍ଧୁକ ଓ ଭୁଜାଲି ଦେଖାଇ ୯ ଲକ୍ଷ ଟଙ୍କା ଥିବା ବ୍ୟାଗ ଧରି ପଳାଇଥିଲେ। ସିମୁଳିଆ ଥାନା ଅଧୀନ ଅଡା ୟୁପି ସ୍କୁଲ ନିକଟରେ ଆଉ ୨ଜଣ ପଲସର ଗାଡ଼ିରେ ଜଗି ରହିଥିଲେ ା ୫ଜଣ ଡୁଙ୍ଗୁରାରୁ କେନାଲ ରାସ୍ତା ଦେଇ ଅଡ଼ାରେ ପହଞ୍ଚିବା ପରେ ବ୍ୟାଗରେ ଥିବା ଟଙ୍କାକୁ ଏକ ଗାମୁଛାରେ ବାନ୍ଧି ବ୍ୟାଗଟିକୁ ଫିଙ୍ଗି ଦେଇଥିଲେ ା ହଠାତ୍‌ ପଲସର ଗାଡ଼ିଟି ଷ୍ଟାର୍ଟ ନ ହେବାରୁ ସେମାନେ ସମସ୍ତେ ପଲସର ଗାଡ଼ି ଛାଡି ଅନ୍ୟ ଗାଡ଼ିରେ ପଳାଇଥିଲେ। କିଓସ୍କୋ ବ୍ୟାଙ୍କ ସିସିଟିଭି ଫୁଟେଜରୁ ଗଗନଧୂଳି ଗ୍ରାମର ଜଣେ ବ୍ୟକ୍ତିଙ୍କୁ ଚିହ୍ନଟ କରାଯିବା ପରେ ତାଙ୍କ ନିକଟରୁ ଅନ୍ୟ ୬ ଜଣଙ୍କର ସୁରାକ ମିଳିଛି ା ସମସ୍ତେ ସୋର ଅଞ୍ଚଳର ବୋଲି ଜଣାପଡ଼ିବା ପରେ ସ୍ଥାନୀୟ ଯୁବ ଗୋଷ୍ଠୀ ଓ ସିମୁଳିଆ ପୋଲିସ ପକ୍ଷରୁ ଧରିବା ପାଇଁ ଉଦ୍ୟମ ଜାରି ରହିଛି।