Categories: ଜାତୀୟ

କରୋନା ଚିକିତ୍ସାରୁ ହଟିଲା ୯ ଔଷଧ…

ନୂଆଦିଲ୍ଲୀ,୩୦।୩ : କରୋନା ସଂକ୍ରମଣର ଚିକିତ୍ସାରୁ ୯ ଔଷଧକୁ ପ୍ରୋଟୋକଲରୁ ବାଦ ଦିଆଯାଇଛି। ଏଥିମଧ୍ୟରେ ଆଜିଥ୍ରୋମାଇସିନ, ଡକ୍ସିସାଇକ୍ଲିନ, ମୋନୋକ୍ଲୋନାଲ ଆଣ୍ଟିବଡି ଏବଂ ଆଇଭର୍ମେକ୍ଟିନ ଔଷଧ ଅନ୍ତର୍ଭୁକ୍ତ। ଏସବୁ ଔଷଧ ତିନି ବର୍ଷ ଧରି କରୋନା ଚିକିତ୍ସାରେ ବ୍ୟବହୃତ ହେଉଥିଲା। ତେବେ ଏସବୁକୁ ଏବେ ସମ୍ପୂର୍ଣ୍ଣ ନିଷେଧ କରାଯାଇଛି।

କେବଳ ଏତିକି ନୁହେଁ, କରୋନା ରୋଗୀଙ୍କ ପାଇଁ ଆଣ୍ଟିବାୟୋଟିକ ବ୍ୟବହାରକୁ ନେଇ ସରକାର ଏକ ସର୍ତ୍ତ ମଧ୍ୟ ଲଗାଇଛନ୍ତି। କରୋନା ଭାଇରସର କ୍ଲିନିକାଲ ସନ୍ଦେହ ନ ହେବା ପର୍ଯ୍ୟନ୍ତ ଡାକ୍ତରମାନଙ୍କୁ ଆଣ୍ଟିବାୟୋଟିକ ବ୍ୟବହାର ନ କରିବାକୁ କୁହାଯାଇଛି।

ସୂଚନାନୁସାରେ, ନୂଆଦିଲ୍ଲୀରେ ଥିବା ଇଣ୍ଡିଆନ କାଉନସିଲ ଅଫ ମେଡିକାଲ ରିସର୍ଚ୍ଚ ଆଇସିଏମଆର ଏବଂ ଅଲ ଇଣ୍ଡିଆ ଇନଷ୍ଟିଚ୍ୟୁଟ ଅଫ ମେଡିକାଲ ସାଇନ୍ସ ମିଳିତ ଭାବେ ସଂଶୋଧିତ ଚିକିତ୍ସା ପ୍ରୋଟୋକଲ ପ୍ରସ୍ତୁତ କରିଛନ୍ତି। କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଏହାକୁ ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ସହ ଅଂଶୀଦାର କରିଛନ୍ତି ଏବଂ ଏହି ଆଧାରରେ ଚିକିତ୍ସା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ନୂତନ ପ୍ରୋଟୋକଲରେ ପରାମର୍ଶ ଦିଆଯାଇଛି ଯେ କରୋନା ଆକ୍ରାନ୍ତଙ୍କ ମଧ୍ୟରେ ଔଷଧ ରେମଡେସିଭିର ଏବଂ ଟୋକିଲିଜୁମାବ ଉପରେ ବିଶେଷ ଧ୍ୟାନ ଦେବା ଆବଶ୍ୟକ। ଏହି ଔଷଧ ସମସ୍ତ ଆକ୍ରାନ୍ତଙ୍କୁ ଦିଆଯିବା ଉଚିତ ନୁହେଁ।

Share