ଏମ୍ସରୁ ପଶ୍ଚିମବଙ୍ଗ ଦଲାଲଙ୍କ ସହ ୯ ଗିରଫ

ଭୁବନେଶ୍ୱର,୫ା୧୧(ବ୍ୟୁରୋ): ଭୁବନେଶ୍ୱରସ୍ଥିତ ଏମ୍ସ ହସ୍ପିଟାଲରେ ଦଲାଲଙ୍କ ରାଜୁତି ଚାଲିଛି। ମାଗଣା ଟିକେଟକୁ ହାତେଇବା ସହ ବିକ୍ରି କରୁଛନ୍ତି। ଏପରିକି ବିଭିନ୍ନ ବାହାନାରେ ରୋଗୀଙ୍କଠାରୁ ମୋଟା ଅଙ୍କର ଟଙ୍କା ଠକି ନେଉଛନ୍ତି। ଫଳରେ ରୋଗୀମାନେ ଶୋଷଣର ଶିକାର ହେବା ସହ ପ୍ରତିଦିନ ଦୂରଦୂରାନ୍ତରୁ ଆସୁଥିବା ରୋଗୀ ଟିକେଟ ନ ପାଇ ହଟହଟା ହେଉଛନ୍ତି। ଏନେଇ ବାରମ୍ବାର ଅଭିଯୋଗ ହୋଇ ଆସୁଥିବାବେଳେ ଶେଷରେ ଶୁକ୍ରବାର ଖଣ୍ଡଗିରି ଥାନା ପୋଲିସ ୯ଜଣ ଦଲାଲଙ୍କୁ ଗିରଫ କରିଛି। ଏଥିରେ ଏକ ବଡ଼ ର଼୍ୟାକେଟ କାମ କରୁଛି। ପଶ୍ଚିମବଙ୍ଗ ଦଲାଲଙ୍କ ସହ ଓଡ଼ିଶାର କେତେଜଣ ସାମିଲ ଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି। ଏପରିକି ମେଡିକାଲ କର୍ମଚାରୀ, ସ୍ଥାନୀୟ ଘରୋଇ ମେଡିସିନ ଷ୍ଟୋର୍‌, ଡାଇଗ୍ନୋଷ୍ଟିକ୍‌ ଓ ଲଜ୍‌ କର୍ମଚାରୀଙ୍କ ସମ୍ପୃକ୍ତି ନେଇ ଅଭିଯୋଗ ଉଠୁଥିବାରୁ ପୋଲିସ ଉକ୍ତ ଦିଗକୁ ନେଇ ମଧ୍ୟ ତଦନ୍ତ କରୁଛି। ତେବେ ଗିରଫ ଅଭିଯୁକ୍ତ ହେଲେ ପଶ୍ଚିମବଙ୍ଗର ଜୟନ୍ତ ଗିରି, କ୍ରିଷ୍ଣା ପ୍ରସାଦ ସାମନ୍ତ ଓରଫ ରୁଣ୍ଟୁ, କମଳ ପଖିରିୟା, ଅମିତ ପ୍ରତିହର ଓରଫ ବାବୁନ। ସେହିପରି ଭରତପୁର ଥାନା ଅଞ୍ଚଳରେ ରହୁଥିବା ନୟାଗଡର ଦୀପକ କୁମାର ସାହୁ ଓରଫ ସିଲୁ, ଖଣ୍ଡଗିରି ଥାନା ଅଞ୍ଚଳର ମୃତ୍ୟୁଞ୍ଜୟ ମିଶ୍ର, ରଶ୍ମି ରଞ୍ଜନ ଦାସ, ସରୋଜ କୁମାର ଭୁଜବଳ ଓରଫ ସୋନୁ ଏବଂ ଏକ ଘରୋଇ ମେଡିସିନ ଷ୍ଟୋର୍‌ର କର୍ମଚାରୀ କେନ୍ଦ୍ରାପଡାର ଅବିନାଶ ବେହେରା ଓରଫ ଲିଟୁ। ଏମାନଙ୍କଠାରୁ ୫ଟି ମୋବାଇଲ ଫୋନ୍‌, ଟଙ୍କା, ଆଧାର କାର୍ଡ, ଓପିଡି ରିକ୍ୟୁଜିଶନ ସ୍ଲିପ୍‌, ପେସେଣ୍ଟ କାର୍ଡ ଆଦି ଜବତ କରାଯାଇଛି। ଏନେଇ ପୋଲିସ ମାମଲା (ନଂ. ୫୪୬/୨୦୨୨) ରୁଜୁ କରି ସମସ୍ତ ଅଭିଯୁକ୍ତଙ୍କୁ ଶୁକ୍ରବାର କୋର୍ଟ ଚାଲାଣ କରିଥିଲା। ଜାମିନ ନାମଞ୍ଜୁର ହେବାରୁ ସେମାନଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। ଅନ୍ୟପଟେ ପୋଲିସର ଗିରଫଦାରୀ ପରେ ର଼୍ୟାକେଟରେ ସମ୍ପୃକ୍ତ ଅନ୍ୟ ଦଲାଲମାନେ ଚମ୍ପଟ ମାରିଛନ୍ତି। ଏମାନେ ସାଧାରଣତଃ ନିରୀହ ତଥା ବାହାର ରାଜ୍ୟରୁ ଚିକିତ୍ସା ପାଇଁ ଆସୁଥିବା ରୋଗୀଙ୍କୁ ଟାର୍ଗେଟ କରୁଥିବା ପୋଲିସ କହିଛି।
ଏ ସମ୍ପର୍କରେ ଏମ୍ସର ନିର୍ଦ୍ଦେଶକ ପ୍ରଫେସର ଆଶୁତୋଷ ବିଶ୍ୱାସ କହିଛନ୍ତି, ଏମ୍ସରେ ଦଲାଲଙ୍କ ପ୍ରାଦୁର୍ଭାବ ରହିଛି। ଦଲାଲମାନେ ବାହାରେ ଟିକେଟ ବିକ୍ରି କରୁଛନ୍ତି, ଲୋକଙ୍କୁ ହଇରାଣ କରୁଛନ୍ତି। ଏଥିରେ ଏମ୍ସ କର୍ମଚାରୀଙ୍କ ସଂପୃକ୍ତି ଥିବା ନେଇ କୌଣସି ସୂଚନା ନାହିଁ। କାହାର ପ୍ରମାଣ ମିଳିଲେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ସେହିପରି ଯଦି କୌଣସି ଦଲାଲ ଟଙ୍କା ନେଉଥିବା ଖବର ଆସୁଛି ତୁରନ୍ତି ପୋଲିସକୁ ଖବର ଦିଆଯାଉଥିବା ସେ କହିଛନ୍ତି।