ସକାଳ ୯ରୁ ସାଢ଼େ ୬ ଯାଏ ଗଡ଼ିବନି ଭାରିଯାନ

ଅନୁଗୋଳ, ୧୧ା୯ (ଅମିତ କୁମାର ସାମଲ): ଅନୁଗୋଳ ଜିଲା ରନ୍ତଲେଇ ଠାରୁ ବଅଁରପାଳ ପର୍ଯ୍ୟନ୍ତ ୫୫ନଂ. ଜାତୀୟ ରାଜପଥର ୧୭ କିଲୋମିଟର ରାସ୍ତା ମରାମତି ହେଉଛି। ଏହି ମରାମତି କାର୍ଯ୍ୟ ଶେଷ ନ ହେବା ପର୍ଯ୍ୟନ୍ତ ଉକ୍ତ ୧୭ କିଲୋମିଟର ରାସ୍ତାରେ ଭାରିଯାନ ଚଳାଚଳ ଉପରେ ଜିଲା ପ୍ରଶାସନ ପକ୍ଷରୁ ରବିବାର କଟକଣା ଲଗାଯାଇଛି। ପ୍ରତ୍ୟହ ପୂର୍ବାହ୍ନ ୯ଟାରୁ ସନ୍ଧ୍ୟା ୬ଟା ଯାଏ ରାଜପଥର ଏହି ଅଞ୍ଚଳରେ ଭାରିଯାନ ଯେପରି ନ ଗଡ଼େ ସେଥିପାଇଁ ନିର୍ଦ୍ଦେଶନାମା ଜାରି କରାଯାଇଛି। ମରାମତି କାର୍ଯ୍ୟ ଶେଷ ହେବା ପର୍ଯ୍ୟନ୍ତ ଉକ୍ତ ନିର୍ଦ୍ଦେଶନାମା ବଳବତ୍ତର ରହିବ ବୋଲି ଅତିରିକ୍ତ ଜିଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ବୈଠକରେ ନିଷ୍ପତ୍ତି ହୋଇଛି।
ପ୍ରକାଶ ଯେ, ବଅଁରପାଳସ୍ଥିତ ପାଞ୍ଚଗଡ଼ ବିଜୟ କୁମାର ହାଇସ୍କୁଲର ୬ଷ୍ଠ ଶ୍ରେଣୀର ଛାତ୍ରୀ ପୂଜା ସାହୁ (୧୧)ଙ୍କ ଗତ ଗୁରୁବାର ଦୁର୍ଘଟଣାରେ ମୃତ୍ୟୁ ହୋଇଥିଲା। ରାଜପଥର ଅବସ୍ଥା ଶୋଚନୀୟ ହୋଇପଡ଼ିଥିବା ବେଳେ ଭାରିଯାନ ଚଳାଚଳ ଯୋଗୁ ଦୁର୍ଘଟଣା ବଢ଼ୁଥିବା ଅଭିଯୋଗ କରି ଉକ୍ତ ସ୍କୁଲର ଛାତ୍ରୀଛାତ୍ରମାନେ ଶୁକ୍ରବାର ବିଳମ୍ବିତ ରାତି ଯାଏ ରାଜପଥ ଅବରୋଧ କରିଥିଲେ। ସ୍କୁଲ ଯାତାୟାତ ସମୟରେ ରାଜପଥରେ ଭାରିଯାନ ଚଳାଚଳ ବନ୍ଦ ରଖିବାକୁ ଛାତ୍ରୀଛାତ୍ରମାନେ ଅଡ଼ି ବସିଥିଲେ। ଅନୁଗୋଳ ଅତିରିକ୍ତ ଜିଲାପାଳ ପ୍ରତାପ ପ୍ରୀତିମୟ ଦାବି ପୂରଣ ନେଇ ଲିଖିତ ପ୍ରତିଶ୍ରୁତି ଦେଇଥିଲେ। ତଦନୁଯାୟୀ ଶନିବାରଠାରୁ ମରାମତି କାର୍ଯ୍ୟ ଆରମ୍ଭ କରାଯାଇଥିବା ବେଳେ ରବିବାର ରବିବାର ସାରେ ଅତିରିକ୍ତ ଜିଲାପାଳଙ୍କ କାର୍ଯ୍ୟାଳୟରେ ଅତିରିକ୍ତ ଜିଲାପାଳ ଉଦୟ କୁମାର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ଅନୁଗୋଳ ଉପଜିଲାପାଳ ବରଣ୍ୟେନ୍ଦୁ ମହାନ୍ତି, ଅନୁଗୋଳ ଏସ୍‌ଡିପିଓ ରମାକାନ୍ତ ମହାଳିକ, ବଅଁରପାଳ ଅତିରିକ୍ତ ତହସିଲଦାର, ସ୍ଥାନୀୟ ଥାନା ଅଧିକାରୀ, ଅନୁଗୋଳ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟର କନିଷ୍ଠ ଏମ୍‌ଭିଆଇ, ଏନ୍‌ଏଚ୍‌ଏଆଇ ଢେଙ୍କାନାଳକ ପ୍ରତିନିଧି, ପୂର୍ତ୍ତ ବିଭାଗ ଅଧିକାରୀ, ଗ୍ରାମ୍ୟ ଉନ୍ନୟନ ବିଭାଗର ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ। ଯେ ପର୍ଯ୍ୟନ୍ତ ଜାତୀୟ ରାଜପଥର ଏହି ୧୭ କିଲୋମିଟର ରାସ୍ତା ମରାମତି ଶେଷ ହୋଇନାହିଁ, ସେ ପର୍ଯ୍ୟନ୍ତ ପ୍ରତ୍ୟହ ପୂର୍ବାହ୍ନ ୯ଟାରୁ ସା ୬ଟା ପର୍ଯ୍ୟନ୍ତ ଉକ୍ତ ରାସ୍ତାରେ ଭାରିଯାନ ଚଳାଚଳ କରିବ ନାହିଁ ବୋଲି ନିଷ୍ପତ୍ତି ନିଆଯାଇଥିଲା। ଏଥିସହ ରାଜପଥରେ ଥିବା ଖାଲଖମା ପୋତିବା, ପିଚୁ ପକାଯିବା କାର୍ଯ୍ୟ ତୁରନ୍ତ ଶେଷ କରିବାକୁ ଏନଏଚଏଆଇ କର୍ତ୍ତୃପକ୍ଷଙ୍କୁ କୁହାଯାଇଥିଲା। ଏପରି କି ଗାଡ଼ି ଗୁଡ଼ିକର ବେଗ ଘଣ୍ଟା ପ୍ରତି ୨୦ରୁ ୩୦ ଜିଲୋମିଟର ରହିବ ବୋଲି ସ୍ଥିର କରାଯାଇଥିଲା। ଉକ୍ତ ରାସ୍ତାରେ ଯାତାୟାତ କରୁଥିବା ବିଭିନ୍ନ ଶିଳ୍ପ ସଂସ୍ଥାର ବସ୍‌ଗୁଡ଼ିକର ରହଣୀସ୍ଥଳ ହ୍ରାସ କରାଯିବ ବୋଲି ନିଷ୍ପତ୍ତି ନିଆଯାଇଥିଲା।