କେନ୍ଦ୍ରୀୟ କର୍ମଚାରୀଙ୍କୁ ବଡ଼ ଖୁସି ଖବର! ଅଷ୍ଟମ ବେତନ ଆୟୋଗରେ ମିଳିବ ଏତିକି ଲକ୍ଷ

ନୂଆଦିଲ୍ଲୀ,୯।୧୧: ଦେଶର ୧ କୋଟିରୁ ଅଧିକ କେନ୍ଦ୍ରୀୟ କର୍ମଚାରୀ ଓ ପେନ୍‌ସନ୍‌ଭୋଗୀଙ୍କ ପାଇଁ ଅଷ୍ଟମ ବେତନ ଆୟୋଗ ଏକ ବଡ଼ ଆଶା ସୃଷ୍ଟି କରିଛି । ସପ୍ତମ ବେତନ ଆୟୋଗର କାର୍ଯ୍ୟକାଳ ୩୧ ଡିସେମ୍ବର ୨୦୨୫ରେ ଶେଷ ହୋଇଥିବାରୁ ଏବେ ଅଷ୍ଟମ ବେତନ ଆୟୋଗର ସୁପାରିସକୁ ନେଇ ଚର୍ଚ୍ଚା ଜୋର୍‌ ଧରିଛି । ଯଦି ନୂଆ ବେତନ ଢାଞ୍ଚା ୧ ଜାନୁଆରୀ ୨୦୨୬ରୁ ଲାଗୁ ହୁଏ, ତେବେ ପୂର୍ବ ମାସଗୁଡ଼ିକର ବକେୟା ଅର୍ଥାତ୍‌ ଏରିଅର୍‌ ବାବଦରେ କର୍ମଚାରୀଙ୍କୁ ମୋଟା ଅଙ୍କର ଟଙ୍କା ମିଳିପାରେ। ଏକ ଆକଳନ ଅନୁସାରେ, ଲେଭଲ୍‌-୬ର କର୍ମଚାରୀଙ୍କୁ ପ୍ରାୟ ୫.୧୫ ଲକ୍ଷ ଟଙ୍କା ଏରିଅର୍‌ ମିଳିବାର ସମ୍ଭାବନା ରହିଛି।

ଏରିଅର୍‌ ହିସାବ କରିବା ସମୟରେ ମହଙ୍ଗା ଭତ୍ତା (ଡିଏ)କୁ ମଧ୍ୟ ଧ୍ୟାନରେ ନିଆଯାଇଛି । ଆକଳନ ଅନୁସାରେ, ଜାନୁଆରୀରୁ ଜୁନ୍‌ ୨୦୨୬ ପର୍ଯ୍ୟନ୍ତ ୬୦ ପ୍ରତିଶତ ଡିଏ ଏବଂ ଜୁଲାଇରୁ ଡିସେମ୍ବର ୨୦୨୬ ପର୍ଯ୍ୟନ୍ତ ୬୩ ପ୍ରତିଶତ ଡିଏ ଧରାଯାଇଛି।

ଜାନୁଆରୀରୁ ଜୁନ୍‌ (ପ୍ରଥମ ୬ ମାସ): ପ୍ରତି ମାସରେ ପ୍ରାୟ ୪୩,୫୬୦ ଟଙ୍କାର ଅନ୍ତର।

ଜୁଲାଇରୁ ଡିସେମ୍ବର (ପରବର୍ତ୍ତୀ ୬ ମାସ): ପ୍ରତି ମାସରେ ପ୍ରାୟ ୪୨,୨୧୩ ଟଙ୍କାର ଅନ୍ତର। ଏହି ଦୁଇଟି ୬ ମାସର ଅନ୍ତରକୁ ମିଶାଇଲେ ୧୨ ମାସର ମୋଟ ସମ୍ଭାବ୍ୟ ଏରିଅର୍‌ ୫,୧୪,୬୩୮ ଟଙ୍କା ହେଉଛି। ଅର୍ଥାତ୍‌ ପ୍ରାୟ ୫.୧୫ ଲକ୍ଷ ଟଙ୍କା।

ତେବେ ୫.୧୫ ଲକ୍ଷ ଟଙ୍କାର ଏହି ହିସାବ କେବଳ ଏକ ଆକଳନ। ପ୍ରକୃତରେ କର୍ମଚାରୀଙ୍କୁ କେତେ ଟଙ୍କା ମିଳିବ, ତାହା ଅନେକ କାରଣ ଉପରେ ନିର୍ଭର କରିବ। ସରକାର ଶେଷରେ କେତେ ଫିଟ୍‌ମେଣ୍ଟ ଫ୍ୟାକ୍ଟର ଧାର୍ଯ୍ୟ କରୁଛନ୍ତି, ତାହା ଉପରେ ନୂଆ ଦରମା ଓ ଏରିଅର୍‌ ରାଶି ନିର୍ଭର କରିବ।

ଏବେ କର୍ମଚାରୀଙ୍କୁ ଆୟୋଗର ଚୂଡ଼ାନ୍ତ ରିପୋର୍ଟ ପାଇଁ ଅପେକ୍ଷା କରିବାକୁ ପଡ଼ିବ। ୩ ନଭେମ୍ବର ୨୦୨୬ରେ ଅଷ୍ଟମ ବେତନ ଆୟୋଗ ଗଠନକୁ ଏକ ବର୍ଷ ପୂରିଛି। ଜଷ୍ଟିସ୍‌ ରଞ୍ଜନା ପ୍ରକାଶ ଦେଶାଇଙ୍କ ଅଧ୍ୟକ୍ଷତାରେ ଆୟୋଗର ବେଙ୍ଗାଲୁରୁ ଓ ମୁମ୍ବାଇରେ ଗୁରୁତ୍ୱପୂର୍ଣ୍ଣ ବୈଠକ ହୋଇସାରିଛି। ନିୟମ ଅନୁସାରେ, ଆୟୋଗକୁ ଚୂଡ଼ାନ୍ତ ରିପୋର୍ଟ ଦାଖଲ କରିବା ପାଇଁ ୧୮ ମାସ ସମୟ ମିଳିଥାଏ। ଏହି ହିସାବରେ ମେ ୨୦୨୭ ଆଖପାଖରେ ରିପୋର୍ଟ ଆସିବାର ଆଶା କରାଯାଉଛି। ଏହାପରେ ସରକାରଙ୍କ ଅନୁମୋଦନ ମିଳିଲେ ହିଁ ପ୍ରକୃତ ଦରମା ବୃଦ୍ଧି ଓ ଏରିଅର୍‌ ରାଶି ସ୍ପଷ୍ଟ ହେବ ।

 

Dharitri – Odisha’s No.1 Odia Daily

Share