୮କି.ମି. ଚାଲିଲେ ଛାତ୍ରୀଛାତ୍ର

ଠାକୁରମୁଣ୍ଡା,୨୧।୯(ଡି.ଏନ୍‌.ଏ):ପ୍ରତିଶ୍ରୁତି ରଖିଲାନି ପ୍ରଶାସନ। ଫଳରେ ୮ କି.ମି ଦୂର ବ୍ଲକ୍‌ କାର୍ଯ୍ୟାଳୟକୁ ଚାଲିଚାଲି ଅଭିଯୋଗ କରିବାକୁ ଗଲେ ଛାତ୍ରୀଛାତ୍ର। ସେମାନଙ୍କୁ ଅଧା ବାଟରେ ପୋଲିସ ଓ ବ୍ଲକ୍‌ ପ୍ରଶାସନ ଅଟକାଇଥିଲା। ମଙ୍ଗଳବାର ଏପରି ଏକ ଘଟଣା ଘଟିଛି ମୟୂରଭଞ୍ଜ ଜିଲା ଠାକୁରମୁଣ୍ଡା ବ୍ଲକ୍‌ କେଶଡ଼ିହା ଆଶ୍ରମ ସ୍କୁଲରେ। ଖବର ପାଇ କରଞ୍ଜିଆ ଆଇଟିଡିଏ ପିଏ ଦେବଦତ୍ତ ମହାନ୍ତ, ଜିଲା ଅତିରିକ୍ତ ସମାଜମଙ୍ଗଳ ଅଧିକାରୀ ସୁନାରାମ ସିଂ, ବିିଡିଓ ଶ୍ୟାମସୁନ୍ଦର ଟୁଡୁ, ମହୁଲଡ଼ିହା ଓ ଠାକୁରମୁଣ୍ଡା ଥାନା ପୋଲିସ ବିଦ୍ୟାଳୟରେ ପହଞ୍ଚତ୍ ଶିକ୍ଷୟିତ୍ରୀ ଶିକ୍ଷକ, ଛାତ୍ରୀଛାତ୍ର ଓ ଅଭିଭାବକଙ୍କ ସହିତ ଆଲୋଚନା କରିଛନ୍ତି।
ପ୍ରକାଶ ଯେ, ସମନ୍ବିତ ଆଦିବାସୀ ଉନ୍ନୟନ ବିଭାଗ ଦ୍ୱାରା ପରିଚାଳିତ କେଶଡ଼ିହା ଆଶ୍ରମ ସ୍କୁଲ୍‌ର ୧ମରୁ ୧୦ମ ଶ୍ରେଣୀରେ ମୋଟ ୪୨୦ ଜଣ ଛାତ୍ରୀଛାତ୍ର ପଢ଼ୁଥିବା ବେଳେ ୩୨୦ଜଣ ହଷ୍ଟେଲରେ ରୁହନ୍ତି। ହଷ୍ଟେଲ ଗୃହରୁ ପାଣି ଗଳିବା, ଶ୍ରେଣୀ ଗୃହ ଖରାପ, ଗୋଟିଏ ଶ୍ରେଣୀ କୋଠରୀରେ ୧ମରୁ ୪ର୍ଥ ଶ୍ରେଣୀ ପିଲାଙ୍କୁ ପଢ଼ାଇବା, ପାନୀୟ ଜଳ ସମସ୍ୟା, ଖାଦ୍ୟ ତାଲିକା ଅନୁଯାୟୀ ଖାଦ୍ୟ ନ ଦେବା, ପ୍ରଧାନଶିକ୍ଷୟିତ୍ରୀଙ୍କୁ ବଦଳି ଆଦି ଦାବି କରି ଗତ ଅଗଷ୍ଟ ୩୧ରେ ଛାତ୍ରୀଛାତ୍ର ମୁଖ୍ୟ ଫାଟକରେ ତାଲା ପକାଇଥିଲେ। ସେ ସମୟରେ ବ୍ଲକ୍‌ ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ ସୁଶାନ୍ତ ସାହୁ, ଆଇଟିଡିଏର ପ୍ରତିନିଧି, ମହୁଲଡ଼ିହା ଥାନା ପୋଲିସ ପହଞ୍ଚି ୧୫ ଦିନ ମଧ୍ୟରେ ଦାବି ସମାଧାନ ପ୍ରତିଶ୍ରୁତି ଦେଇଥିଲେ। ୧୫ ଦିନ ପରେ ସମାଧାନ ନ ହେବାରୁ ମଙ୍ଗଳବାର ଛାତ୍ରୀଛାତ୍ର ବ୍ଲକ୍‌ କାର୍ଯ୍ୟାଳୟକୁ ଚାଲି ଚାଲି ଯାଉଥିଲେ। ପ୍ରଶାସନ ପକ୍ଷରୁ ସେମାନଙ୍କୁ ବିଦ୍ୟାଳୟକୁ ଫେରାଇ ଆଣାଯିବା ପରେ ଅଧିକାରୀମାନେ ସମସ୍ତ ଶିକ୍ଷକ, ଛାତ୍ରୀଛାତ୍ର, ବିଦ୍ୟାଳୟ ପରିଚାଳନା କମିଟି ସଦସ୍ୟଙ୍କ ସହିତ ଆଲୋଚନା କରି ସମସ୍ୟାର ସମାଧାନ ସହ ନୂତନ ହଷ୍ଟେଲରେ ପିଲାଙ୍କୁ ରଖାଯିବ ବୋଲି ବ୍ଲକ୍‌ ସମାଜ ମଙ୍ଗଳ ଅଧିକରୀ ସୁଶାନ୍ତ ସାହୁ କହିଛନ୍ତି।