୮୮ ତମ ପୋଲିସ ପ୍ରତିଷ୍ଠା ଦିବସ, ନିଷ୍ଠାର ସହ ଦାୟିତ୍ୱ ନିର୍ବାହ କର : ଆଇଜି

 

ବ୍ରହ୍ମପୁର ଅଫିସ,୧।୪: ବ୍ର୍ରହ୍ମପୁରରେ ଯେଉଁ ଉଦ୍ଦେଶ୍ୟ ନେଇ ପୋଲିସ ଜିଲା ପ୍ରତିଷ୍ଠା କରାଯାଇଥିଲା ତାହା ପୂରଣ କରିବା ପାଇଁ ମିଳିତ ଉଦ୍ୟମ ଦରକାର। ଅପରାଧ ନିୟନ୍ତ୍ରଣ କରି ଅପରାଧୀଙ୍କୁ ଦୃଢ଼ ହସ୍ତରେ ଦମନ କରିବା ଦିଗରେ ଏବେ ପୋଲିସର ଭୂମିକା ବେଶ ପ୍ରଶଂସନୀୟ। ନିଜର ଦାୟିତ୍ୱ ସମ୍ପାଦନ କ୍ଷେତ୍ରରେ ଯତ୍ନବାନ ହୋଇ କାର୍ଯ୍ୟ କଲେ ସଫଳତା ନିଶ୍ଚିତ ବୋଲି ଦକ୍ଷିଣାଞ୍ଚଳ ପୋଲିସ ରେଞ୍ଜ ଆରକ୍ଷୀ ମହାନିରୀକ୍ଷକ (ଆଇଜି) ସତ୍ୟବ୍ରତ ଭୋଇ କହିଛନ୍ତି। ସମାଜରେ ଶାନ୍ତି ବଜାୟ ରଖିବା ଦିଗରେ ପୋଲିସ ସଦାସର୍ବଦା ଉଦ୍ୟମ କରୁଛି। ଆଇନ ଶୃଙ୍ଖଳା ନିୟନ୍ତ୍ରଣ ହେଉ କି ଅପରାଧୀ ଦମନ ହେଉ ପ୍ରତ୍ୟେକ କ୍ଷେତ୍ରରେ ପୋଲିସର କାର୍ଯ୍ୟ ପ୍ରଶଂସନୀୟ। ଜନସାଧାରଣ ମଧ୍ୟ ଏଥିରେ ପୋଲିସକୁ ବହୁ ସହଯୋଗ କରୁଛନ୍ତି। ପୋଲିସ ଓ ସାଧାରଣ ଜନତାଙ୍କ ମିଳିତ ଉଦ୍ୟମରେ ଅପରାଧମୁକ୍ତ ସମାଜ ଗଠନ କରାଯାଇ ପାରିବ ବୋଲି ଆଇଜି ଭୋଇ କହିଛନ୍ତି। ଏଣୁ ପୋଲିସ ନିଷ୍ଠାର ସହ ଦାଇତ୍ୱ ନିର୍ବାହ କରୁ ବୋଲି ମଧ୍ୟ ସେ କହିଛନ୍ତି।
ଶନିବାର ଆମ୍ବପୁଆ ସ୍ଥିତ ରିଜର୍ଭ ପଡ଼ିଆରେ ଅନୁଷ୍ଠିତ ୮୮ ତମ ପୋଲିସ ପ୍ରତିଷ୍ଠା ଦିବସରେ ମୁଖ୍ୟଅତିଥି ଭାବେ ଯୋଗଦେଇ ଆଇଜି ସତ୍ୟବ୍ରତ ଭୋଇ ପତାକା ଉତ୍ତୋଳନ କରିଥିଲେ। ଏହା ସହିତ ପରେଡ଼ର ଅଭିବାଦନ ଗ୍ରହଣ କରିଥିଲେ।ସେହିପରି ୍ରହ୍ମପୁର ଏସ୍‌ପି ଡା.ଶ୍ରବଣା ବିବେକ ଏମ ଏହି ଅବସରରେ , ସମାଜରେ ଥିବା ଦୁର୍ବଳ ଶ୍ରେଣୀର ଲୋକ, ମହିଳା ଓ ବରିଷ୍ଠ ନାଗରିକଙ୍କ ସୁରକ୍ଷା ପ୍ରତି ସ୍ବତନ୍ତ୍ର ଦୃଷ୍ଟି ଦେବାକୁ ଆହ୍ବାନ ଦେଇଥିଲେ। ଲୋକଙ୍କ ମଧ୍ୟରେ ପୋଲିସର ବିଶ୍ବାସ ଓ ଭରସା ଜନ୍ମାଇବାକୁ ହେବ। ସମ୍ବିଧାନର ପ୍ରତ୍ୟେକ ନିୟମ ପାଳନ କରିବା ସହିତ ସାଧାରଣ ନାଗରିକଙ୍କ ଅଧିକାର ଯେପରି କ୍ଷୁଣ୍ନ ନହେବ ସେଥିପ୍ରତି ମଧ୍ୟ ଦୃଷ୍ଟି ଦେବାକୁ ସେ କହିଥିଲେ।