ଭିତରକନିକାର ୮୭୧ ପର୍ଯ୍ୟଟକ

ରାଜନଗର,୨୮ା୧୧(ଡି.ଏନ.ଏ.): ରବିବାର ଗୋଟିଏ ଦିନରେ ଭିତରକନିକାକୁ ୮୭୧ ପର୍ଯ୍ୟଟକ ପରିଭ୍ରମଣରେ ଆସିଥିଲେ। ୭୯ ବୋଟରେ ପର୍ଯ୍ୟଟକମାନେ ଭିତରକନିକାର ଶୋଭା ଉପଭୋଗ କରୁଛନ୍ତି। ସ୍ଥଳପଥରେ ୩୨୭ ପର୍ଯ୍ୟଟକ ଭିତରକନିକା ପରିଭ୍ରମଣରେ ଆସିଥିଲେ। ସ୍ଥଳପଥରେ ଆସିଥିବା ୩୨୭ ପର୍ଯ୍ୟଟକ ଡାଙ୍ଗମାଳଠାରେ ଥିବା ଶବ୍ଦବିହୀନ ୧୭ଟି ବୋଟରେ ଜଳପଥରେ ପ୍ରାକୃତିକ ଶୋଭା ଉପଭୋଗ କରିଛନ୍ତି। ଏଥିସହ ଖୋଳା ଏଣ୍ଟ୍ରି ପଏଣ୍ଟ ଦେଇ ୪୮ ବୋଟରେ ୪୩୨ ପର୍ଯ୍ୟଟକ, ଗୁପ୍ତି ଏଣ୍ଟ୍ରି ପଏଣ୍ଟ ଦେଇ ୯ଟି ବୋଟରେ ୫୬ ପର୍ଯ୍ୟଟକ ଓ ଚାନ୍ଦବାଲି ଏଣ୍ଟ୍ରି ପଏଣ୍ଟ ଦେଇ ୫ଟି ବୋଟରେ ୫୬ ପର୍ଯ୍ୟଟକ ଭିତରକନିକାର ଶୋଭା ଉପଭୋଗ କରିଛନ୍ତି। ମୋଟ ୭୯ ବୋଟରେ ୮୭୧ ପର୍ଯ୍ୟଟକ ଭିତରକନିକାର ଶୋଭା ଉପଭୋଗ କରିଛନ୍ତି। ନୌକା ଭ୍ରମଣ ସମୟରେ ପ୍ରକୃତିକୁ ନିକଟରେ ଦେଖିବାର ସୁଯୋଗ ଓ ନଈପଠାରେ ବିରଳ ବଉଳା କୁମ୍ଭୀରଙ୍କ ଖରାପୋଇଁବା ଓ ମିଳନର ଦୃଶ୍ୟ ପର୍ଯ୍ୟଟକଙ୍କୁ ଭିତରକନିକାକୁ ଟାଣି ଆଣୁଛି। ଭିତରକନିକା ବୁଲି ଆସିଥିବା ପର୍ଯ୍ୟଟକମାନେ ଦେଶୀୟ ପକ୍ଷୀ ଭିଡ ଜମାଇଥିବା ଲକ୍ଷ୍ମୀପ୍ରସାଦଡିଆ, ମଠଆଡିଆରେ ହଜାର ହଜାର ସଂଖ୍ୟାରେ ଦେଶୀୟ ପକ୍ଷୀଙ୍କୁ ଦେଖି ବିମୋହିତ ହୋଇଥିଲେ। ଏଥିସହ ଡାଙ୍ଗମାଳ କୁମ୍ଭୀର ପ୍ରଜନନ କେନ୍ଦ୍ର, ମ୍ୟୁଜିୟମ, ସାରା ବିଶ୍ୱରେ ଚର୍ଚ୍ଚିତ ଧଳା କୁମ୍ଭୀର ଗୋରୀ, ମଲ୍ଲୀ, ଶ୍ୱେତାକୁ ପର୍ଯ୍ୟଟକମାନେ ଦେଖି ମଜା ଉଠାଇଥିଲେ। ଡାଙ୍ଗମାଳଠାରେ ଥିବା ବୋଟ ଲାଇବ୍ରେରୀ, ସହିଦସ୍ତମ୍ଭ ଓ ସେଲଫି ପଏଣ୍ଟ ନିକଟରେ ପର୍ଯ୍ୟଟକମାନେ ସେଲଫି ନେଉଥିବା ଦେଖିବାକୁ ମିଳିଥିଲା।