Categories: ଜାତୀୟ

୩୧ ମୃତବ୍ୟକ୍ତିଙ୍କ ନାଁରେ ୮୭ ବୀମା ପଲିସି

ରାଜକୋଟ, ୩୧ା୩:ଗୁଜରାଟର ଆମ୍ରେଲି ଜିଲାରୁ ଜାଲ୍‌ ଆଧାର କାର୍ଡ ଜରିଆରେ ଜୀବନ ବୀମା କରୁଥିବା ଏକ ର଼୍ୟାକେଟର ପର୍ଦ୍ଦାଫାସ ହୋଇଛି। ୩୧ଟି ଘରୋଇ ଓ ସରକାରୀ ବୀମା କମ୍ପାନୀରୁ ପାଖାପାଖି ୧୪ କୋଟି ଟଙ୍କା ଠକିଥିବା ଅଭିଯୋଗରେ ୪ ଜଣଙ୍କୁ ଗିରଫ କରାଯାଇଛି। ନିର୍ଦ୍ଦିଷ୍ଟ ସୂଚନା ଆଧାରରେ ରାଜୁଲା ପୋଲିସ ତଦନ୍ତ ଚଳାଇ ଉପରୋକ୍ତ ଦୁର୍ନୀତିକୁ ପଦାକୁ ଆଣିଛି। ଏକ କାର୍‌କୁ ଅଟକାଇ ଯାଞ୍ଚ କରିବା ପରେ ସେଥିରୁ ଜାଲ୍‌ ଆଧାର କାର୍ଡ ଓ କେତେକ ଇନ୍‌ସ୍ୟୁରାନ୍ସ ପଲିସି ମିଳିଥିଲା। ପୋଲିସ ବୀମା ଏଜେଣ୍ଟ ହନୁ ପାର୍ମାର, ବନରାଜ ବଲ୍‌ଦାନିୟା, ଉଦୟସିଂ ରାଠୋଡ୍‌ ଏବଂ ଜିତେନ୍ଦ୍ର ପାର୍ମାରଙ୍କୁ ଗିରଫ କରିଛି। ଏମାନେ ୩୧ ମୃତବ୍ୟକ୍ତିଙ୍କ ନାମରେ ୮୭ଟି ଜାଲ୍‌ ପଲିସି କରି ବୀମା କମ୍ପାନୀଠାରୁ କ୍ଲେମ୍‌ ଟଙ୍କା ଉଠାଇଥିଲେ।
ଅଭିଯୁକ୍ତମାନେ ମୃତବ୍ୟକ୍ତିଙ୍କ ପରିବାର ସହ ଯୋଗାଯୋଗ କରି ୫୦ ହଜାରରୁ ଲକ୍ଷେ ଟଙ୍କା ସରକାରୀ ସହାୟତା କରାଇଦେବେ ବୋଲି ପ୍ରତିଶ୍ରୁତି ଦେଉଥିଲେ। ଏଥିପାଇଁ ସେମାନେ ମୃତବ୍ୟକ୍ତିଙ୍କ ଆଧାର କାର୍ଡ ନେଇଯାଇ, ସେଥିରେ ଲାଗିଥିବା ଫଟୋକୁ ବଦଳାଇ ଦେଉଥିଲେ। ସେମାନେ ଉକ୍ତ ଜାଲ୍‌ ଆଧାର କାର୍ଡ ସହାୟତାରେ ପାନ୍‌ କାର୍ଡ ବାହାର କରି ବ୍ୟାଙ୍କ ଆକାଉଣ୍ଟ ଖୋଲିବା ସହ ବୀମା ପଲିସି କରାଉଥିଲେ। ପ୍ରଥମେ ସେମାନେ ନିଜେ ବୀମା ପ୍ରିମିୟମ ଭରୁଥିଲେ ଓ ପରେ ବୀମାଧାରୀଙ୍କ ମୃତ୍ୟୁ ସାର୍ଟିଫିକେଟ ବୀମା କମ୍ପାନୀରେ ଦାଖଲ କରି ବୀମା ରାଶି କ୍ଲେମ୍‌ କରୁଥିଲେ ବୋଲି ଆମ୍ରେଲି ଏସ୍‌ପି ହିମ୍‌କାର ସିଂ କହିଛନ୍ତି। ଏକ ଘରୋଇ ସଂସ୍ଥାର କର୍ମଚାରୀ ଭାବଦୀପ ବସିୟା ଆଧାର କାର୍ଡଗୁଡ଼ିକର ତଥ୍ୟରେ ପରିବର୍ତ୍ତନ କରାଉଥିଲେ। ତାଙ୍କୁ ଏପର୍ଯ୍ୟନ୍ତ ଗିରଫ କରାଯାଇ ନାହିଁ। ଏହି ର଼୍ୟାକେଟରେ ଜାଲ୍‌ ଆଧାର ପ୍ରସ୍ତୁତି ଲାଗି ଫଟୋ ଦେଇଥିବା ବ୍ୟକ୍ତି, ବୀମା କମ୍ପାନୀ ଏଜେଣ୍ଟ ଓ କର୍ମଚାରୀ ଓ କେତେଜଣ ସରକାରୀ କର୍ମଚାରୀ ସମ୍ପୃକ୍ତ। ସେମାନଙ୍କୁ ୧୦ରୁ ୧୫ ପ୍ରତିଶତ କମିଶନ ମିଳିବା ପ୍ରତିଶ୍ରୁତି ଦିଆଯାଇଥିଲା। ୪ ଅଭିଯୁକ୍ତଙ୍କଠାରୁ ପୋଲିସ ୫ଟି ଦାମୀ କାର, ୯ ବାଇକ୍‌ ଓ ନଗଦ ୫୨ ଲକ୍ଷ ଟଙ୍କା ଜବତ କରିଛି। ଏପରିକି ୫.୧୦ କୋଟି ଟଙ୍କାର କ୍ଲେମ୍‌ ଖାରଜ ହୋଇଯିବା ପରେ ସେମାନେ ସମ୍ପୃକ୍ତ ବୀମା କମ୍ପାନୀ ନାମରେ ମାମଲା ଦାଏର କରିଥିଲେ।

Share