ବାହାରିଲା ପରୀକ୍ଷାଫଳ: ଖୋର୍ଦ୍ଧା ଜିଲାରେ ପାସ ହାର ୮୭.୨୮

ଖୋର୍ଦ୍ଧା ଅଫିସ,୨୯।୭: ମାଧ୍ୟମିକ ଶିକ୍ଷା ପରିଷଦ ବୋର୍ଡ ଦ୍ୱାରା ପରିଚାଳିତ ମାଟ୍ରିକ ପରୀକ୍ଷା ଫଳ ବୁଧବାର ପ୍ରକାଶ ପାଇଛି। ଏଥିରେ ଖୋର୍ଦ୍ଧା ଜିଲାର ପାସ୍‌ ହାର ୮୭.୨୮% ରହିଛି। ଛାତ୍ରଙ୍କ ତୁଳନାରେ ଛାତ୍ରୀ ବାଜିମାତ କରିଥିବା ବେଳେ ଜିଲା ପାସ୍‌ହାରରେ ଦ୍ୱିତୀୟ ସ୍ଥାନରେ ରହିଛି।

ଚଳିତ ବର୍ଷ ଫେବୃୟାରୀ ୧୯ରୁ ମାର୍ଚ୍ଚ ୨ ତାରିଖ ପର୍ଯ୍ୟନ୍ତ ଦଶମ ଶ୍ରେଣୀ ପରୀକ୍ଷା ହୋଇଥିଲା। ଏଥିରେ ୩୩୮ ହାଇସ୍କୁଲର ୨୭,୧୧୦ଜଣ ଛାତ୍ରୀଛାତ୍ର ପରୀକ୍ଷା ପାଇଁ ନାମ ପଞ୍ଜିକରଣ କରିଥିବା ବେଳେ ୨୬,୭୨୭ଜଣ ପରୀକ୍ଷା ଦେଇଥିଲେ। ୧୨୫ଟି କେନ୍ଦ୍ରରେ ପରୀକ୍ଷା ଅନୁଷ୍ଠିତ ହୋଇଥିଲା। ତେବେ ୬ଜଣ ମାଲ ପ୍ରାଟିକ୍ସରେ ଧରା ପଡ଼ିବା ପରେ ବାକି ୨୬,୭୨୧ଜଣଙ୍କ ପରୀକ୍ଷା ଫଳ ବାହାରିଛି। ସେମାନଙ୍କ ମଧ୍ୟରୁ ୨୩,୩୨୬ଜଣ ପାସ୍‌ ହୋଇଛନ୍ତି। ଏ୧-୧୮୨, ବି୧-୧୭୨୧, ବି୨-୨୬୧୦, ସି-୩୫୭୯, ଡି-୫୩୧୫, ଇ-୮୯୬୭ ଏବଂ ଏଫ୍‌-୨୨୯୫ଜଣ ରହିଛନ୍ତି। ତେବେ ସାରା ରାଜ୍ୟରେ ଏ୧ ଏବଂ ଏ୨ ପରୀକ୍ଷା ଫଳରେ ଖୋର୍ଦ୍ଧା ଜିଲା ସର୍ବୋଚ୍ଚ ସ୍ଥାନରେ ରହିଛି ବୋଲି ଜିଲା ଶିକ୍ଷାଧିକାରୀ ବନ୍ଦନା ମହାପାତ୍ର କହିଛନ୍ତି।