୮୬ ପ୍ରତିଶତ ବିନା ଲକ୍ଷଣ ବ୍ୟକ୍ତି ସାଜୁଛନ୍ତି କରୋନାର ‘ସାଇଲେଣ୍ଟ୍‌ ସ୍ପ୍ରେଡର’

ଲଣ୍ଡନ, ୧୦।୧୦: କରୋନା ମହାମାରୀ ସଂକ୍ରମଣରେ ବିନା ଲକ୍ଷଣ ବ୍ୟକ୍ତି ‘ସାଇଲେଣ୍ଟ୍‌ ସ୍ପ୍ରେଡର’ ସାଜୁଛନ୍ତି। ଏନେଇ ବ୍ରିଟେନ୍‌ର ଲଣ୍ଡନ କଲେଜ ୟୁନିଭରସିଟିର ଗବେଷକଙ୍କ ପକ୍ଷରୁ ପ୍ରକାଶିତ ହୋଇଥିବା ରିପୋର୍ଟରେ ଉଲ୍ଲେଖ କରାଯାଇଛି। ପ୍ରାୟ ୮୬.୧ ପ୍ରତିଶତ ଲୋକଙ୍କଠାରେ କରୋନାର ସାଧାରଣ ଲକ୍ଷଣ ପ୍ରକାଶ ପାଉନାହିଁ। ଏପ୍ରିଲ୍‌ଠାରୁ ଜୁନ୍‌ ମଧ୍ୟରେ ରାଷ୍ଟ୍ରୀୟ ପରିସଂଖ୍ୟାନ କାର୍ଯ୍ୟାଳୟରୁ ସଂଗ୍ରହ କରାଯାଇଥିବା ଡାଟା ଆଧାରରେ ଏହି ରିପୋର୍ଟ ପ୍ରସ୍ତୁତ କରାଯାଇଛି। କେବଳ ୧୩.୯ ପ୍ରତିଶତଙ୍କଠାରେ କରୋନା ସଂକ୍ରମଣ ଳକ୍ଷଣ ପ୍ରକାଶ ପାଉଥିବା ଏଥିରେ ଦର୍ଶାଯାଇଛି। ଏହାଦ୍ୱାରା କରୋନା ସଂକ୍ରମଣକୁ ସହଜରେ ରୋକା ଯାଇ ପାରୁ ନ ଥିବା ମହାମାରୀ ବିଜ୍ଞାନ ଏବଂ ସ୍ବାସ୍ଥ୍ୟ ସୂଚନା ବିଭାଗର ପ୍ରଫେସର ଏରିନ୍‌ ପିଟରସନ୍‌ ସୂଚନା ଦେଇଛନ୍ତି। ଲକ୍ଷଣ ପ୍ରକାଶ ପାଉ ନ ଥିବା ଲୋକ ନିଜ ଅଜାଣତରେ କରୋନା ସଂକ୍ରମଣ କରିଚାଲିଥାନ୍ତି। ଏଭଳି ଲୋକଙ୍କ ସମ୍ପର୍କରେ ସଠିକ୍‌ ସୂଚନା ସଂଗ୍ରହ କରାଗଲେ ମହାମାରୀକୁ ନିୟନ୍ତ୍ରଣ କରିବା ସହଜ ହୋଇପାରିବ। ଏହି ରିପୋର୍ଟ କ୍ଲିନିକାଲ ଏପିଡିମିଲୋଜିଓ ପତ୍ରିକାରେ ପ୍ରକାଶିତ ହୋଇଛି।

Share