ଅନଲାଇନରେ ମୃତ ୮୫ ବର୍ଷ ବୟସ୍କା ବୃଦ୍ଧା : ପେନସନ ପାଇଁ ନିଜକୁ ଜୀବିତ ପ୍ରମାଣ କରିବାକୁ ବୁଲୁଛନ୍ତି ସରକାରୀ କାର୍ଯ୍ୟାଳୟ…

ଅଜମେର,୨୫।୪ : ରାଜସ୍ଥାନର ଅଜମେର ଜିଲାର ବେୱାରରେ ଅବସ୍ଥିତ ବଞ୍ଜାରି ପଞ୍ଚାୟତରେ ଅଧିକାରୀଙ୍କ ଅବହେଳା ଯୋଗୁଁ ଜଣେ ୮୫ ବର୍ଷ ବୟସ୍କା ବୃଦ୍ଧା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏଠାରେ ବାସ କରୁଥିବା ଗାଟୁ ଦେବୀ ନାମକ ବୃଦ୍ଧାଙ୍କୁ ମୃତ ଘୋଷଣା କରି ତାଙ୍କ ପେନସନ ବନ୍ଦ କରିଦିଆଯାଇଛି। ଅଧିକାରୀ କହିଛନ୍ତି, ଫିଙ୍ଗର ପ୍ରିଣ୍ଟ ନଥିବାରୁ ବାୟୋମେଟ୍ରିକ ଯାଞ୍ଚ ଅଭାବରୁ ଅନଲାଇନରେ ତ୍ରୁଟି ହୋଇ ତାଙ୍କର ମୃତ୍ୟୁ ହୋଇଥିବା ଦର୍ଶାଯାଇଛି। ଏହି କାରଣରୁ ତାଙ୍କ ବିଧବା ପେନସନ ବନ୍ଦ ହୋଇଯାଇଛି।

ଗତ ଏକ ବର୍ଷ ଧରି ବାୟୋମେଟ୍ରିକ ଯାଞ୍ଚ ପାଇଁ ଅନଲାଇନ ପୋର୍ଟାଲ ମାଧ୍ୟମରେ ସେ ଅନେକ ସରକାରୀ କାର୍ଯ୍ୟାଳୟ ବୁଲି ଗୁହାରି କରୁିଥିଲେ ମଧ୍ୟ କେହି ତାଙ୍କ କଥା ଶୁଣୁ ନ ଥିବା ସେ ଅଭିଯୋଗ କରିଛନ୍ତି। ଶେଷ ଥର ପାଇଁ ଫେବୃଆରୀ ୨୦୨୨ରେ ଗାଟୁ ଦେବୀ ବିଧବା ପେନସନ ପାଇଥିଲେ। ସେବେଠାରୁ ଫିଙ୍ଗର ପ୍ରିଣ୍ଟ ଯାଞ୍ଚ ନ ହେବା କାରଣରୁ ତାଙ୍କ ପେନସନକୁ ଅଟକାଇ ରଖାଯାଇଛି।

ସେ ରାଜ୍ୟ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟଙ୍କ ଠାରୁ ଆରମ୍ଭ କରି ବହୁ ବରିଷ୍ଠ ଅଧିକାରୀଙ୍କୁ ଚିଠି ଲେଖିବା ପରେ ମଧ୍ୟ ଏପର୍ଯ୍ୟନ୍ତ କେହି ତାଙ୍କ କଥା ବୁଝୁ ନ ଥିବା ଅଭିଯୋଗ ହୋଇଛି। ଏହି ପରିପ୍ରେକ୍ଷୀରେ, ୧୫ ମାର୍ଚ୍ଚ ୨୦୨୨ ରେ ବଞ୍ଜାରି ପଞ୍ଚାୟତ ସମିତି ଗାଟୁ ଦେବୀଙ୍କ ବିଧବା ପେନସନକୁ ବନ୍ଦ କରି ତାଙ୍କୁ ମୃତ ଘୋଷଣା କରିଥିଲେ। ଅତୀତରେ ତଳେ ପଡ଼ି ବୃଦ୍ଧ ମହିଳାଙ୍କର ଗୋଡ ଭାଙ୍ଗି ଯାଇଥିଲା। ଫଳରେ ସେ ଏବେ ଠିକ ଭାବରେ ଚାଲିବାକୁ ମଧ୍ୟ ସକ୍ଷମ ନୁହଁନ୍ତି । ଏପରିସ୍ଥଳେ ସେ ଛୋଟାଇ ଛୋଟାଇ ବିଭିନ୍ନ ସରକାରୀ କାର୍ଯ୍ୟାଳୟ ବୁଲି ନିଜକୁ ଜୀବିତ ପ୍ରମାଣ କରିବାକୁ ଚେଷ୍ଟା ଜାରି ରଖିଛନ୍ତି। ପାଖରେ ଟଙ୍କା ନ ଥିବାରୁ ତାଙ୍କ ଅବସ୍ଥା ସଙ୍କଟ ଜନକ ହେବାରେ ଲୋଗିଛି।

ପଞ୍ଚାୟତ ସମିତିର ପେନସନ କନିଷ୍ଠ କିରାଣି କହ୍ନେୟାଲାଲ କହିଛନ୍ତି, ମାତାଜୀ ଗାଟୁ ଦେବୀ ଘରେ ନ ଥିବାରୁ ଗତ ବର୍ଷ ତାଙ୍କର ଫିଙ୍ଗରପ୍ରିଣ୍ଟ ଯାଞ୍ଚ କରାଯାଇପାରି ନ ଥିଲା। ଏହି କାରଣରୁ ଭୁଲରେ ଅନଲାଇନରେ ତାଙ୍କୁ ମୃତ ଭାବେ ଦର୍ଶାଯାଇଛି। ତେଣୁ ତାଙ୍କର ପେନସନ ବନ୍ଦ ହୋଇଯାଇଛି। ପୂର୍ବରୁ ଅନଲାଇନରେ ଏକ ବିକଳ୍ପ ଥିଲା, ଯେଉଁଥିରେ ଡକ୍ୟୁମେଣ୍ଟ ଅପଲୋଡ ହେଲେ ଜଣେ ସରକାରୀ କାଗଜପତ୍ରରେ ପୁଣି ଜୀବନ୍ତ ହୋଇପାରୁଥିଲେ, କିନ୍ତୁ ବର୍ତ୍ତମାନ ସେହି ବିକଳ୍ପକୁ ହଟାଇ ଦିଆଯାଇଛି। ତାଙ୍କୁ ପୁଣି ପେନସନ ପାଇଁ ଏକ ନୂତନ ଆବେଦନ କରିବାକୁ ପଡିବ। ତାଙ୍କୁ ସରକାରୀ କାଗଜପତ୍ରରେ ପୁନର୍ଜୀବିତ କରିବାର ଅନ୍ୟ କୌଣସି ବିକଳ୍ପ ନାହିଁ।

Share