ତାଲିବାନ କବ୍‌ଜାରେ ୮୫% ଆଫଗାନିସ୍ତାନ

କାବୁଲ, ୧୦।୭: ଆଫଗାନିସ୍ତାନରୁ ଆମେରିକା ସୈନ୍ୟ ପ୍ରତ୍ୟାହାର କରୁଥିବାବେଳେ ସେଠାର ଉଗ୍ରପନ୍ଥୀ ସଂଗଠନ ତାଲିବାନ ପୁଣିଥରେ ସକ୍ରିୟ ହୋଇଉଠିଛି। ଏହାର ସଦସ୍ୟମାନେ ବିଭିନ୍ନ ଅଞ୍ଚଳ ଉପରେ ଆକ୍ରମଣ କରିବା ସହ ନିଜ ନିୟନ୍ତ୍ରଣକୁ ନେଉଛନ୍ତି। ତାଲିବାନ ଇରାନ ସୀମାନ୍ତବର୍ତ୍ତୀ ଅଞ୍ଚଳ ସମେତ ଆଫଗାନିସ୍ତାନର ୮୫ ପ୍ରତିଶତ ଅଞ୍ଚଳକୁ କବ୍‌ଜା କରିଥିବା ଶୁକ୍ରବାର ଦାବି କରିଛି। ସେନା ପ୍ରତ୍ୟାହାର ସମ୍ପର୍କରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ କଡ଼ା ବାର୍ତ୍ତା ଜାରି କରିବାର କିଛି ଘଣ୍ଟା ପରେ ତାଲିବାନ କହିଛି, ଏହାର ଯୋଦ୍ଧାମାନେ ସୀମାନ୍ତ ସହର ଇସ୍‌ଲାମ କ୍ୱାଲା ଦଖଲ କରିବା ପରେ ଇରାନ ସୀମାବର୍ତ୍ତୀ ଅଞ୍ଚଳଠାରୁ ଚାଇନା ସୀମାନ୍ତ ପର୍ଯ୍ୟନ୍ତ ସମସ୍ତ ଅଞ୍ଚଳକୁ ନିଜ କବ୍‌ଜାକୁ ନେଇଛନ୍ତି। ଆଫଗାନିସ୍ତାନର ୩୯୮ ଜିଲା ମଧ୍ୟରୁ ୨୫୦ ଜିଲାକୁ ତାଲିବାନ ନିୟନ୍ତ୍ରଣକୁ ନେଇଥିବା ମସ୍କୋଠାରେ ଏହାର ଏକ ପ୍ରତିନିଧି ଦଳ କହିଛି। ଇସ୍‌ଲାମ କ୍ୱାଲା ସୀମାନ୍ତ କ୍ରସିଂ ସମ୍ପୂର୍ଣ୍ଣ ତାଲିବାନ ନିୟନ୍ତ୍ରଣକୁ ଆସିଥିବା ଏହାର ମୁଖପାତ୍ର ଜବିହୁଲ୍ଲା ମୁଜାହିଦ ଏକ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ଅନ୍ୟପକ୍ଷରେ ଏହାକୁ ଫେରାଇ ନେବା ପାଇଁ ସଂଘର୍ଷ ଜାରି ରହିଥିବା ସରକାରୀ ଅଧିକାରୀମାନେ କହିଛନ୍ତି। ଆଫଗାନ ସୁରକ୍ଷା ବଳର ସୀମାନ୍ତ ୟୁନିଟ ସମେତ ଅନ୍ୟମାନେ ଉକ୍ତ ଅଞ୍ଚଳରେ ମୁତୟନ ରହିଛନ୍ତି ଏବଂ ଏହାକୁ ପୁଣିଥରେ ଦଖଲକୁ ନେବା ଲାଗି ଉଦ୍ୟମ ଅବ୍ୟାହତ ରହିଛି ବୋଲି ଗୃହ ମନ୍ତ୍ରଣାଳୟ ମୁଖପାତ୍ର ତାରେକ୍‌ ଆରିଆନ୍‌ କହିଛନ୍ତି।
ସୂଚନାଯୋଗ୍ୟ ଆଫଗାନିସ୍ତାନରେ ଆମେରିକା ସୈନ୍ୟ ପ୍ରାୟ ୨୦ ବର୍ଷ ହେଲା ମୁତୟନ ରହିଥିଲେ। ମିଶନ ଏହାର ଲକ୍ଷ୍ୟ ହାସଲ କରିଛି ଏବଂ ଅଗଷ୍ଟ ୩୧ରେ ଏହା ଶେଷ ହେବାକୁ ଯାଉଥିବା ବାଇଡେନ୍‌ କିଛି ସମୟ ପୂର୍ବରୁ କହିଥିଲେ। ତେବେ ଆଫଗାନ ସରକାର ସମ୍ପୂର୍ଣ୍ଣ ଦେଶକୁ ନିୟନ୍ତ୍ରଣ କରିବାରେ ସମର୍ଥ ହୋଇ ନ ପାରେ ବୋଲି ସେ ସ୍ବୀକାର କରିଥିଲେ।

 

 

 

Share