ରାୟଗଡ଼ା ଜିଲାରେ ୮୫ ଲକ୍ଷ ଜରିମାନା ଆଦାୟ

ରାୟଗଡ଼ା,୯ା୪(ସ୍ବ.ପ୍ର.): ରାଜ୍ୟ ପରିବହନ କତ୍ତୃପକ୍ଷ ଓ ପୋଲିସର ମିଳିତ ସହଯୋଗରେ ଏପ୍ରିଲ ୧ ତାରିଖରୁ ୭ ତାରିଖ ପର୍ଯ୍ୟନ୍ତ ରାଜ୍ୟବାପୀ ଶୂନ୍ୟ ମୃତାହତ ସପ୍ତାହ ପାଳନ ଚାଲିଥିଲା। ବିଭିନ୍ନ ସ୍ଥାନରେ ଟ୍ରାଫିକ୍‌ ନିୟମ ଉଲ୍ଲଂଘନକାରୀଙ୍କୁ ଧରି ଜରିମାନା ଆଦାୟ ସହ ସଚେତନ କରାଯାଉଥିଲା। ରାୟଗଡ଼ା ଜିଲା ପୋଲିସ ଓ ପରିବହନ ବିଭାଗର ମିଳିତ ଯାଞ୍ଚରେ ଏହି ୭ ଦିନରେ ୮୫ଲକ୍ଷ ୩୩ ହଜାର ଟଙ୍କା ଜରିମାନା ଆଦାୟ ହୋଇଛି। ଏଥିରେ ମୁନିଗୁଡ଼ା ଥାନା ଅଧୀନରେ ସର୍ବାଧିକ ୧୭ ଲକ୍ଷ ୯୯ ହଜାର ୫ଶହ ଟଙ୍କା ଏବଂ ପୁଟାସିଂ ଥାନାରେ ସର୍ବନିମ୍ନ ୯୦ ହଜାର ଟଙ୍କା ଜରିମାନା ଆଦାୟ କରାଯାଇଥିବା ପୋଲିସ ପକ୍ଷରୁ ସୂଚନା ମିଳିଛି।
ଜିଲାର ବିଭିନ୍ନ ସ୍ଥାନରେ ପୋଲିସ ଓ ପରିବହନ ବିଭାଗ ପକ୍ଷରୁ ଧରପଗଡ଼ ଚାଲିଥିଲଶ। ନାବାଳକ ଗାଡ଼ି ଚାଳକ, ହେଲମେଟ, ସିଟ ବେଲ୍ଟ, ଡ୍ରଙ୍କେନ ଡ୍ରାଇଭ, ଟ୍ରିପଲ ରାଇଡ଼ିଂ ଆଦି ଉପରେ ବେଶୀ ନଜର ରଖାଯାଇଥିଲା। ଜିଲାର ୧୭ଟି ଥାନା ଅଧୀନରେ ସହର, ସାହି ଓ ଛକଗୁଡ଼ିକରେ ପୋଲିସ ପକ୍ଷରୁ ଗାଡ଼ି ଚେକିଂ ଚାଲିଥିଲା। ଯାଞ୍ଚରେ ୧୧ ନାବାଳକ ଗାଡ଼ି ଚାଳକ, ୫୪ଜଣଙ୍କୁ ହାଇସ୍ପିଡ଼ ଡ୍ରାଇଭିଂ, ଓଭରଲୋଡ଼ିଂ ଓ ଦ୍ରବ୍ୟ ପରିବହନ ଗାଡ଼ିରେ ବେଆଇନ ଭାବେ ଲୋକଙ୍କୁ ନେବା ଘଟଣାରେ ୪୭ଜଣଙ୍କଠାରୁ ଜରିମାନା ଆଦାୟ କରାଯାଇଛି। ସେହିପରି ଗାଡ଼ି ଚଲାଇବା ସମୟରେ ଫୋନ୍‌ ବ୍ୟବହାର କରୁଥିବା ୯୭ଜଣ, ବିନା ଡ୍ରାଇଭିଂ ଲାଇସେନ୍ସରେ ଗାଡ଼ି ଚଲାଉଥିବା ୪୭୭ଜଣ, ବିନା ହେଲମେଟରେ ଗାଡ଼ି ଚଲାଉଥିବା ୨୭୧୭ଜଣ, ଟ୍ରିପଲ ରାଇଡ଼ ପାଇଁ ୩୯୯ଜଣ, ଟ୍ରାଫିକ ନିୟମ ଅବମାନନାରେ ୧୦୮୩, ସିଟବେଲ୍ଟ ପାଇଁ ୧୩୯୩ଜଣଙ୍କ ଠାରୁ ଜରିମାନା ଆଦାୟ କରାଯାଇଥିବା ବେଳେ ୪୮୯ଜଣଙ୍କ ଡ୍ରାଇଭିଂ ଲାଇସେନ୍ସ ରଦ୍ଦ କରାଯାଇଛି। ଗାଡ଼ି ମୋଟର ଯାଞ୍ଚରେ ଅମ୍ବାଦଳା ଥାନାରେ ୬ ଲକ୍ଷ ୭୨ହଜାର ୫ଶହ ଟଙ୍କା, ବିଷମକଟକ ଥାନାରେ ୬ ଲକ୍ଷ ୧୧ ହଜାର ୫ଶହ ଟଙ୍କା, ଚାନ୍ଦିଲି ଥାନାରେ ୪ଲକ୍ଷ ୯୪ ହଜାର ଟଙ୍କା, ଚନ୍ଦ୍ରପୁର ଥାନାରେ ୨ ଲକ୍ଷ ୧୬ ହଜାର ୫ଶହ ଟଙ୍କା, କାଶୀପୁର ଥାନାରେ ୩ ଲକ୍ଷ ୨୧ହଜାର ଟଙ୍କା, ଦୋରାଗୁଡ଼ା ଥାନାରେ ୩ ଲକ୍ଷ ୪୦ ହଜାର ୫ ଶହ ଟଙ୍କା, ଟିକିରି ଥାନାରେ ୫ଲକ୍ଷ ୨୩ ହଜାର ଟଙ୍କା, ଅଣ୍ଡିରକାଂଚ ଥାନାରେ ୧ଲକ୍ଷ ୬ହଜାର ଟଙ୍କା, କଲ୍ୟାଣସିଂହପୁର ଥାନାରେ ୩ ଲକ୍ଷ ୪୨ ହଜାର ୫ଶହ ଟଙ୍କା ଓ ପଦ୍ମପୁର ଥାନାରେ ୩ ଲକ୍ଷ ୧୮ ହଜାର ୫ଶହ ଟଙ୍କା ଜରିମାନା ଆଦାୟ କରାଯାଇଛି ା ସେହିଭଳି ଗୁଣପୁର ଥାନାରେ ୬ଲକ୍ଷ ୨୧ହଜାର, ରାମନାଗୁଡ଼ା ଥାନାରେ ୪ଲକ୍ଷ ୮୦ ହଜାର ୫ଶହ ଟଙ୍କା, ରାୟଗଡ଼ା ଥାନାରେ ୮ଲକ୍ଷ ୯୮ ହଜାର, ଶେଷଖାଲ ଥାନାରେ ୨ଲକ୍ଷ ୯୫ ହଜାର ଟଙ୍କା ଏବଂ ଗୁଡ଼ାରି ଥାନାରେ ୪ ଲକ୍ଷ ୩ ହଜାର ଟଙ୍କା ଜରିମାନା ଆଦାୟ କରାଯାଇଛି।