Categories: ଫୁରସତ

ଗୋଟିଏ କମ୍ପାନୀରେ ୮୪ ବର୍ଷ

ବୟସ ୧୦୦ ବର୍ଷ। ତଥାପି ସେ ଅଫିସ୍‌ ଯାଉଛନ୍ତି, ନିଷ୍ଠାର ସହ କାମ କରୁଛନ୍ତି। ସେପୁଣି ଗୋଟିଏ ଅଫିସ୍‌ରେ ଦୀର୍ଘ ୮୪ ବର୍ଷ ଧରି ଅର୍ଥାତ୍‌ ୧୯୩୮ରୁ ଆଜିଯାଏଁ କାମ କରି ଆସୁଛନ୍ତି। ତେଣୁ ତାଙ୍କ ନାମ ପୃଥିବୀର ସବୁଠାରୁ ଅନୁଗତ କର୍ମଚାରୀଭାବେ ଗିନିଜ ଓ୍ବାର୍ଲଡ ରେକର୍ଡସ୍‌ରେ ସ୍ଥାନ ପାଇଛି। ଏହି ନିଷ୍ଠାବାନ ବ୍ୟକ୍ତି ଜଣକ ହେଉଛନ୍ତି ବ୍ରାଜିଲର ଓ୍ବଲ୍ଟର ଓର୍ଥମ୍ୟାନ। ଜାନୁୟାରୀ ୧୭, ୧୯୩୮ ବ୍ରୁସ୍କରେ ଥିବା ଇଣ୍ଡଷ୍ଟ୍ରିଆସ୍‌ ରିନକ୍ସ ନାମକ ଟେକ୍ସଟାଇଲ୍‌ କମ୍ପାନୀର ଶିପିଂ ଡିପାର୍ଟମେଣ୍ଟରେ ସେ ଆସିଷ୍ଟାଣ୍ଟଭାବେ କାମ କରିବା ଆରମ୍ଭ କରିଥିଲେ। ସେତେବେଳେ ତାଙ୍କୁ ବୟସ ମାତ୍ର ୧୫ ବର୍ଷ ହୋଇଥିଲା। ପରେ ନିଷ୍ଠାର ସହ କାମ କରି ଅନେକ ପଦୋନ୍ନତି ପାଇଲେ। କିଛି ବର୍ଷ ହେବ ସେ ସେଲ୍ସ ମ୍ୟାନେଜର ଭାବେ କାମ କରୁଛନ୍ତି। ସେଲ୍ସ ଟ୍ରିପ୍‌ରେ ଓ୍ବଲ୍ଟର ପ୍ରାୟ ସାରା ପୃଥିବୀ ଭ୍ରମଣ କରିଛନ୍ତି। ଏବେ ସେ ୧୦୦ ବର୍ଷରେ ଉପନୀତ ହୋଇସାରିଛନ୍ତି। ତଥାପି ସେ ଚାକିରି ଛାଡି ଅବସର ନେବା କଥା ଭାବି ନାହାନ୍ତି। ଯେତେଦିନ ଯାଏ ତାଙ୍କ ହାତ ଗୋଡ କାମ କରୁଥିବ ସେ ନ ବସି ଅଫିସ୍‌ ଯିବେ। ଆଉ କାମ କରିବେ ବୋଲି କହନ୍ତି। ଏଇ ନିଷ୍ଠା ପାଇଁ ହିଁ ସେ ତାଙ୍କ ଅଫିସ୍‌ରେ ସମସ୍ତଙ୍କର ପ୍ରିୟ।

Share