Categories: ଜାତୀୟ

ଜାମିନ ଶୁଣାଣିର ୧ ଘଣ୍ଟା ପୂର୍ବରୁ ଆଖି ବୁଜିଲେ ଷ୍ଟାନ୍‌ ସ୍ବାମୀ

ମୁମ୍ବାଇ, ୫।୭: ଭୀମା କୋରେଗାଁଓ-ଏଲ୍‌ଗାର ପରିଷଦ ମାମଲାରେ ବିଚାରାଧୀନ କଏଦୀ ଥିବା ୮୪ ବର୍ଷୀୟ ଆଦିବାସୀ ଅଧିକାର କର୍ମୀ ଫାଦର ଷ୍ଟାନ୍‌ ସ୍ବାମୀଙ୍କ ସୋମବାର ପରଲୋକ ହୋଇଯାଇଛି। ଗୁରୁତର ଅସୁସ୍ଥ ଥିବା ସ୍ବାମୀଙ୍କୁ ଅଦାଲତଙ୍କ ନିର୍ଦ୍ଦେଶକ୍ରମେ ମୁମ୍ବାଇର ହୋଲି ଫାମିଲି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଅସୁସ୍ଥତା କାରଣରୁ ତାଙ୍କୁ ଜାମିନରେ ଛଡ଼ାଯିବାକୁ ସ୍ବାମୀଙ୍କ ଓକିଲ ବମ୍ବେ ହାଇକୋର୍ଟରେ ଆବେଦନ କରିଥିଲେ।
ଭୀମା କୋରେଗାଁଓ- ଏଲ୍‌ଗାର ପରିଷଦ ମାମଲାରେ ତାଙ୍କୁ ୨୦୨୦ ଅକ୍ଟୋବର ୮ରେ ବେଆଇନ କାର୍ଯ୍ୟକଳାପ ପ୍ରତିକାର ଆଇନ (ୟୁଏପିଏ)ରେ ଗିରଫ କରାଯାଇଥିଲା। ଜାତୀୟ ତଦନ୍ତକାରୀ ସଂସ୍ଥା (ଏନ୍‌ଆଇଏ) ଦ୍ୱାରା ୟୁଏପିଏରେ ଗିରଫ ହେବାରେ ଷ୍ଟାନ୍‌ ସ୍ବାମୀ ହେଉଛନ୍ତି ଶେଷ ରାଜନୈତିକ ଭିନ୍ନ ମତବାଦୀ। ହସ୍ପିଟାଲରେ ଭର୍ତ୍ତି ହେବା ପୂର୍ବରୁ ସ୍ବାମୀ ୮ ମାସ ହେଲା ତାଲୋଜା କେନ୍ଦ୍ରୀୟ ଜେଲ୍‌ରେ ରହିଥିଲେ। ସେଠାରେ ତାଙ୍କ ସ୍ବାସ୍ଥ୍ୟାବସ୍ଥାରେ ଗୁରୁତର ଅବନତି ଦେଖାଦେଇଥିଲା।

ସୋମବାର ଅପରାହ୍ନରେ ଷ୍ଟାନ୍‌ ସ୍ବାମୀଙ୍କ ଜାମିନ ଶୁଣାଣି ଥିଲା। ଜଷ୍ଟିସ ଏସ୍‌.ଏସ୍‌. ସିନ୍ଦେ ଏବଂ ଏନ୍‌.ଜେ. ଜମାଦାରଙ୍କୁ ନେଇ ଗଠିତ ଖଣ୍ଡପୀଠ ଜାମିନ ଆବେଦନର ଶୁଣାଣି କରିଥାନ୍ତେ। ତେବେ ଏହାର ପ୍ରାୟ ଏକଘଣ୍ଟା ପୂର୍ବରୁ ସ୍ବାମୀ ଆଖି ବୁଜିଥିଲେ। କୋର୍ଟରେ ଶୁଣାଣି ବେଳେ ସ୍ବାମୀଙ୍କୁ ଚିକିତ୍ସା କରୁଥିବା ଡାକ୍ତର କିଛି କହିବାକୁ ଚାହାନ୍ତି ବୋଲି ଜଣାଇଥିଲେ। ଅତ୍ୟନ୍ତ ଦୁଃଖର ସହ ଅଦାଲତଙ୍କୁ ଜଣାଇବାକୁ ପଡ଼ୁଛି ଯେ, ଫାଦର ଷ୍ଟାନ୍‌ ସ୍ବାମୀ ଆଉ ନାହାନ୍ତି ବୋଲି ହୋଲି ଫାମିଲି ହସ୍ପିଟାଲର ଡାକ୍ତର ଡି ସୌଜା କହିଥିଲେ। ସ୍ବାମୀଙ୍କ ପରଲୋକ ଖବରରେ ଖଣ୍ଡପୀଠ ଦୁଃଖ ପ୍ରକାଶ କରିଥିଲେ।

Share