ଆନନ୍ଦପୁର ମୁଖ୍ୟ ଚିକିତ୍ସାଳୟର ସଫେଇ କର୍ମଚାରୀଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ

ଆନନ୍ଦପୁର,୧୨।୯(ସ୍ବ.ପ୍ର.) : କେନ୍ଦୁଝର ଜିଲା ଆନନ୍ଦପୁର ମୁଖ୍ୟ ଚିକିତ୍ସାଳୟଠାରେ ନିୟୋଜିତ ଠିକାସଂସ୍ଥାର ସଫେଇ କର୍ମଚାରୀମାନେ ଗୁରୁବାର ପୂର୍ବାହ୍ନରେ କାର୍ଯ୍ୟବନ୍ଦ ଆନ୍ଦୋଳନ କରିଛନ୍ତି। ଠିକ୍‌ ସମୟରେ ଦରମା କିମ୍ବା ଅଗ୍ରୀମ ଟଙ୍କା ନ ମିଳିବାରୁ କର୍ମଚାରୀମାନେ ଏହି ଆନ୍ଦୋଳନ କରିଛନ୍ତି। ଦୀର୍ଘ ଦେଢ଼ମାସ ତଳେ ନିର୍ମଳ ଯୋଜନାରେ ଏକ ଠିକାସଂସ୍ଥା ଅଧୀନରେ ସଫେଇ କାର୍ଯ୍ୟରେ କର୍ମଚାରୀମାନେ ନିୟୋଜିତ ହୋଇଥିଲେ। ସଂସ୍ଥାର କର୍ମଚାରୀଙ୍କ ପ୍ରତି ଖାମଖିଆଲି ମନୋଭାବ ଯୋଗୁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଥିବା ଅଭିଯୋଗ ହୋଇଛି। ଠିକାସଂସ୍ଥା କର୍ତ୍ତୃପକ୍ଷ ଅନୁପସ୍ଥିତ ଥିବାରୁ ଯୋଗାଯୋଗ ହୋଇପାରିନି। ଅନ୍ୟପକ୍ଷରେ ମେଡିକାଲ ପରିସରରେ ସଫେଇ କାର୍ଯ୍ୟ ହୋଇ ନ ପାରି ଅପରିଷ୍କାର ପରିବେଶ ସୃଷ୍ଟି ହୋଇଛି। ଡାକ୍ତରଖାନାରେ ଏଭଳି ଅବସ୍ଥାକୁ ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି।