Categories: ଜାତୀୟ

ଦେଶରେ ଦୈନିକ ୮୨ ମର୍ଡର

ନୂଆଦିଲ୍ଲୀ,୧।୯: ଭାରତରେ ୨୦୨୧ରେ ଦୈନିକ ହାରାହାରି ୮୨ ଜଣଙ୍କୁ ହତ୍ୟା କରାଯାଇଥିବା ଜାତୀୟ ଅପରାଧ ରେକର୍ଡ ବ୍ୟୁରୋ (ଏନ୍‌ସିଆର୍‌ବି) ରିପୋର୍ଟରୁ ଜଣାପଡ଼ିଛି। ପ୍ରତି ୧ ଲକ୍ଷ ଜନସଂଖ୍ୟାରେ ଦେଖିଲେ ହତ୍ୟାକାଣ୍ଡ ହାର ଝାଡ଼ଖଣ୍ଡରେ ସର୍ବାଧିକ ୪.୧ ରହିଛି। ଦିଲ୍ଲୀରେ ହତ୍ୟାକାଣ୍ଡ ହାର ୨.୨ ରହିଥିବା ରିପୋର୍ଟରେ ଦର୍ଶାଯାଇଛି।
ଏନ୍‌ସିଆର୍‌ବି ରିପୋର୍ଟ ଅନୁଯାୟୀ ୨୦୨୧ରେ ଦେଶରେ ମୋଟ ୨୯,୨୭୨ ହତ୍ୟା ମାମଲାରେ ୩୦,୧୩୨ ଜଣଙ୍କ ଜୀବନ ଯାଇଛି। ଏହା ପୂର୍ବବର୍ଷ ତୁଳନାରେ ୦.୩ ପ୍ରତିଶତ ଅଧିକ। ୨୦୨୦ରେ ଦେଶରେ ମୋଟ ହତ୍ୟାକାଣ୍ଡ ସଂଖ୍ୟା ୨୯,୧୯୩ ଥିଲା। ଉତ୍ତରପ୍ରଦେଶରେ ସର୍ବାଧିକ ୩,୭୩୭ ହତ୍ୟା ମାମଲା ରୁଜୁ ହୋଇଥିବାବେଳେ ୩,୮୨୫ ଲୋକଙ୍କ ଜୀବନ ଯାଇଛି।

ଏହା ପଛକୁ ବିହାର, ମହାରାଷ୍ଟ୍ର, ମଧ୍ୟପ୍ରଦେଶ ଓ ପଶ୍ଚିମବଙ୍ଗ ରହିଛି। ବିବାଦ କାରଣରୁ ସର୍ବାଧିକ ୯,୭୬୫ ହତ୍ୟାକାଣ୍ଡ ଘଟିଥିବାବେଳ ବ୍ୟକ୍ତିଗତ ଶତ୍ରୁତା କିମ୍ବା ଷଡ଼ଯନ୍ତ୍ରରୁ ୩,୭୮୨ ଏବଂ ଆର୍ଥତ୍କ କାରବାରକୁ ନେଇ ୧,୬୯୨ ହତ୍ୟାକାଣ୍ଡ ଘଟିଥିବା ଉକ୍ତ ବାର୍ଷିକ ରିପୋର୍ଟରୁ ଜଣାପଡ଼ିଛି।

୨୦୨୧ରେ ଓଡ଼ିଶାରେ ମୋଟ ୧,୩୯୪ ହତ୍ୟାକାଣ୍ଡ ଘଟିଛି। ବର୍ଷକ ପୂର୍ବରୁ ଅର୍ଥାତ୍‌ ୨୦୨୦ରେ ରାଜ୍ୟରେ ୧,୪୭୦ ହତ୍ୟାକାଣ୍ଡ ଘଟିଥିବାବେଳେ ୨୦୧୯ରେ ଏହି ସଂଖ୍ୟା ଥିଲା ୧,୩୫୬। ରାଜ୍ୟରେ ରାଜନୈତିକ ଉଦ୍ଦେଶ୍ୟ ରଖି ୨ ଜଣଙ୍କୁ ହତ୍ୟା କରାଯାଇଥିବାବେଳେ ପ୍ରେମ ବ୍ୟାପାରକୁ ନେଇ ୬୭ ଜଣଙ୍କୁ ହତ୍ୟା କରାଯାଇଥିବା ଜଣାପଡ଼ିଛି। ଏହା ବ୍ୟତୀତ ବିଭିନ୍ନ ବିବାଦରୁ ୬୮୪ ଜଣଙ୍କୁ ମାରିଦିଆଯାଇଥିବାବେଳେ ଜମିଜମା ବିବାଦରେ ୧୧୧ ଜଣ ହତ୍ୟାର ଶିକାର ହୋଇଛନ୍ତି। ପାରିବାରିକ ବିବାଦ ୫୩୫ ଜୀବନ ନେଇଥିବାବେଳେ ଛୋଟମୋଟ ଗଣ୍ଡଗୋଳରେ ୨୬, ଆର୍ଥିକ ବିବାଦରୁ ୧୨ ଏବଂ ଅନ୍ୟାନ୍ୟ କାରଣରୁ ୨୦୫ ଜଣଙ୍କ ଜୀବନ ଯାଇଛି। ଓଡ଼ିଶାରେ ଗତବର୍ଷ ୩ ନାବାଳକ ଓ ୬ ନାବାଳିକା ହତ୍ୟାକାଣ୍ଡର ଶିକାର ହୋଇଥିବାବେଳେ ୧୮ରୁ ୩୦ ବର୍ଷ ବୟସ ମଧ୍ୟରେ ସର୍ବାଧିକ ୫୬୫ ପୁରୁଷ ଓ ୪୭୩ ମହିଳାଙ୍କ ଜୀବନ ଯାଇଛି। ୩୦ରୁ ୪୫ ବର୍ଷ ବୟସ ବର୍ଗରେ ୧୮୭ ପୁରୁଷ ଓ ୯୭ ମହିଳାଙ୍କୁ ହତ୍ୟା କରାଯାଇଥିବାବେଳେ ୪୫ରୁ ୬୦ ବର୍ଷ ବୟସ ବର୍ଗରେ ୪୮ ପୁରୁଷ ଓ ୨୪ ମହିଳା ଏବଂ ୬୦ ବର୍ଷରୁ ଊର୍ଦ୍ଧ୍ୱ ବୟସ ବର୍ଗରେ ୪ ପୁରୁଷ ଓ ୪ ମହିଳା ହତ୍ୟାର ଶିକାର ହୋଇଥିବା ରିପୋର୍ଟରୁ ଜଣାପଡ଼ିଛି।

Share