Categories: ଜାତୀୟ

ଜାତୀୟ ଦଳଙ୍କ ଅଜଣା ଆୟର ୮୨.୪୨% ଇଲେକ୍ଟୋରାଲ ବଣ୍ଡ୍‌ରୁ: ଏଡିଆର୍‌

ନୂଆଦିଲ୍ଲୀ,୮।୩(ପି.ଟି.):୨୦୨୨-୨୩ ଆର୍ଥିକ ବର୍ଷରେ ଜାତୀୟ ଦଳଗୁଡ଼ିକ ଘୋଷଣା କରିଥିବା ଅଜଣା ସୂତ୍ର ଆୟର ୮୨.୪୨% ଇଲେକ୍ଟୋରାଲ ବଣ୍ଡ୍‌ରୁ ଆସିଥିବା ଆସୋସିଏଶନ ଫର୍‌ ଡେମୋକ୍ରାଟିକ୍‌ ରିଫମର୍‌ସ (ଏଡିଆର୍‌) ପକ୍ଷରୁ କୁହାଯାଇଛି। ଜାତୀୟ ଦଳଗୁଡ଼ିକର ଅଡିଟ୍‌ ରିପୋର୍ଟ ଏବଂ ନିର୍ବାଚନ କମିଶନଙ୍କ ନିକଟରେ ସେମାନେ ଦାଖଲ କରିଥିବା ଚାନ୍ଦା ବିବରଣୀକୁ ବିଶ୍ଳେଷଣ କରାଯିବା ପରେ ଉପରୋକ୍ତ ତଥ୍ୟ ମିଳିଛି। ଉକ୍ତ ବର୍ଷ ଅଜଣା ସୂତ୍ରରୁ ଜାତୀୟ ଦଳଗୁଡ଼ିକ ମୋଟ ୧,୮୩୨.୮୮ କୋଟି ଟଙ୍କା ପାଇଛନ୍ତି। ସେଥିରୁ ଇଲେକ୍ଟୋରାଲ ବଣ୍ଡ୍‌ରୁ ମିଳିଥିବା ଅର୍ଥ ପରିମାଣ ୧,୫୧୦ କୋଟି ଟଙ୍କା ବା ୮୨.୪୨ ପ୍ରତିଶତ ବୋଲି ଏଡିଆର୍‌ ପକ୍ଷରୁ ଏକ ବିବୃତିରେ କୁହାଯାଇଛି। ଏହି ଅଧ୍ୟୟନ ପାଇଁ ୬ଟି ଜାତୀୟ ଦଳ ଭାଜପା, କଂଗ୍ରେସ, ସିପିଆଇ(ଏମ୍‌), ବିଏସ୍‌ପି, ଆମ୍‌ ଆଦ୍‌ମୀ ପାର୍ଟି (ଏଏପି) ଏବଂ ନ୍ୟାଶନାଲ ପିପୁଲ୍‌ସ ପାର୍ଟ (ଏନ୍‌ପିଇପି)କୁ ବିଚାରକୁ ନିଆଯାଇଥିଲା। ଭାଜପା ଅଜଣା ସୂତ୍ରରୁ ସର୍ବାଧିକ ୧,୪୦୦ କୋଟି ଟଙ୍କା ପାଇଛି, ଯାହା କି ଜାତୀୟ ଦଳର ମୋଟ ଆୟର ୭୬.୩୯ ପ୍ରତିଶତ। ସେହିପରି କଂଗ୍ରେସ ଏହାର ଅଜଣା ଉତ୍ସରୁ ଆୟ ପରିମାଣ ୩୧୫.୧୧କୋଟି ଟଙ୍କା (୧୭.୧୯%) ଘୋଷଣା କରିଛି। ବିଏସ୍‌ପି ସ୍ବେଚ୍ଛାକୃତ ଦାନ କୁପନ୍‌ କିମ୍ବା ଇଲେକ୍ଟୋରାଲ ବଣ୍ଡ୍‌ ବିକ୍ରିରୁ ଅଥବା ଅଜଣା ସୂତ୍ରରୁ ପାଇ ନ ଥିବା ଜଣାଇଛି। ବିଏସ୍‌ପି ବ୍ୟାଙ୍କ ସୁଧ, ସଦସ୍ୟତା ଦେୟ, ଅସ୍ଥାବର ସମ୍ପତ୍ତି ବିକ୍ରି ଏବଂ ଆୟକର ରିଫଣ୍ଡରୁ ୨୯.୨୭ କୋଟି ଟଙ୍କା ପାଇଥିବା ଦର୍ଶାଇଛି। କୁପନ ବିକ୍ରିରୁ କଂଗ୍ରେସ ଏବଂ ସିପିଆଇ(ଏମ୍‌) ମୋଟ ୧୩୬.୭୯ କୋଟି ଟଙ୍କା ପାଇଥିବା ଘୋଷଣା କରିଛନ୍ତି, ଯାହାକି ଅଜଣା ସୂତ୍ର ଆୟର ୭.୪୬ ପ୍ରତିଶତ। ୨୦୨୨-୨୩ ଆର୍ଥତ୍କ ବର୍ଷରେ ଜାତୀୟ ଦଳଗୁଡ଼ିକର ମୋଟ ଆୟ ୩,୦୭୬.୮୮ କୋଟି ଟଙ୍କା ଥିଲା ବୋଲି ଏଡିଆର୍‌ ରିପୋର୍ଟରେ କୁହାଯାଇଛି। ରାଜ୍ୟ ଦଳଗୁଡ଼ିକ ମଧ୍ୟ ସେମାନଙ୍କ ଆୟର ଏକ ବଡ଼ ପରିମାଣ ଇଲେକ୍ଟୋରାଲ ବଣ୍ଡ୍‌ରୁ ପାଇଥିବା ଏଡିଆର୍‌ କହିଛି। ୨୦୦୪-୦୫ରୁ ୨୦୨୨-୨୩ ଆର୍ଥତ୍କ ବର୍ଷରେ ଜାତୀୟ ଦଳଗୁଡ଼ିକ ଅଜଣା ସୂତ୍ରରୁ ମୋଟ ୧୯,୦୮୩ କୋଟି ଟଙ୍କା ପାଇଛନ୍ତି।

Share