ସିସିଟିଭି ସର୍ଭେଲାନ୍ସରେ ୮୧ କେନ୍ଦ୍ର

ଢେଙ୍କାନାଳ ଅଫିସ,୧୦।୩: ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଶୁକ୍ରବାରଠାରୁ ଆରମ୍ଭ ହେଉଛି ସମ୍ମେଟିଭ୍‌ ଆସେସମେଣ୍ଟ (ଏସ୍‌ଏ-୨)। ଢେଙ୍କାନାଳ ଜିଲାର ୯୬ କେନ୍ଦ୍ରରେ ମୋଟ ୧୬,୧୧୫ ରେଗୁଲାର ଏବଂ ଏକ୍ସ-ରେଗୁଲାର ପରୀକ୍ଷାର୍ଥୀ ପରୀକ୍ଷା ଦେବେ। ସେହିପରି ୧୦ ଜଣ ମଧ୍ୟମା ଏବଂ ୧୬୦ ଜଣ ଷ୍ଟେଟ୍‌ ଓପନ ସ୍କୁଲ ସାର୍ଟିଫିକେଟ୍‌ (ଏସ୍‌ଓଏସ୍‌ସି) ପରୀକ୍ଷାର୍ଥୀ ଗୋଟିଏ କେନ୍ଦ୍ରରେ ପରୀକ୍ଷା ଦେବେ। ପରୀକ୍ଷା ସୁପରିଚାଳନା ଲାଗି ଭୁବନ ବ୍ଲକରେ ୧୧, ଢେଙ୍କାନାଳରେ ୧୬, ଗଁଦିଆରେ ୧୨, ହିନ୍ଦୋଳରେ ୧୩, କାମାକ୍ଷାନଗରରେ ୧୨, କଙ୍କଡ଼ାହାଡ଼ରେ ୮, ଓଡ଼ାପଡ଼ାରେ ୧୩ ଏବଂ ପରଜଙ୍ଗ ବ୍ଲକରେ ୧୧ଟି କେନ୍ଦ୍ର କରାଯାଇଛି। ଏଥିସହ ଏସ୍‌ଓଏସ୍‌ସି ପରୀକ୍ଷାର୍ଥୀଙ୍କ ପାଇଁ ଢେଙ୍କାନାଳରେ ଗୋଟିଏ କେନ୍ଦ୍ର ହୋଇଛି। ସମସ୍ତ ପ୍ରକାର ଅପ୍ରୀତିକର ସ୍ଥିତି ଏଡ଼ାଇବାକୁ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ସିସିଟିଭି ସର୍ଭେଲାନ୍ସରେ ୮୧ କେନ୍ଦ୍ର ରହିଛି।
ଏହାକୁ ବାଦ୍‌ଦେଲେ ପ୍ରଶ୍ନ ଓ ଉତ୍ତର ପତ୍ର ରଖିବା ନିମନ୍ତେ ଭୁବନ, ଗଁଦିଆ, ହିନ୍ଦୋଳ, କାମାକ୍ଷାନଗର, ଓଡ଼ାପଡ଼ା ଓ ପରଜଙ୍ଗ ବ୍ଲକରେ ଗୋଟିଏ ଲେଖାଏ ଏବଂ ଢେଙ୍କାନାଳ ଓ କଙ୍କଡ଼ାହାଡ଼ ବ୍ଲକରେ ୨ଟି ଲେଖାଏ ସେଣ୍ଟର ହୋଇଛି। କଡ଼ା ପୋଲିସ ସୁରକ୍ଷା ବଳୟରେ ନୋଡାଲ ସେଣ୍ଟରରୁ ପ୍ରଶ୍ନପତ୍ର ଏବଂ ଉତ୍ତର ପତ୍ର ନେବା ଆଣିବା କରାଯିବ। ଏଥିରେ ମାଜିଷ୍ଟ୍ରେଟ ମୁତୟନ ହେବେ। କପି ରୋକିବା ଲାଗି ପ୍ରତି ବିଡିଓଙ୍କ ନେତୃତ୍ୱରେ ସ୍କ୍ବାଡ୍‌ ଗଠନ ହୋଇଛି। ଜିଲା ଶିକ୍ଷା ବିଭାଗ ପକ୍ଷରୁ ୩ଟି ଏବଂ ରାଜ୍ୟ ପକ୍ଷରୁ ଗୋଟିଏ ସ୍କ୍ବାଡ୍‌ ବ୍ୟବସ୍ଥା କରାଯାଇଛି। ଜିଲାପାଳ ଓ ଏସ୍‌ପି ମଧ୍ୟ ଅଚାନକ ପରୀକ୍ଷା କେନ୍ଦ୍ର ପରିଦର୍ଶନ କରିବେ ବୋଲି ଜିଲା ଶିକ୍ଷାଧିକାରୀ ନିବେଦିତା ପାଣି ସୂଚନା ଦେଇଛନ୍ତି।
ପ୍ରଥମ ଦିନ ପୂର୍ବାହ୍ନ ୮ଟାରୁ ୧୦ଟା ଯାଏ ମାତୃଭାଷା ଓଡ଼ିଆ ବିଷୟରେ ପରୀକ୍ଷା ହେବ। ଆସନ୍ତା ୨୦ ତାରିଖ ଯାଏ ପରୀକ୍ଷା ଚାଲିବ ବୋଲି ଜିଲା ଶିକ୍ଷା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।