୮୦% ଭିନ୍ନକ୍ଷମ ସୁନୀଲଙ୍କୁ ମିଳୁନି ଭତ୍ତା: ପଚାରିବାରୁ ସରପଞ୍ଚଙ୍କ ଦେଲେ ଏଭଳି ମନ୍ତବ୍ୟ, କହିଲେ ମୋ ନିଜ ଭାଉଜଙ୍କର ମଧ୍ୟ…

ଥୁଆମୂଳ ରାମପୁର, ୨୭ା୫ (ଦୁର୍ଗା କୀର୍ତ୍ତି): ସରକାର ଗରିବ, ଅସହାୟ ଓ ଭିନ୍ନକ୍ଷମମାନଙ୍କ ସାମାଜିକ ସୁରକ୍ଷା ପାଇଁ କୋଟି କୋଟି ଟଙ୍କାର ଯୋଜନା ପ୍ରଣୟନ କରୁଥିବା ବେଳେ, ଦୁର୍ଗମ ଅଞ୍ଚଳରେ ଏହା କେବଳ ପ୍ରହସନ ପାଲଟିଛି। ପ୍ରଶାସନିକ ଅବହେଳା ଓ ସ୍ଥାନୀୟ ପ୍ରତିନିଧିଙ୍କ ଆନ୍ତରିକତାର ଅଭାବ ଯୋଗୁ ଜଣେ ୮୦ ପ୍ରତିଶତ ଭିନ୍ନକ୍ଷମ ଶିଶୁ ସରକାରୀ ସହାୟତାରୁ ବଞ୍ଚିତ ହୋଇ ଦୁର୍ଦ୍ଦଶା ଭୋଗୁଥିବା ଭଳି ଏକ ସ୍ପର୍ଶକାତର ସମସ୍ୟା ସାମ୍ନାକୁ ଆସିଛି। କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ଓଡ୍ରି ପଞ୍ଚାୟତର ଟାଙ୍ଗରି ଗ୍ରାମର ଏହି ଦୃଶ୍ୟ ସରକାରୀ ବ୍ୟବସ୍ଥାର ଅସଲ ଚେହେରାକୁ ପଦାରେ ପକାଇ ଦେଇଛି।
ଗ୍ରାମର ଉଦେ ମାଝୀଙ୍କ ୭ ବର୍ଷର ପୁଅ ସୁନୀଲ ମାଝୀ ଜନ୍ମରୁ ଜଣେ ଗୁରୁତର ‘ସେରିବ୍ରାଲ ପାଲ୍ସି’ (Cerebral Palsy) ଆକ୍ରାନ୍ତ ଶିଶୁ। ମୁଖ୍ୟ ଚିକିତ୍ସା ଅଧିକାରୀଙ୍କ ଦ୍ୱାରା ପ୍ରଦତ୍ତ ପ୍ରମାଣପତ୍ର (Certificate No: OD3560720190031814) ଅନୁଯାୟୀ ସୁନୀଲ ୮୦ ପ୍ରତିଶତ ସ୍ଥାୟୀ ଭିନ୍ନକ୍ଷମ ଅଟନ୍ତି। ପ୍ରଶାସନ ପକ୍ଷରୁ ତାଙ୍କୁ ଏକ ହୁଇଲ ଚେୟାର ତ ମିଳିଛି, ହେଲେ ଆଶ୍ଚର୍ଯ୍ୟର କଥା ଯେ ଆଜି ପର୍ଯ୍ୟନ୍ତ ତାଙ୍କୁ ନା ମିଳିଛି ମାସିକ ଭିନ୍ନକ୍ଷମ ଭତ୍ତା ନା ମିଳିଛି ମୁଣ୍ଡ ଗୁଞ୍ଜିବା ପାଇଁ ଖଣ୍ଡେ ସରକାରୀ ଆବାସ ଗୃହ।

ଏହି ସମ୍ବେଦନଶୀଳ ଘଟଣା ସମ୍ପର୍କରେ ଯେତେବେଳେ ଗଣମାଧ୍ୟମ ପ୍ରତିନିଧି ଓଡ୍ରି ଗ୍ରାମ ପଞ୍ଚାୟତର ସରପଞ୍ଚ ନାନ୍ଦେଇ ମାଝୀଙ୍କୁ ପଚାରିଥିଲେ, ସେ ନିଜର ଦୋଷ ଲୁଚାଇବାକୁ ଯାଇ ଓଲଟା ଖବରଦାତାଙ୍କ ଉପରେ ଚିହିଁକି ଉଠିଥିଲେ। ରାଗରେ ସେ କହିଥିଲେ, “ଆମେ କଣ କମ୍ପ୍ୟୁଟର ଜାଣିଛୁ କି ଅନଲାଇନ କରିବୁ? ଆମେ ତ ଲୋକଙ୍କୁ ଅନଲାଇନ ଆବେଦନ କରିବାକୁ କହୁଛୁ। ମୋ ନିଜ ଭାଉଜଙ୍କର ମଧ୍ୟ ଏପର୍ଯ୍ୟନ୍ତ ବିଧବା ଭତ୍ତା ହୋଇପାରିନାହିଁ। ମୁଁ କହିଲା କଥା କେଉଁଠି ଚଳୁଛି ଯେ? ଆଜିର ସମୟରେ ସବୁ କାମ ଅନଲାଇନରେ ହେଉଛି। ବିଏସଏସଓ (BSSO) କିମ୍ବା ବିଡ଼ିଓ (BDO)ଙ୍କୁ କହିଲେ ମଧ୍ୟ ଆମ କଥା ଶୁଣୁନାହାନ୍ତି।” ଏପରିକି ସେ ଗଣମାଧ୍ୟମ ପ୍ରତିନିଧିଙ୍କୁ ଆକ୍ଷେପ କରି କହିଥିଲେ, “ଆପଣ ଯଦି ଏତେ କହୁଛନ୍ତି, ତେବେ ନିଜେ ଭତ୍ତା କରାଇ ଦିଅନ୍ତୁ, ଆମକୁ କାହିଁକି କହୁଛନ୍ତି? ଆମେ ଆମ କାମ କରୁଛୁ, ଆପଣ ସବୁ ମିଛ ଖବର କରୁଛନ୍ତି।” ସରପଞ୍ଚଙ୍କ ଦାବି ଅନୁଯାୟୀ, ତାଙ୍କ କହିବା ପରେ ସେହି ଭିନ୍ନକ୍ଷମ ଶିଶୁର ବାପା ଅନଲାଇନରେ ଆବେଦନ କରିସାରିଛନ୍ତି। ସରପଞ୍ଚଙ୍କ ଏହି ଦାବି କେତେ ସତ୍ୟ, ତାହା ଜାଣିବା ପାଇଁ ଯେତେବେଳେ ସରକାରଙ୍କ ଅଫିସିଆଲ SSEPD ପୋର୍ଟାଲ (Department of Social Security and Empowerment of Persons with Disabilities) ଯାଞ୍ଚ କରାଗଲା, ସେତେବେଳେ ସରପଞ୍ଚଙ୍କ ମିଛ ପଦାରେ ପଡ଼ିଥିଲା। ସେହି ଦିବ୍ୟଙ୍ଗ ଶିଶୁ ସୁନୀଲ ମାଝୀଙ୍କ ଆଧାର ନମ୍ବର (4497 1576 6359) ଏବଂ ଜନ୍ମ ତାରିଖ (୨୦/୦୨/୨୦୧୯) ଦେଇ ମଧୁବାବୁ ପେନସନ ଯୋଜନା ଆପ୍ଲିକେଶନ ଷ୍ଟାଟସ ଅନଲାଇନରେ ସର୍ଚ୍ଚ କରିବା ପରେ ସ୍କ୍ରିନରେ ସ୍ପଷ୍ଟ ଭାବେ ପପ-ଅପ ମେସେଜ ଆସୁଛି “No Application Found With This Application Number” (ଅର୍ଥାତ୍‌ ଏହି ଆଧାର ତଥ୍ୟରେ କୌଣସି ଆବେଦନର ରେକର୍ଡ ହିଁ ୱେବସାଇଟ୍‌ରେ ନାହିଁ)।
ଅନଲାଇନ ପୋର୍ଟାଲରୁ ମିଳିଥିବା ଏହି ସାଂଘାତିକ ପ୍ରମାଣରୁ ସ୍ପଷ୍ଟ ଜଣାପଡ଼ୁଛି ଯେ, ସରପଞ୍ଚ ନିଜ ଦାୟିିତ୍ୱରୁ ଖସିଯିବା ପାଇଁ ଗରିବ ଆଦିବାସୀ ପରିବାର ଓ ଗଣମାଧ୍ୟମକୁ ଭ୍ରମିତ କରୁଛନ୍ତି। ପଞ୍ଚାୟତର ମୁଖ୍ୟ ହୋଇ ମଧ୍ୟ ସେ ଅଞ୍ଚଳର ଅସହାୟ ଲୋକଙ୍କୁ ସଠିକ ସୂଚନା ଦେବା ବଦଳରେ ସେମାନଙ୍କୁ ଅନ୍ଧାରରେ ରଖୁଛନ୍ତି ଏବଂ ନିଜର ଅପାରଗତାକୁ ଲୁଚାଇବା ପାଇଁ କ୍ରୋଧ ପ୍ରଦର୍ଶନ କରୁଛନ୍ତି।

ସୁନୀଲଙ୍କ ସମସ୍ୟା ନେଇ ପରିବାର ପକ୍ଷରୁ ସରପଞ୍ଚଙ୍କ ଠାରୁ ଆରମ୍ଭ କରି ପିଇଓ (PEO) ଆର୍ତ୍ତତ୍ରାଣ ମାଝୀ, ବିଏସଏସଓ (BSSO) ସୁନାରାମ ସୋରେନ ଏବଂ ବିଡ଼ିଓ (BDO) ଧ୍ରୁବ ଚରଣ ମୁଦୁଲିଙ୍କ ଦାରସ୍ଥ ହୋଇ ବାରମ୍ବାର ଗୁହାରି କରାଯାଇଥିଲେ ସୁଦ୍ଧା କେହି ଶୁଣିବାକୁ ନାରାଜ। କେବଳ ସୁନୀଲ ନୁହନ୍ତି, ଓଡ୍ରି ଗ୍ରାମ ପଞ୍ଚାୟତର ପ୍ରତିଟି ଗ୍ରାମରେ ଏଭଳି ଅନେକ ମୌଳିକ ସମସ୍ୟା ଲାଗି ରହିଛି। ସାଧାରଣ ଗରିବ ଲୋକଙ୍କ ସମସ୍ୟା ବୁଝିବା ପାଇଁ କୌଣସି ଜନପ୍ରତିନିଧି କିମ୍ବା ଅଧିକାରୀଙ୍କ ଆନ୍ତରିକତା ନାହିଁ। ମନରେଗା (MGNREGA) ଯୋଜନା ଓ ଡିଏମଏଫ (DMF) ପାଣ୍ଠିର କାର୍ଯ୍ୟରେ ବ୍ୟାପକ ଅନିୟମିତତା କରି, ନିମ୍ନମାନର କାମ ଜରିଆରେ ସରକାରୀ ଅର୍ଥ ହରିଲୁଟ କରିବା ପାଇଁ ବ୍ଲକର କିଛି ନେତା ଓ ଅଧିକାରୀ ପ୍ରତିଯୋଗିତା କରୁଥିବା ବେଳେ, ଦୁର୍ଗମ ଅଞ୍ଚଳର ଅସହାୟ ଲୋକଙ୍କ ମୌଳିକ ଅଧିକାର ପାଇଁ ସ୍ବର ଉଠାଇବାକୁ କେହି ନାହାନ୍ତି ବୋଲି ସ୍ଥାନୀୟ ଅଞ୍ଚଳରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି।

”ଏହି ସମସ୍ୟା ବା ଅଭିଯୋଗ ପୂର୍ବରୁ ଆମ ପାଖକୁ କେବେ ଆସି ନ ଥିଲା। ମୁଁ ବ୍ୟକ୍ତିଗତ ଭାବେ ଏହି ସମସ୍ୟାର ଅନୁସନ୍ଧାନ କରୁଛି। ତଦନ୍ତ ପରେ ସେହି ଦିବ୍ୟଙ୍ଗ ବାଳକ ପାଇଁ ଯାହା ସରକାରୀ ନିୟମ ଅନୁଯାୟୀ ସହାୟତା ହୋଇପାରିବ, ତାହା ଆମେ ତୁରନ୍ତ ଯୋଗାଇ ଦେବୁ ବୋଲି ସୁନାରାମ ସୋରେନ, ବିଏସଏସଓ (BSSO) କହିଛନ୍ତି।

ଅଫିସିଆଲ ୱେବସାଇଟରେ ସତ୍ୟ ସାମ୍ନାକୁ ଆସିବା ପରେ ଏବେ ଜିଲା ମଙ୍ଗଳ ଅଧିକାରୀ ଓ ଜିଲାପାଳ ଏହି ସମ୍ବେଦନଶୀଳ ଘଟଣା ପ୍ରତି ଦୃଷ୍ଟି ଦେଇ ତୁରନ୍ତ ଏହି ଅସହାୟ ଆଦିବାସୀ ଶିଶୁର ଭତ୍ତା ଆବେଦନ ପ୍ରକ୍ରିୟାକୁ ପ୍ରଶାସନିକ ସ୍ତରରେ ସମ୍ପୂର୍ଣ୍ଣ କରାଇ ମାସିକ ଭିନ୍ନକ୍ଷମ ଭତ୍ତା ଓ ଏକ ସରକାରୀ ଆବାସ ଗୃହ ଯୋଗାଇ ଦେବାକୁ ସାଧାରଣରେ ଦୃଢ଼ ଦାବି ହେଉଛି।

Odisha’s No.1 Odia Daily

Share