୮୦ ପ୍ରତିଶତ ଅଣସଙ୍ଗଠିତ

ଖୋର୍ଦ୍ଧା ବାଲିପାଟଣା ବ୍ଲକ୍‌ ବେଙ୍ଗବତୀ ଗାଁରେ ନିକଟରେ ଶ୍ରମିକମାନେ ଡ୍ରେନ୍‌ ଖୋଳୁଥିବା ବେଳେ ବେଙ୍ଗବତୀ ପ୍ରାଥମିକ ବିଦ୍ୟାଳୟର ପାଚେରି ଭୁଶୁଡ଼ି ୨ ଜଣଙ୍କ ମୃତ୍ୟୁ ହେବା ସହ ଜଣେ ଗୁରୁତର ଆହତ ହୋଇଛନ୍ତି। ସମସ୍ତ ମୃତାହତ ଶ୍ରମିକ କେନ୍ଦୁଝର ଜିଲାର। ରାସ୍ତା ସମ୍ପ୍ରସାରଣ ହେଉଥିବାରୁ ଠିକାଦାର ଶ୍ରମିକମାନଙ୍କୁ ଡ୍ରେନ୍‌ ଖୋଳା କାମରେ ଲଗାଇଥିଲେ। ଏଭଳି ଦୁର୍ଘଟଣା ନୂଆ ନୁହେଁ, ସମୟାନ୍ତରେ ଅନ୍ୟ କ୍ଷେତ୍ରରେ ଯଥା ପଥର ଖାଦାନ, କ୍ରଶର, ଖଣି ଖନନ, ନିର୍ମାଣ, ଇଟାଭାଟି, କଳକାରଖାନା ଭଳି ଅଣସଙ୍ଗଠିତ କ୍ଷେତ୍ରରେ ଦୁର୍ଘଟଣା ଘଟି ଶ୍ରମିକମାନେ ମୃତାହତ ହେଉଥିବା ଖବର ପ୍ରକାଶ ପାଇବାରେ ଲାଗିଛି। ଚିନ୍ତାର ବିଷୟ ହେଉଛି, ଏହିସବୁ କ୍ଷେତ୍ରରେ କାର୍ଯ୍ୟରତ ଶ୍ରମିକଙ୍କ ସାମାଜିକ, ଅର୍ଥନୈତିକ ଓ ସୁରକ୍ଷା ସମ୍ପର୍କିତ ସ୍ଥିତି ସାମ୍ନାକୁ ଆସିପାରୁନାହିଁ। କେଉଁ ଶ୍ରମିକ କେଉଁଠି କାମ କରୁଛନ୍ତି, କେତେ ଦାଦନ କେଉଁସବୁ ରାଜ୍ୟକୁ ଯାଉଛନ୍ତି କିମ୍ବା ଯାଇଛନ୍ତି ସେ ସମ୍ପର୍କରେ ତଥ୍ୟ କାହାରି ପାଖରେ ନାହିଁ। ଅବଶ୍ୟ ଏ ସମ୍ବନ୍ଧୀୟ କିଛି ତଥ୍ୟ କୋଭିଡ୍‌ ସମୟରେ ପଦାକୁ ଆସିଥିଲା। କିନ୍ତୁ ସେହି ତଥ୍ୟକୁ ସଂଗଠିତ ଭାବରେ ରଖାଗଲା ନାହିଁ କିମ୍ବା ପରବର୍ତ୍ତୀ ସମୟରେ ତାକୁ ଟାବୁଲେଟ କରାଗଲା ନାହିଁ, ଯାହା ଫଳରେ ଆଜି ମଧ୍ୟ କର୍ତ୍ତୃପକ୍ଷଙ୍କ ପାଖରେ ଏହିଭଳି ତଥ୍ୟ ମିଳିପାରୁନାହିଁ। ଓଡ଼ିଶାରୁ ଆନ୍ଧ୍ର, ତେଲଙ୍ଗାନା ଆଦି ରାଜ୍ୟକୁ ଯାଉଥିବା ଦାଦନ ଶ୍ରମିକଙ୍କର ସେଠାରେ ଇଟାଭାଟି କିମ୍ବା କୌଣସି କାରଖାନାରେ ମୃତ୍ୟୁ ଘଟିଲେ ଅବା ଆହତ ହେଲେ ସେମାନଙ୍କ ମୃତଦେହ ଅଣାଯାଏ ଓ ସ୍ଥଳବିଶେଷରେ ଆହତଙ୍କ ଚିକିତ୍ସା ଖର୍ଚ୍ଚ ସରକାର ବହନ କରନ୍ତି। ସେହି ସମୟରେ ଜଣାପଡ଼େ ସେମାନେ କେଉଁ ଜିଲାର ଆଉ କେଉଁ ଗାଁର। ସରକାର ମଧ୍ୟ କିଛି କ୍ଷତିପୂରଣ ଦେଇଦିଅନ୍ତି, ହେଲେ ତା’ପର ସ୍ଥିତିରେ ସେମାନଙ୍କ ପରିବାର କେମିତି ବଞ୍ଚନ୍ତି, ସେଥିପ୍ରତି କାହାର ଦୃଷ୍ଟି ନ ଥାଏ।
ଦେଖାଯାଏ ଶ୍ରମିକଙ୍କ ମୃତ୍ୟୁ ହେଲେ କିଛି ଦିନ ଧରି ଶ୍ରମ ଆଇନ କିମ୍ବା କାର୍ଯ୍ୟକ୍ଷେତ୍ରର ବୈଧତାକୁ ନେଇ ବିତର୍କ ଚାଲେ। ଦରକାର ପଡ଼ିଲେ ଧର୍ମଘଟ କିମ୍ବା ବନ୍ଦ ଡାକରା ଦିଆଯାଏ। କିନ୍ତୁ ଶ୍ରମିକଙ୍କ ସୁରକ୍ଷା ଦିଗରେ କିଛି ପରିବର୍ତ୍ତନ ହେବା ଦେଖାଯାଉ ନାହିଁ। ଅଳ୍ପକିଛି କ୍ଷତିପୂରଣରେ ସେମାନଙ୍କ ପରିବାରଗୁଡ଼ିକୁ ସନ୍ତୁଷ୍ଟ ହେବାକୁ ପଡ଼େ। ପରବର୍ତ୍ତୀ ସମୟରେ ପରିବାର କିଭଳି ରହେ ତାହାର ଖବର ସମ୍ପୃକ୍ତ ମାଲିକ, କମ୍ପାନୀ କିମ୍ବା ସ୍ଥାନୀୟ ପ୍ରଶାସନ କେହି ରଖନ୍ତି ନାହିଁ। ଖୁବ୍‌ କମ୍‌ କ୍ଷେତ୍ରରେ ଅତି ବେଶିରେ ବଡ଼ କମ୍ପାନୀ ପରିବାରରୁ ଜଣକୁ ଥଇଥାନ କରୁଥିବା ଦେଖାଯାଏ। ହେଲେ ଶ୍ରମିକମାନଙ୍କର ସୁରକ୍ଷା ମାନକକୁ ସମ୍ପୂର୍ଣ୍ଣ ଭାବେ ଅଣଦେଖା କରି ବିଭିନ୍ନ ନିର୍ମାଣ କାର୍ଯ୍ୟ କରୁଥିବା ଛୋଟମୋଟ ସଂସ୍ଥା ଓ ଠିକାଦାରମାନେ ସେମାନଙ୍କ ମୃତ୍ୟୁ ପରବର୍ତ୍ତୀ ସ୍ଥାୟିତ୍ୱକୁ ଗୁରୁତ୍ୱ ଦିଅନ୍ତି ନାହିଁ। ଚିନ୍ତାର ବିଷୟ ହେଉଛି ଶ୍ରମିକଙ୍କ ଦୁର୍ଘଟଣା ପରେ ସମ୍ପୃକ୍ତ ସଂସ୍ଥା, ଠିକାଦର, ଇଞ୍ଜିନିୟରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବା କ୍ୱଚିତ ଦେଖାଯାଏ। ଏକ ଅଣଲାଭଦାୟକ ସର୍ଭେ ସଂସ୍ଥା ଇଣ୍ଡିଆସ୍ପେଣ୍ଡ୍‌ର ୨୦୨୨ର ତଥ୍ୟ ଏଠାରେ ପ୍ରଣିଧାନଯୋଗ୍ୟ। ଏଥିରେ ଦର୍ଶାଯାଇଥିଲା ଯେ, ୨୦୧୮ରୁ ୨୦୨୦ ମଧ୍ୟରେ ଦେଶରେ କେବଳ କଳକାରଖାନାରେ ୩ ହଜାରରୁ ଊର୍ଦ୍ଧ୍ୱ ଶ୍ରମିକଙ୍କ ମୃତ୍ୟୁ ହୋଇଥିବାବେଳେ ଏଥିରେ ସମ୍ପୃକ୍ତ ମାତ୍ର ୧୪ ଜଣଙ୍କ ବିରୋଧରେ ଫ୍ୟାକ୍ଟ୍ରି ଆକ୍ଟରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିଲା।
ଫେବୃଆରୀ ୨୦୨୫ରେ ତୃଣମୂଳ କଂଗ୍ରେସ ସାଂସଦ ଅଭିଷେକ ବାନାର୍ଜୀଙ୍କ ପ୍ରଶ୍ନର ଉତ୍ତରରେ କେନ୍ଦ୍ର ଶ୍ରମ ରାଷ୍ଟ୍ରମନ୍ତ୍ରୀ ଶୋଭା କରନ୍ଦଲାଜେ ଦର୍ଶାଇଥିଲେ, ୨୦୧୮ରୁ ୨୦୨୨ ପାଞ୍ଚ ବର୍ଷ ମଧ୍ୟରେ ଶିଳ୍ପ ଓ ନିର୍ମାଣ କ୍ଷେତ୍ରରେ କାର୍ଯ୍ୟରତ ୧୪,୨୬୪ ଶ୍ରମିକଙ୍କ ମୃତ୍ୟୁ ଘଟିଛି। ଗୋଟିଏ ପଟେ ଶ୍ରମିକଙ୍କ ସୁରକ୍ଷାକୁ ଗୁରୁତ୍ୱ ଦିଆଯାଉ ନ ଥିବାବେଳେ ସେମାନଙ୍କ କାର୍ଯ୍ୟକୁଶଳତା କିମ୍ବା କାର୍ଯ୍ୟକ୍ଷେତ୍ରରେ ଶାରୀରିକ ନିରାପତ୍ତା ସମ୍ପର୍କରେ ପ୍ରଶିକ୍ଷଣ ଦିଆଯାଉନାହିଁ। ବିନା ପ୍ରଶିକ୍ଷଣରେ ଶ୍ରମିକମାନେ କାମ କରୁଥିବାରୁ ଦୁର୍ଘଟଣା ବଢ଼ିବା ସ୍ବାଭାବିକ। ରାଜ୍ୟ ଓ ଜାତୀୟ ସ୍ତରରେ ଶ୍ରମିକମାନଙ୍କ ସୁରକ୍ଷା ପାଇଁ କାରଖାନା ଆଇନ-୧୯୪୮, ଶିଳ୍ପ ସମ୍ବନ୍ଧୀୟ ଆଇନ-୧୯୪୭ ଆଦି ଠିକ୍‌ ଭାବେ କାର୍ଯ୍ୟକାରୀ ହୋଇପାରୁ ନ ଥିବା ଅଭିଯୋଗ ହେଉଛି। ଏଠାରେ ଉଲ୍ଲେଖ କରାଯାଇପାରେ ଯେ, ଶ୍ରମ ବିଭାଗ ଏବଂ ଫ୍ୟାକ୍ଟ୍ରି ଇନ୍‌ସପେକ୍ଟରମାନେ ବଡ଼ ଶିଳ୍ପଠାରୁ ଦୂରେଇ ରୁହନ୍ତି। ଯାହାଦ୍ୱାରା ଅଧିକ ବିପଦ ଥିବା କାରଖାନାଗୁଡ଼ିକରେ ନିରାପତ୍ତାର ବ୍ୟବସ୍ଥାକୁ ଅଣଦେଖା କରାଯାଉଛି। ଅନ୍ୟପଟେ ଏହିସବୁ ସଂସ୍ଥାଗୁଡ଼ିକ କ୍ଷୁଦ୍ର ଓ ମଧ୍ୟମ ଶିଳ୍ପସଂସ୍ଥା ଉପରେ ଅଧିକ ଚଢ଼ାଉ କରି ନିଜର ସୁବିଧା ଦେଖୁଛନ୍ତି। ଏହା ଫଳରେ ଶ୍ରମିକଙ୍କ ଜୀବନ ଯେଉଁଠାରେ ବିପଦାପନ୍ନ ସେଭଳି ଶିଳ୍ପଗୁଡ଼ିକରେ କୌଣସି ତଦାରଖ କରାଯାଉ ନାହିଁ। ‘ଇଜ୍‌ ଅଫ୍‌ ଡୁଇଂ ବିଜ୍‌ନେସ୍‌’ ନାମରେ ୪ଟି ଲେବର କୋଡ୍‌ ଲାଗୁ କରିବାକୁ ହେଉଥିବା ଉଦ୍ୟମକୁ ଏବେ ଶ୍ରମିକ ସଙ୍ଗଠନ ପକ୍ଷରୁ ବିରୋଧ କରାଯାଉଛି। ଏପରି କି ୧୦ଟି ଶ୍ରମିକ ସଙ୍ଗଠନ ଓ ସହଯୋଗୀ ସଙ୍ଗଠନ ପକ୍ଷରୁ ୯ ଜୁଲାଇରେ ଭାରତ ବନ୍ଦ ଡାକରା ଦିଆଯାଇଛି। ନୂଆ ଆଇନ ନିଯୁକ୍ତିଦାତା, କର୍ପୋରେଟ ସପକ୍ଷବାଦୀ ହୋଇଥିବା ବେଳେ ଶ୍ରମିକ ବିରୋଧୀ ବୋଲି ସମ୍ପୃକ୍ତ ସଙ୍ଗଠନଗୁଡ଼ିକ ଅଭିଯୋଗ କରୁଛନ୍ତି। ୨୦୧୬ ନଭେମ୍ବରରେ କରାଯାଇଥିବା ବିମୁଦ୍ରୀକରଣରେ ଏହି ଶ୍ରମିକମାନେ ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇଥିଲେ। ପୁନର୍ବାର କୋଭିଡ୍‌ ସମୟରେ ହଠାତ୍‌ ସବୁ ଯାନବାହନ ବନ୍ଦ କରିଦିଆଯିବା ଫଳରେ ଏହି ଶ୍ରେଣୀର ଶ୍ରମିକମାନେ ଅଧିକ ଶିକାର ହୋଇଥିଲେ। ଏହା ସ୍ପଷ୍ଟ ଯେ, ଭାରତର ଶ୍ରମ ଶକ୍ତିର ୮୦ ପ୍ରତିଶତରୁ ଊର୍ଦ୍ଧ୍ୱ ଅଣସଙ୍ଗଠିତ କ୍ଷେତ୍ର ସହ ଜଡ଼ିତ। ଅର୍ଥ ବ୍ୟବସ୍ଥାରେ ଅଣସଂଗଠିତ ଶ୍ରମିକଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। କିନ୍ତୁ କାର୍ଯ୍ୟକ୍ଷେତ୍ରରେ ସେମାନଙ୍କ ସୁରକ୍ଷାକୁ ଅଣଦେଖା କରାଯିବା ପରିତାପର ବିଷୟ।


Enter your email to get our daily news in your inbox.

All Right Reserved By Dharitri.Com

ଟି୨୦ ବିଶ୍ୱକପ୍ ପୂର୍ବରୁ ଭାରତର ହୁଙ୍କାର: ୱାର୍ମ-ଅପ୍ ମ୍ୟାଚରେ ଦକ୍ଷିଣ ଆଫ୍ରିକାକୁ ଧୂଳି ଚଟାଇଲା

ନଭି ମୁମ୍ବାଇ,୪ା୨: ଟି୨୦ ବିଶ୍ୱକପ୍ ୨୦୨୬ ଆରମ୍ଭ ହେବା ପୂର୍ବରୁ ଭାରତୀୟ ଦଳ ନିଜର ଶେଷ ପ୍ରସ୍ତୁତି ଶେଷ କରିଛି। ନଭି ମୁମ୍ବାଇର ଡି.ୱାଇ ପାଟିଲ ସ୍ପୋର୍ଟସ…

ସଞ୍ଜୁ ସାମସନଙ୍କ ପାଇଁ ବନ୍ଦ ହେବ କି ବିଶ୍ୱକପ୍ ଦ୍ୱାର? କ୍ୟାପଟେନ୍ ସୂର୍ଯ୍ୟାଙ୍କ ସଙ୍କେତ ପରେ ଚର୍ଚ୍ଚା ଜୋର

ନୂଆଦିଲ୍ଲୀ,୪ା୨: ୨୦୨୬ ଟି-୨୦ ବିଶ୍ୱକପ୍ ପୂର୍ବରୁ ଅନୁଷ୍ଠିତ ଅଭ୍ୟାସ ମ୍ୟାଚ୍‌ରେ ଭାରତୀୟ ଦଳର ରଣନୀତି ଏକ ବଡ଼ ପରିବର୍ତ୍ତନର ସଙ୍କେତ ଦେଇଛି। ଦକ୍ଷିଣ ଆଫ୍ରିକା ବିପକ୍ଷ ଶେଷ…

ଭାରତରେ ‘ଡାଟା ସେଣ୍ଟର’ ଆଣିବ ନିଯୁକ୍ତିର ସୁଅ: ଇଣ୍ଟରନେଟ୍ ଯୁଗ ପରି ଆସିବ ବିପ୍ଳବ

ନୂଆଦିଲ୍ଲୀ,୪ା୨: ଭାରତରେ ନିଯୁକ୍ତିର ବନ୍ୟା ସୃଷ୍ଟି କରିବ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (AI)। ଆଗାମୀ ଦିନରେ ‘ଡାଟା ସେଣ୍ଟର’ଗୁଡ଼ିକ ବ୍ୟାପକ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ। ପୂର୍ବରୁ ଦେଶରେ…

୨୪ ବର୍ଷ ଦେଶସେବା କରି ଘରକୁ ଫେରିଲେ ଯବାନ: ବାଜବାଣ, ନାଚଗୀତରେ ଦୁଲୁକିଲା ଦାଣ୍ଡ

କେନ୍ଦୁଝର,୪ା୨(ନରେଶ ଚନ୍ଦ୍ର ପଟ୍ଟନାୟକ): ୨୪ ବର୍ଷ ଧରି ଦେଶସେବା କରି ଅବସର ପରେ ଗାଁକୁ ଫେରିଲେ ଯବାନ। ଏଥିପାଇଁ ଗ୍ରାମବାସୀଙ୍କ ମିଳିତ ସହଯୋଗରେ ଭବ୍ୟ ସମ୍ବର୍ଦ୍ଧନା ଦିଆଯାଇଛି।…

ଦାରିଙ୍ଗବାଡ଼ିରେ କାୟାକଳ୍ପର ୩ ଜଣିଆ ଟିମ୍‌, ଅବ୍ୟବସ୍ଥା ଦେଖି…

ଦାରିଙ୍ଗବାଡ଼ି,୪ା୨(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ବୁଧବାର ୩ ଜଣିଆ କାୟାକଳ୍ପ ଦଳ ପହଞ୍ଚିଥିଲେ। ସେମାନଙ୍କ ମଧ୍ୟରେ ଡାକ୍ତର ଶୁଭ୍ରାଂଶୁ ପ୍ରଧାନ, ମାନସ କୁମାର…

ଛାତ୍ରଙ୍କୁ ଲୁହା ଛଡ଼ରେ ମୁଣ୍ଡରେ ପିଟିଲେ ଅନ୍ୟ ଜଣେ ଛାତ୍ର, ରକ୍ତାକ୍ତ…

ରାୟଗଡ଼ା,୪ା୨(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ସହର ସ୍ଥିତ ସରକାରୀ ଆଇଟିଆଇର ଜଣେ ଛାତ୍ରକୁ ଆଉ ଜଣେ ଛାତ୍ର ଲୁହା ରଡ଼୍‌ରେ ପିଟି ରକ୍ତାକ୍ତ କରିଥିବା ନେଇ ରାୟଗଡ଼ା…

ସିପିଆଇ ଶାଖା ସମ୍ମିଳନୀ, ସମସ୍ୟା ସମାଧାନ ପାଇଁ ଆନ୍ଦୋଳନ ନିଷ୍ପତ୍ତି  

ଦିଗପହଣ୍ଡି,୪ା୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଚଷାନିମଖଣ୍ଡି ପଞ୍ଚାୟତ ପୋଡ଼ାବାଡ଼ି ଗ୍ରାମରେ ବୁଧବାର ସିପିଆଇର ଶାଖା ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । କମ୍ରେଡ. ବିଶିକେଶନ…

ସିକେ ନାଇଡୁ ଟ୍ରଫି: ଓଡ଼ିଶା-ବେଙ୍ଗଲ ମୁକାବିଲା

ବରଗଡ଼,୪ା୨(ପ୍ରେମାନନ୍ଦ ଖମାରୀ): ଆସନ୍ତା ୬ତାରିଖରୁ ବରଗଡ଼ କ୍ରିଷ୍ଣା ବିକାଶ କ୍ରିକେଟ୍‌ ଗ୍ରାଉଣ୍ଡରେ  ଓଡ଼ିଶା-ବେଙ୍ଗଲ ମଧ୍ୟରେ ୨୩ ବର୍ଷରୁ କମ ବୟସ ସି.କେ. ନାଇଡୁ ଟ୍ରଫିର ଇଲାଇଟ୍‌ ଗ୍ରୁପ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri