Categories: ଜାତୀୟ

ସୋସିଆଲ ମିଡିଆରେ ୮ ବର୍ଷ ଝିଅର ବିବାହ ଖବର ଭାଇରାଲ, ନୋଟିସ ଜାରି କଲା ଏନ୍‌ସିପିସିଆର, ପରେ ଜଣା ପଡ଼ିଲା ସତ

ପାଟଣା,୨୯ା୫: ବିହାରର ନଓ୍ବାଡା ଜିଲାର ବାରିସଲିଙ୍ଗଜ ଥାନା ଅନ୍ତର୍ଗତ ମଞ୍ଜୋର ଗାଁରେ ଏକ ବିବାହର ଫଟୋ ଖୁବ୍‌ ତୀବ୍ର ବେଗରେ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଟୁଇଟରରେ ଏହି ବିବାହ ଫଟୋ ଭାଇରାଲ ହେବା ପରେ ପୋଲିସର ସନ୍ଦେହ ହୋଇଥିଲା। ଜିଲା ପ୍ରଶାସନ ଅଧିକାରୀମାନେ ଏହି ଘଟଣା ସମ୍ପର୍କରେ ଜାଣି ଗାଁରେ ପହଞ୍ଚି ଅନୁସନ୍ଧାନ କରିଥିଲେ।

ଗ୍ରାମବାସୀ କହିଛନ୍ତି, ଏହି ଝିଅଟିର ପ୍ରାୟ ମାସେ ୨ ମାସ ପୂର୍ବରୁ ଲାଖିସରାଇରେ ବିବାହ ହୋଇଥିଲା। ଝିଅର ମାମୁଘର ଜାମୁଇ ଜିଲାର ସିକନ୍ଦର ପୋଲିସ ଷ୍ଟେଶନର ଅକୌନି ଗାଁରେ ରହୁଛନ୍ତି। ମଞ୍ଜୋରରେ ଝିଅର ନିଜସ୍ବ ଘର ଅଛି। ମାତ୍ର ସେଠାରେ କେହି ରୁହନ୍ତି ନାହିଁ। ଏଥିସହିତ ଝିଅଟିର ବୟସ ବିଷୟରେ ଯାହା କୁହାଯାଉଛି ତାହା ସମ୍ପୂର୍ଣ୍ଣ ଭୁଲ ଅଟେ। ଯେଉଁମାନେ ଏହାକୁ ଟୁଇଟରରେ ଭୁଲ ପୋଷ୍ଟ କରୁଛନ୍ତି, ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବା ଉଚିତ୍‌।

ଜାତୀୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ(ଏନ୍‌ସିପିସିଆର୍‌) ଅଧ୍ୟକ୍ଷ ପ୍ରିୟଙ୍କ କାନୁନ୍‌ଗୋ ଏହି ପ୍ରସଙ୍ଗରେ ଏକ ନୋଟିସ୍‌ ଜାରି କରିଛନ୍ତି। ସେ ନିଜ ଟୁଇଟର ପେଜ୍‌ରେ ଲେଖିଛନ୍ତି, ନଓ୍ବାଡାରେ ବାଲ୍ୟ ବିବାହ ସମ୍ପର୍କରେ ସୋସିଆଲ ମିଡିଆରୁ ମିଳିଥିବା ଅଭିଯୋଗକୁ ଗ୍ରହଣ କରି ଏନ୍‌ସିପିସିଆର ଏକ ବିଜ୍ଞପ୍ତି ଜାରି କରିଛି। ଦୋଷୀମାନଙ୍କୁ ଯେକୌଣସି ପ୍ରକାରେ ଦଣ୍ଡିତ କରାଯିବ ବୋଲି ଆୟୋଗ ପ୍ରତିଶ୍ରୁତି ବଦ୍ଧ। ଦୟାକରି ଶିଶୁର ଫଟୋ ଅପ୍‌ଲୋଡ ଏବଂ ଶେୟାର କରି ନିୟମ ଉଲ୍ଲଂଘନ କରନ୍ତୁ ନାହିଁ ବୋଲି ପ୍ରିୟଙ୍କ କହିଛନ୍ତି।

କହିରଖୁଛୁ ଯେ, ମଞ୍ଜୋର ଗାଁର ବାସିନ୍ଦା ପଓ୍ବନ ସିଂଙ୍କ ଝିଅ ୨ ମାସ ତଳେ ଲାଖିସରାଇ ମନ୍ଦିରରେ ବିବାହ କରିଥିଲେ। ଗ୍ରାମବାସୀ କହିଛନ୍ତି, କୌଣସି ବିବାହ ଉତ୍ସବ ଆୟୋଜନ କରାଯାଇନାହିଁ। ଝିଅର ଆଧାରକାର୍ଡ ମଧ୍ୟ ସାମ୍ନାକୁ ଆସିଛି। ଆଧାରକାର୍ଡ ଅନୁଯାୟୀ, ତାଙ୍କ ଜନ୍ମ ୨୦୦୨ରେ। ଅର୍ଥାତ୍‌ ତାଙ୍କୁ ବର୍ତ୍ତମାନ ୧୯ ବର୍ଷ। ଯାହାକି ବିବାହ ବୟସ ହୋଇସାରିଛି। ସେ ଜଣେ ସାବାଳିକା।

ମାତ୍ର ଟୁଇଟରେ ଏକ ପୋଷ୍ଟ ଦେଖିବାକୁ ମିଳିଥିଲା। ଯେଉଁଥିରେ ଲେଖାଥିଲା ନଓ୍ବଡାର ଜଣେ ୮ବର୍ଷର ଝିଅକୁ ୨୮ ବର୍ଷ ବର ସହ ବିବାହ କରାଯାଉଛି। ଏହି ଘଟଣା ଜାଣିବା ପରେ ଡିଏଏମ୍‌ ଏକ ଟିମ୍‌ ଗଠନ କରି ସଦର ଏସଡିଓ, ଡିଏସ୍‌ପି ଏବଂ ଥାନା ପ୍ରଭାରୀଙ୍କୁ ଯାଞ୍ଚ ପାଇଁ ଗାଁକୁ ପଠାଇଥିଲେ। ଯାଞ୍ଚ ପରେ ସତକଥା ଜଣାପଡ଼ିଥିଲା।

Share