ପଟ୍ଟାମୁଣ୍ଡାଇ, ୧୪ା୧୧(କଳ୍ପତରୁ ନାୟକ):କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ଗ୍ରାମାଞ୍ଚଳ ଥାନା ଅଞ୍ଚଳର ଜଣେ ୮ ବର୍ଷୀୟା ନାବାଳିକା ଗଣବଳାତ୍କାରର ଶିକାର ହୋଇଥିବା ଅଭିଯୋଗ ହୋଇଛି। ଅଭିଯୁକ୍ତ ୨ଜଣ ବି ହେଉଛନ୍ତି ନାବାଳକ। ପୀଡିତା ନାବାଳିକାଙ୍କ ମା’ଙ୍କ ଅଭିଯୋଗ ଆଧାରରେ ପୋଲିସ ୨ ନାବାଳକ(ବୟସ ୧୨ ଓ ୧୩)ଙ୍କୁ ଥାନାକୁ ନେଇ ପଚରାଉଚରା କରୁଛି। ଏନେଇ ଭାରତୀୟ ନ୍ୟାୟ ସଂହିତା(ବିଏନ୍ଏସ୍)ର ଦଫା ୭୦(୨) ଏବଂ ପୋକ୍ସୋ ଆକ୍ଟର ଧାରା ୪(୨)/୬ରେ ଏକ ମାମଲା(ନଂ. ୫୪୧/୨୬)ରୁଜୁ ହୋଇଛି। ଶୁକ୍ରବାର ଉଭୟ ପୀଡିତା ଓ ୨ ଅଭିଯୁକ୍ତଙ୍କର ପଟ୍ଟାମୁଣ୍ଡାଇ ଉପଖଣ୍ଡ ଡାକ୍ତରଖାନାରେ ଡାକ୍ତରୀ ମାଇନା କରାଯାଇଛି ବୋଲି ଆଇଆଇସି ପ୍ରଦୀପ୍ତ କାନୁନଗୋ କହିଛନ୍ତି।
ପୀଡ଼ିତାଙ୍କ ମା’ଙ୍କ ଅଭିଯୋଗ ଅନୁଯାୟୀ, ଗତ ୧୦ ତାରିଖ ଅପରାହ୍ନ ପ୍ରାୟ ୪ଟାରେ ୨ ଜଣ ନାବାଳକ ତାଙ୍କ ଝିଅକୁ ବିଭିନ୍ନ ପ୍ରଲୋଭନ ଦେଖାଇ ଘର ପାଖରୁ ଡାକି ନେଇଥିଲେ। ବହୁସମୟ ଧରି ଝିଅ ଘରକୁ ନ ଫେରିବାରୁ ସେ ବହୁ ସ୍ଥାନରେ ଖୋଜାଖୋଜି କରିଥିଲେ ମଧ୍ୟ ଝିଅର ସନ୍ଧାନ ପାଇ ନ ଥିଲେ। ପରେ ଗ୍ରାମର ଏକ ବନ୍ଦ ମେଶିନ୍ ଘର ପାଖରେ ସନ୍ଦେହ ହେବାରୁ ଭିତରକୁ ଯିବା ପରେ ସେଠାରେ ଉଭୟ ନାବାଳକଙ୍କ ସହିତ ଝିଅକୁ ଦେଖିବାକୁ ପାଇଥିଲେ। ଝିଅକୁ ଉଦ୍ଧାର କରି ଘରକୁ ଆଣିବା ପରେ ପଚରାଉଚରା କଲାବେଳେ ଝିଅ ତା’ ସହ ଘଟିଥିବା କଥା କହିଥିଲେ। ଝିଅଠାରୁ ସବୁକଥା ଶୁଣିବା ପରେ ଶୁକ୍ରବାର ସେ ପଟ୍ଟାମୁଣ୍ଡାଇ ଗ୍ରାମାଞ୍ଚଳ ଥାନାରେ ଏତଲା ଦେଇଥିଲେ।