ଗୁଳିକାଣ୍ଡରେ ୮ ମୃତ

ଇଣ୍ଡିଆନାପଲିସ,୧୭ା୪: ଆମେରିକାର ଇଣ୍ଡିଆନାପଲିସ୍‌ସ୍ଥିତ ବିମାନବନ୍ଦର ନିକଟରେ ଗୁରୁବାର ବିଳମ୍ବିତ ରାତିରେ ଗୁଳିକାଣ୍ଡ ଘଟିଛି। ଫେଡ୍‌ଏକ୍ସ ଫାସିଲିଟିରେ ଜଣେ ବନ୍ଧୁକଧାରୀ ଆଖିବୁଜା ଗୁଳି ଚଳାଇବାରୁ ୮ ଜଣଙ୍କ ମୃତ୍ୟୁ ଘଟିଛି। ଆକ୍ରମଣରେ ଅନ୍ୟ କେତେଜଣ ଆହତ ହୋଇଛନ୍ତି। ଆକ୍ରମଣକାରୀ ଏହି କାଣ୍ଡ ଭିଆଇବା ପରେ ନିଜକୁ ଗୁଳି କରି ଆମତ୍ହତ୍ୟା କରିଥିବା ପୋଲିସ କହିଛି।
ପୋଲିସ ମୁଖପାତ୍ର ଜେନାଏ କୁକ୍‌ କହିଛନ୍ତି, ରାତି ୧୧ଟା ପରେ ଗୁଳିକାଣ୍ଡ ଘଟିଛି। ମୃତକଙ୍କ ମଧ୍ୟରେ ଫେଡ୍‌ଏକ୍ସ କମ୍ପାନୀର କର୍ମଚାରୀ ଅଛନ୍ତି। ୫ ଆହତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସେମାନଙ୍କ ମଧ୍ୟରୁ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ଅଛି। ଜଣେ ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି, ସେ ବିଲ୍ଡିଂ ଭିତରେ କାମ କରୁଥିବାବେଳେ ଗୁଳି ଶବ୍ଦ ଶୁଣିଥିଲେ। କିଛି ସମୟ ପରେ ଜଣେ ବ୍ୟକ୍ତି ରାଇଫଲ ଧରି ସେଠାରୁ ବାହାରୁଥିବା ଦେଖିଥିଲେ। ସେ କ’ଣ ସବୁ କହିଯାଉଥିଲେ ବୁଝିହେଉ ନ ଥିଲା। ଖବର ପାଇ ପୋଲିସ ଆସିବାବେଳକୁ ସେ ଆମତ୍ହତ୍ୟା କରିଥିଲେ। ମୃତ ଆକ୍ରମଣକାରୀଙ୍କ ପରିଚୟ ସ୍ପଷ୍ଟ ହୋଇନାହିଁ। ପୋଲିସ ତନାଘନା ଜାରି ରଖିଛି। ଆମେରିକାରେ ଏହା ହେଉଛି ଚଳିତ ବର୍ଷର ତୃତୀୟ ଗଣହତ୍ୟା। ଆମେରିକାରେ ବନ୍ଧୁକ ହିଂସା ବଢ଼ିବାରେ ଲାଗିଛି। ଗନ୍‌ ଭାଓଲେନ୍ସ ଆର୍କଇଭ୍‌ ଅନୁସାରେ ୨୦୨୧ରେ ବଡ଼ ଧରଣର ଗୁଳିକାଣ୍ଡରେ ୧୪୭ ଜଣଙ୍କ ଜୀବନ ଗଲାଣି। ଏହାକୁ ରୋକିବା ପାଇଁ ରାଷ୍ଟ୍ରପତି ଜୋ ବାଇଡେନ୍‌ ଗତ ସପ୍ତାହରେ ୬ଟି ଏକ୍‌ଜିକ୍ୟୁଟିଭ୍‌ ଆକ୍ସନ ଘୋଷଣା କରିଥିଲେ।

 

Share