୮ ମାସର ଗର୍ଭବତୀଙ୍କୁ ମାରିଦେଲେ ଶ୍ୱଶୁର ଘର ଲୋକେ

ବିଷମ କଟକ,୬।୧ (ବିଭୂତି ଭୂଷଣ ନାୟକ): ରାୟଗଡା ଜିଲା ବିଷମକଟକ ଥାନା ଅନ୍ତର୍ଗତ ଡୁକୁମ ପଞ୍ଚାୟତର ଘୋଡାବାଙ୍ଗିରି ଗ୍ରାମରେ ଜଣେ ୮ ମାସର ଗର୍ଭବତୀଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଛି। ମୃତକ ହେଲେ ଘାଡାବାଙ୍ଗିରି ଗ୍ରାମର ଲକ୍ଷ୍ମଣ ମାଣ୍ଡିକାଙ୍କ ସ୍ତ୍ରୀ ରୀତା କୁଲସିକା। ରୀତାଙ୍କ ଶରୀରର ବିଭିନ୍ନ ସ୍ଥାନରେ ଦାଗ ଓ କ୍ଷତ ଚିହ୍ନ ଥିବାରୁ ତାଙ୍କୁ ଶାଶୁଘର ଲୋକେ ଯୋଜନାବନ୍ଧ ଭାବେ ହତ୍ୟା କରିଥିବା ରୀତାଙ୍କ ବାପଘର ଲୋକେ ବିଷମକଟକ ଥାନାରେ ଅଭିଯୋଗ କରିଛନ୍ତି।

ଉଭୟ ପରିବାର ଲୋକଙ୍କ ଉପସ୍ଥିତିରେ ପୋଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପରେ ହସ୍ତାନ୍ତର କରିଛି। ବ୍ୟବଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର କାରଣ ସ୍ପଷ୍ଟ ହେବ ବୋଲି ବିଷମକଟକ ଥାନା ଅଧିକାରୀ ସୂର୍ଯ୍ୟ ଚନ୍ଦ୍ର ପାଢ଼ୀ କହିଛନ୍ତି। ପୋଲିସ ମୃତକଙ୍କ ସ୍ବାମୀ ଲକ୍ଷ୍ମଣଙ୍କୁ ଥାନାରେ ଅଟକ ରଖି ପଚରାଉଚରା କରୁଛି। ପୋଲିସ ସାଇଟିଫିକ ଟିମ ସହ ଘୋଡବାଙ୍ଗିରି ଗ୍ରାମକୁ ଯାଇ ଘଟଣାର ତଦନ୍ତ କରିଛନ୍ତି।

ଗତ ୨ବର୍ଷ ତଳେ ଘାଡାବାଙ୍ଗିରି ଗ୍ରାମର ଲକ୍ଷ୍ମଣ ମାଣ୍ଡିକା ଡୁକୁମୁ ପଞ୍ଚାୟତର ଲାକବେଟା ଗ୍ରାମର ମାଳତୀ କୁଲୁଶିକାଙ୍କ ଝିଅ ରୀତାଙ୍କୁ ପ୍ରେମ ବିବାହ କରିଥିଲେ। ରୀତା ୮ମାସର ଗର୍ଭବତୀ ଥିଲେ। ଗୁରୁବାର ରାତିରେ ରୀତା ଅସୁସ୍ଥ ଥିବାରୁ ପରିବାର ଲୋକେ ୧୦୮ ଆମ୍ବୁଲାନ୍ସ ଯୋଗେ ତାଙ୍କୁ ବିଷମକଟକ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଆଣିଥିଲେ। ମେଡିକାଲରେ ପହଞ୍ଚିବା ପରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। କେଉଁ କାରଣରୁ ଗର୍ଭବତୀଙ୍କ ମୃତ୍ୟୁ ହୋଇଥିବା ନେଇ ଡାକ୍ତର ଅନୁଧ୍ୟାନ କରବା ସମୟରେ ବେକରେ ଚିହ୍ନ ଦେଖି ସନ୍ଦେହ ହେବାରୁ ବିଷମକଟକ ଥାନାକୁ ଖବର ଦିଆଯାଇଥିଲା। ପୋଲିସ ମେଡିକାଲରେ ପହଞ୍ଚି ମୃତଦେହ ଜବତ କରିଥିଲା । ରୀତାଙ୍କ ମୃତ୍ୟୁ ଖବର ଶୁଣି ତାଙ୍କ ବାପାଘର ଲୋକେ ମେଡିକାଲରେ ପହଞ୍ଚି ତାଙ୍କ ଝିଅକୁ ହତ୍ୟା କରାଯାଇଥିବା ନେଇ ଥାନାରେ ଅଭିଯୋଗ କରିଛନ୍ତି। ଅଭିଯୋଗ ଆଧାରରେ ପୋଲିସ ମୃତ ରୀତାଙ୍କ ସ୍ବାମୀ ଲକ୍ଷ୍ମଣ, ଦିଅର ଏବଂ ଶ୍ୱଶୁରଙ୍କୁ ଥାନାରେ ଅଟକ ରଖି ପଚରାଉଚରା କରୁଥିବା ରାୟଗଡା ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ବିଜୟ କୁମାର ନନ୍ଦ କହିଛନ୍ତି।