୮ ବେଆଇନ ଇଟାଭାଟି ଉଚ୍ଛେଦ

ଢେଙ୍କାନାଳ,୨୦।୧୨(ରତନ ନାୟାର): ଢେଙ୍କାନାଳ ଜିଲା ଓଡ଼ାପଡ଼ା ବ୍ଲକ କମଳାଙ୍ଗଠାରୁ କୁରୁଣ୍ଟି ମଧ୍ୟରେ ବ୍ରାହ୍ମଣୀ ନଦୀ କୂଳରେ ଚାଲୁଥିବା ବେଆଇନ ଇଟା ଭାଟିକୁ ସ୍ଥାନୀୟ ପ୍ରଶାସନ ଓ ପୋଲିସ ପକ୍ଷରୁ ମଙ୍ଗଳବାର ଭୋର ୪ଟା ସମୟରେ ଉଚ୍ଛେଦ କରାଯାଇଛି। ପ୍ରଥମ ପର୍ଯ୍ୟାୟରେ ମୋଟ୍‌ ୮ଟି ଇଟାଭାଟି ଉଚ୍ଛେଦ ହୋଇଛି। ବ୍ରାହ୍ମଣୀ ନଦୀ କୂଳରେ ବେଆଇନ ଭାବେ ପ୍ରାୟ ୪୦ଟି ଇଟାଭାଟି ଚାଲୁଥିବା ଜଣାପଡିଛି। ରାଜ୍ୟ ସରକାରଙ୍କ ପକ୍ଷରୁ ମାଟିରେ ତିଆରି ନାଲି ଇଟାକୁ ନିଷେଧ କରାଯାଇଥିବାବେଳେ ଏତେ ସଂଖ୍ୟକ ଇଟାଭାଟି କିଭଳି ବ୍ରାହ୍ମଣୀ ନଦୀ କୂଳରେ ଦୀର୍ଘଦିନ ଧରି ଚାଲୁଥିଲା ତାହା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଏପରିକି ଏ ସମ୍ପର୍କରେ ଜାଣି ମଧ୍ୟ ସ୍ଥାନୀୟ ରାଜସ୍ବ ନିରୀକ୍ଷକ ଓ ତହସିଲ କର୍ତ୍ତୃପକ୍ଷ ନୀରବତା ଅବଲମ୍ବନ କରିବା ସାଧାରଣରେ ଚର୍ଚ୍ଚା ହେଉଛି। ଅନ୍ୟପଟେ ଭୋର ସମୟରେ ଇଟାଭାଟି ଉଚ୍ଛେଦ କରାଯିବା ଏବଂ ବିକ୍ରି ପାଇଁ ଗଚ୍ଛିତ ଥିବା ବହୁ ପୋଡାଇଟା ଚଢାଉ ସମୟରେ ଗାଏବ ଘଟଣା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ସେହିପରି ମୃତ ୨ ଶ୍ରମିକ ନାବାଳକ ଥିବା ଅଭିଯୋଗ ହୋଇଥିବାବେଳେ ଏହାକୁ ନେଇ ମଧ୍ୟ ଖୋଳତାଡ ଆରମ୍ଭ ହୋଇଛି।
ସୂଚନାଯୋଗ୍ୟ, ଗତ ଗୁରୁବାର ବିଳମ୍ବିତ ରାତିରେ ବ୍ରାହ୍ମଣୀ ନଦୀକୂଳରେ ଥିବା ବେଆଇନ ଇଟାଭାଟି ପରିସରସ୍ଥିତ ଏକ କୋଠରିରେ ଶୋଇଥିବା ବେଳେ ଜେନେରେଟର ଧୂଆଁରେ ଶ୍ୱାସରୁଦ୍ଧ ହୋଇ ୨ ଶ୍ରମିକ ମୃତ୍ୟୁ ହୋଇଥିଲା। ଜଣେ ଗୁରୁତର ହୋଇ କଟକଠାରେ ଚିକିତ୍ସିତ ହେଉଛନ୍ତି। ଏହି ଘଟଣା ପରେ ଜିଲାପାଳଙ୍କ ନିର୍ଦ୍ଦେଶର ୨ ଦିନ ପର୍ଯ୍ୟନ୍ତ ସ୍ଥାନୀୟ ରାଜସ୍ବ ନିରୀକ୍ଷକ ଛୁଟିରେ ଥିବା ଆଳ ଦେଖାଇ ଇଟାଭାଟି ଉଚ୍ଛେଦ କରାଯାଇ ନ ଥିଲା। କଣ୍ଟାବଣିଆ ପୋଲିସ ସମ୍ପୃକ୍ତ ଇଟାଭାଟି ମାଲିକଙ୍କ ବିରୋଧରେ ଏକ ମାମଲା ରୁଜୁ କରି ତାଙ୍କୁ ଗିରଫ କରିବା ସହ ଘଟଣାସ୍ଥଳରୁ ୨୦ କୁଇଣ୍ଟାଲରୁ ଊର୍ଦ୍ଧ୍ୱ କୋଇଲା ଜବତ କରିଥିଲା। ଏହାପରେ ମଙ୍ଗଳବାର ଭୋର ସମୟରେ ଓଡ଼ାପଡ଼ା ତହସିଲଦାର, ସ୍ଥାନୀୟ ରାଜସ୍ବ ନିରୀକ୍ଷକ ଏବଂ କଣ୍ଟାବଣିଆ ଓ ମୋଟଙ୍ଗା ଥାନା ପୋଲିସ ଉପସ୍ଥିତିରେ ବେଆଇନ ଇଟାଭାଟିକୁ ଉଚ୍ଛେଦ କରାଯାଇଥିଲା। ସେହିପରି ଅଭିଯୁକ୍ତ ଇଟାଭାଟି ମାଲିକଙ୍କ ବିରୋଧରେ ସ୍ଥାନୀୟ ତହସିଲ କର୍ତ୍ତୃପକ୍ଷଙ୍କ ପକ୍ଷରୁ ଏକ ମାମଲା ରୁଜୁ ହୋଇଛି। ଉଚ୍ଛେଦ ବେଳେ ପୋଡ଼ିବା ପାଇଁ ରଖାଯାଇଥିବା ପ୍ରାୟ ୫୦ ଲକ୍ଷ ଟଙ୍କାର ଇଟା ନଷ୍ଟ କରାଯାଇଛି। ଏ ସଂକ୍ରାନ୍ତରେ ଓଡ଼ାପଡ଼ା ତହସିଲଦାର ମହେଶ୍ୱର ବେହେରା କହିଛନ୍ତି, ପ୍ରଥମ ପର୍ଯ୍ୟାୟରେ କମଳାଙ୍ଗରୁ କୁରୁଣ୍ଟି ମଧ୍ୟରେ ୮ଟି ଇଟାଭାଟି ଉଚ୍ଛେଦ କରାଯାଇଛି। ରାଜସ୍ବ ନିରୀକ୍ଷକଙ୍କ ଚିହ୍ନଟ ପରେ ବାକିଥିବା ବେଆଇନ ଇଟାଭାଟି ଉଚ୍ଛେଦ କରାଯିବ। ଏ ସଂକ୍ରାନ୍ତରେ କଣ୍ଟାବଣିଆ ଥାନା ଅଧିକାରୀ ଦୀପିକା ଦେବୀ ରାୟ କହିଛନ୍ତି, କେବଳ ଉଚ୍ଛେଦ ହୋଇଛି। ପୋଡାଇଟା କିଛି ମିଳିନି।