ରାସ୍ତାରେ ୮ ଫୁଟ ଲମ୍ବର ଖାଲ

ଗୋପ,୨୫।୭(ଡି.ଏନ୍‌.ଏ.): କୋଣାର୍କ – ଗୋପ ମୁଖ୍ୟ ରାସ୍ତାର ଗୋପ ବଜାର ଛକ ନିକଟରେ ଦୀର୍ଘ ୩ ମାସରୁ ଉଦ୍ଧର୍‌ବ ସମୟ ହେବ ୮ ଫୁଟ ଲମ୍ବର ଗୋଟିଏ ଖାଲ ସହ ଛୋଟ ବଡ଼ ଖାଲଖମା ହୋଇଯାଇଛି। ପାଣି ପାଇପ ପଡିବା ପରେ ରାସ୍ତାର ଏପରି ଅବସ୍ଥା ସୃଷ୍ଟି ହୋଇଛି। ଜଳ ପରିମଳ ବିଭାଗ ଅଧିକାରୀଙ୍କ ନିର୍ଦ୍ଦେଶ ଠିକାଦାର ଶୁଣୁ ନ ଥିବା ଜଣାପଡିଛି। ଏପରି ଅଭିଯୋଗ ପାଇବା ପରେ ପୁରୀ ଜିଲାପାଳ ସମର୍ଥ ବର୍ମା ବିଭାଗୀୟ ଯନ୍ତ୍ରୀଙ୍କୁ ତୁରନ୍ତ ଖାଲଗୁଡ଼ିକୁ ପୋତିବା ଲାଗି ନିର୍ଦ୍ଦେଶ ଦେଇଥିଲେ ମଧ୍ୟ ତାହା ଏ ପର୍ଯ୍ୟନ୍ତ କାର୍ଯ୍ୟକାରୀ ହୋଇନାହିଁ। ଦୈନନ୍ଦିନ ଏହି ରାସ୍ତାରେ ଶହଶହ ପର୍ଯ୍ୟଟକଙ୍କ ଗାଡ଼ି ସହିତ ଯାତ୍ରୀବାହୀ ବସ୍‌ ଯିବାଆସିବା କରୁଥିବାବେଳେ ଖାଲଖମା ଯୋଗୁ ଦୁର୍ଘଟଣାର ଶିକାର ହେଉଛନ୍ତି। ସ୍ଥାନୀୟ ଲୋକମାନେ ବାରମ୍ବାର ଗୋପ ପୂର୍ତ୍ତ ବିଭାଗ, କୋଣାର୍କ ଜଳପରିମଳ ବିଭାଗ ସହିତ ଗଣଶିକ୍ଷାମନ୍ତ୍ରୀଙ୍କୁ ଅଭିଯୋଗ କଲେ ମଧ୍ୟ କୌଣସି ସୁଫଳ ମିଳୁନି। ଅପରପକ୍ଷେ ବର୍ଷା ପାଣି କେତେକ ଖାଲ ଖମାରେ ରହିଥିବାରୁ ସ୍କୁଲ, କଲେଜ ଛାତ୍ରୀଛାତ୍ର ଏହି ଖାଲରେ ପଡିବା ସହ ଦୁର୍ଘଟଣାର ଶିକାର ହେଉଥିବା ଦେଖିବାକୁ ମିଳୁଛି।