୮ କୁକୁରଙ୍କୁ ଗୁଳିକରି ହତ୍ୟା

କୋହିମା: ନାଗାଲାଣ୍ଡର ଏକ ଛାତ୍ର ସଙ୍ଗଠନ ପକ୍ଷରୁ ୮ ପୋଷା କୁକୁରଙ୍କୁ ଗୁଳି କରି ହତ୍ୟା କରାଯାଇଛି। କୁକୁରଙ୍କୁ ଭାକ୍ସିନ ଦେବା ପାଇଁ କୁହାଯାଇଥିଲେ ମଧ୍ୟ ମାଲିକମାନେ ଦେଇ ନ ଥିବାରୁ ଛାତ୍ର ସଙ୍ଗଠନ ଏପରି କାଣ୍ଡ ଭିଆଇଛି। ମୋନ୍‌ ଜିଲା ଡେପୁଟି କମିଶନର ଥଭାସୀଲାନ୍‌ କେ. ଶୁକ୍ରବାର ଏନେଇ ମାମଲା ରୁଜୁ କରିବା ପାଇଁ ପୋଲିସକୁ ନିର୍ଦ୍ଦେଶ ଦେଇଛନ୍ତି। ପୋଲିସ ରିପୋର୍ଟ ଆସିବା ପରେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସେ କହିଛନ୍ତି। ମେ’ ୧୭ରେ ଏହି କୁକୁରମାନଙ୍କୁ ହତ୍ୟା କରାଯାଇଥିଲା। ଏହାର କାରଣ ସମ୍ପର୍କରେ ବିଭିନ୍ନ ବିଷୟ ଶୁଣିବାକୁ ମିଳିଥିବା ସେ କହିଛନ୍ତି।
ପୋଲିସର କହିବା ହେଉଛି, ନୋକ୍‌ଜାଙ୍ଗ୍‌ ଷ୍ଟୁଡେଣ୍ଟସ୍‌ ୟୁନିୟନ୍‌ ପକ୍ଷରୁ ମୋନ୍‌ ଜିଲାରେ ମେ’ ୮ରେ ଏକ ନୋଟିସ କରାଯାଇଥିଲା। ଆଦିବାସୀ ଅଧ୍ୟୁସିତ ନୋକ୍‌ଜାଙ୍ଗ୍‌ ଗ୍ରାମରେ ମେ’ ୧୫ ତାରିଖ ପୂର୍ବରୁ ନିଜ ନିଜ କୁକୁରଙ୍କୁ ଜଳାତଙ୍କ ଟିକା ଦେବା ପାଇଁ ଏଥିରେ କୁହାଯାଇଥିଲା। ଭାକ୍ସିନ ନ ଦେଲେ କୁକୁରଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଚେତାବନୀ ଦିଆଯାଇଥିଲା। ଏହାସତ୍ତ୍ୱେ ମାଲିକମାନେ ଭାକ୍ସିନ ନ ଦେବାରୁ କୁକୁରମାନେ ଛୋଟପିଲା ଓ ଅନ୍ୟ ଜୀବଜନ୍ତୁଙ୍କୁ କାମୁଡ଼ିବାରେ ଲାଗିଥିଲେ। ତେଣୁ ଛାତ୍ର ସଙ୍ଗଠନ କର୍ମକର୍ତ୍ତା ୮ କୁକୁରଙ୍କୁ ଗୁଳି କରିଥିବା ପୋଲିସ କହିଛି। ସ୍ଥାନୀୟ ଗଣମାଧ୍ୟମ ରିପୋର୍ଟ ଅନୁସାରେ କେତେଜଣ କର୍ମକର୍ତ୍ତା ନିର୍ଦ୍ଦେଶ ମାନି ନ ଥିବା କୁକୁର ମାଲିକଙ୍କଠାରୁ ୫୦୦ ଟଙ୍କା ଲେଖାଏ ଜରିମାନା ଆଦାୟ କରିଛନ୍ତି। ମ୍ୟାନ୍‌ମାର, ଆସାମ ଓ ଅରୁଣାଚଳ ପ୍ରଦେଶ ସୀମା ସହ ସଂଲଗ୍ନ ନାଗାଲାଣ୍ଡ ମୋନ୍‌ ଜିଲାର ଜନସଂଖ୍ୟା ହେଉଛି ୨,୫୦,୨୬୦। ନାଗାଲାଣ୍ଡ ଓ ମିଜୋରାମର କେତେକ ସମ୍ପ୍ରଦାୟ ପାଇଁ କୁକୁର ମାଂସ ଏକ ସୁସ୍ବାଦୁ ବ୍ୟଞ୍ଜନ।

Share