୨ ବର୍ଷ ତିଷ୍ଠିଲାନି ୮ କୋଟିର ରାସ୍ତା

ବଇଣ୍ଡା, ୨୧।୫(ଡି.ଏନ.ଏ.) ଗ୍ରାମାଞ୍ଚଳବାସୀଙ୍କ ଗମନାଗମନ ସୁଗମ କରିବାକୁ ପ୍ରାୟ ୮କୋଟି ଟଙ୍କାରେ ନିର୍ମାଣ କରାଯାଇଥିଲା ରାସ୍ତା। ଏହାର ଗ୍ୟାରେଣ୍ଟି ଅବଧି ସରିନାହିଁ, ଅଥଚ ପିଚୁ ଉଠି ଶୋଚନୀୟ ହୋଇପଡ଼ିଛି ସଡ଼କ। ଅନୁଗୋଳ ଜିଲା ଆଠମଲ୍ଲିକ ବ୍ଲକ କନ୍ତପଡ଼ା ପଞ୍ଚାୟତରୁ ମଇମୁରା ପଞ୍ଚାୟତକୁ ସଂଯୋଗ କରୁଥିବା ପକ୍କାରାସ୍ତାର ଏଭଳି ଦୁରାବସ୍ଥା ସ୍ଥାନୀୟ ଅଞ୍ଚଳବାସୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ସୃଷ୍ଟି କରିଛି। ଏ ନେଇ ବିପ୍ରଡିହ ଗ୍ରାମବାସୀ ଜିଲାପାଳଙ୍କ ଦ୍ୱାରସ୍ଥ ହୋଇ ଅଭିଯୋଗ କରିଛନ୍ତି। ଅନ୍ୟପଟେ ଏତେ ଟଙ୍କା ବ୍ୟୟରେ ନିର୍ମିତ ରାସ୍ତା ମାତ୍ର ୨ବର୍ଷ ନ ତିଷ୍ଠିବା, ଗ୍ୟାରେଣ୍ଟି ସମୟ ଥାଇ ଠିକାସଂସ୍ଥା ଏହାର ମରାମତି ନ କରିବା ବିଭାଗୀୟ ଅଧିକାରୀ କାର୍ଯ୍ୟଶୈଳୀ ପ୍ରତି ପ୍ରଶ୍ନବାଚୀ ସୃଷ୍ଟି କରିଛି।
ଗ୍ରାମବାସୀ ଅଭିଯୋଗପତ୍ରରେ ଦର୍ଶାଇଛନ୍ତି, ଗ୍ରାମାଞ୍ଚଳକୁ ସଂଯୋଗୀକରଣ ପାଇଁ ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନାରେ ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ କନ୍ତପଡ଼ା-ମଇମୁରା ପିଚୁ ରାସ୍ତା ନିର୍ମାଣ କରାଯାଇଥିଲା। ଏଥିରେ ଖର୍ଚ୍ଚ ହୋଇଥିଲା ୭ କୋଟି ୯୯ ଲକ୍ଷ ଟଙ୍କା। ଏହାର କାର୍ଯ୍ୟ ଗତ ୨୦୨୦ ଜାନୁୟାରୀ ୧୮ରେ ସମାପ୍ତ ହୋଇଥିଲା। ଉକ୍ତ ରାସ୍ତା ଦ୍ୱାରା ଉଭୟ ପଞ୍ଚାୟତର ଜଙ୍ଗଲ ଅଧ୍ୟୁଷିତ ବିପ୍ରଡିହ, ତରଣ୍ଡା, ଖଳିତଇଲା, କେଞ୍ଚୁଆନାଳୀ, ମଇମୁରା, କନ୍ତପଡା, ଗୋପୀନାଥପୁର ଆଦି ୭ ଗ୍ରାମର ଲୋକେ ଯୋଗଯୋଗର ସୁବିଧା ପାଇବାକୁ ଲକ୍ଷ୍ୟ ରଖାଯାଇଥିଲା। ତେବେ ନିର୍ମାଣର କିଛିଦିନ ମଧ୍ୟରେ ଉକ୍ତ ରାସ୍ତାର ବିଭିନ୍ନ ସ୍ଥାନରୁ ପିଚୁ ଉଠିଯାଇଛି। ପିତାବଳିବାହାଳ (କନ୍ତପଡା)ଠାରୁ ବିପ୍ରଡିହ ପର୍ଯ୍ୟନ୍ତ ରାସ୍ତା ୨ବର୍ଷରେ ଫାଟି ଆଁ କରିଛି। ବଡ଼ବଡ଼ ଖାଲଖମାରେ ଭର୍ତ୍ତି ହୋଇ ମରଣଯନ୍ତା ପାଲଟିଛି। ବିଭାଗୀୟ ଅଧିକାରୀ ଓ ଠିକାସଂସ୍ଥା ମଧ୍ୟରେ ମଧୁଚନ୍ଦ୍ରିକା ଯୋଗୁ ଏଭଳି ନିମ୍ନମାନର କାମ ହୋଇଛି। ରାସ୍ତା ମରାମତି କରିବା ପାଇଁ ଦାବି କରାଯାଉଥିବାବେଳେ କେହି ଶୁଣୁନାହାନ୍ତି। ତୁରନ୍ତ ରାସ୍ତା ମରାମତି କରା ନ ଗଲେ ଜୋର୍‌ଦାର ଆନ୍ଦୋଳନ କରାଯିବ ବୋଲି ବିପ୍ରଡିହ ଗ୍ରାମର ସମୀର ପ୍ରଧାନ, ମିଟୁ ପ୍ରଧାନ, ପୀତାମ୍ବର ସାହୁ, ଜାନକୀ ସାହୁ, ଦେବରାଜ ନାୟକ, ବନମାଳୀ ନାୟକ, ଶ୍ରୀମତୀ ସାହୁ, ଦୁଃଖବନ୍ଧୁ ଦେହୁରୀ, ପରମାନନ୍ଦ ସାହୁ ପ୍ରମୁଖ ଦାବି କରିଛନ୍ତି। ଏ ନେଇ ଗ୍ରାମ୍ୟ ଉନ୍ନୟନ ବିଭାଗର ଏସ୍‌ଡିଓ ମଧୁସ୍ମିତା ଦଳେଇ କହିଛନ୍ତି, ଉକ୍ତ ରାସ୍ତାର ମରାମତି କରିବା ପାଇଁ ଠିକାସଂସ୍ଥାକୁ ଅର୍ଡର ଦିଆଯିବ।