ଆଜିଠୁ ଗଞ୍ଜାମରେ ୭ମ ରାଜ୍ୟସ୍ତରୀୟ ଓ୍ବାକୋ ଓଡ଼ିଶା କିକ୍‌ ବକ୍ସିଂ ଚାମ୍ପିୟନଶିପ୍‌

ଗଞ୍ଜାମ,୭ା୫(ଅନାଥ ତରାଇ/ବିଦ୍ୟାଧର ସାହୁ): ଗଞ୍ଜାମ ସହରସ୍ଥିତ ବିଜୁ ପଟ୍ଟନାୟକ ବହୁମୁଖୀ ଇନ୍‌ଡୋର୍‌ ଷ୍ଟାଡିୟମରେ ଆସନ୍ତା ମେ’ ୭ରୁ ୭ମ ଓ୍ବାକୋ ଓଡ଼ିଶା ଷ୍ଟେଟ୍‌ କିକ୍‌ ବକ୍ସିଂ ଚାମ୍ପିୟନଶିପ୍‌ ଆରମ୍ଭ ହେବାକୁ ଯାଉଛି। ଆମେଚର ଗଞ୍ଜାମ ଜିଲା କିକ୍‌ ବକ୍ସିଂ ଆସୋସିଏଶନ ପକ୍ଷରୁ ଆୟୋଜିତ ଏହି ରାଜ୍ୟ ସ୍ତରୀୟ ପ୍ରତିଯୋଗିତା ମେ’ ୯ ତାରିଖ ପର୍ଯ୍ୟନ୍ତ ଚାଲିବ। ଏହି ବୃହତ କ୍ରୀଡ଼ା ମହାକୁମ୍ଭରେ ରାଜ୍ୟର ୨୩ଟି ଜିଲ୍ଲା, ୨ଟି ପ୍ରତିଷ୍ଠିତ ଏକାଡେମୀରୁ ପ୍ରାୟ ୬୬୦ରୁ ଅଧିକ ପ୍ରତିଯୋଗୀ ଏବଂ ୫୦ରୁ ଊର୍ଦ୍ଧ୍ୱ ଅଫିସିଆଲ ଅଂଶଗ୍ରହଣ କରିବାର କାର୍ଯ୍ୟକ୍ରମ ରହିଛି। ଏହି ପରିପ୍ରେକ୍ଷୀରେ ଆୟୋଜିତ ଏକ ପ୍ରେସ୍‌ ବିବୃତ୍ତିରେ ଆସୋସିଏଶନ୍‌ର ରାଜ୍ୟ ଯୁଗ୍ମ ସମ୍ପାଦକ ରଞ୍ଜନ ସୂତାର, ଅର୍ଗାନାଇଜିଙ୍ଗ ସମ୍ପାଦକ କୃଷ୍ଣଚନ୍ଦ୍ର ଡାକୁଆ, ଏବଂ ଜିଲାା ସମ୍ପାଦକ ପ୍ରମୋଦ କୁମାର ଆପତେଙ୍କ ସମେତ ଆଦିତ୍ୟ ମହାପାତ୍ର, ସରୋଜ ଦାସ, ପ୍ରଶାନ୍ତ ବୈଠାରୁ ,ଭଗବାନ ପ୍ରଧାନ, ଶଙ୍କର ସ୍ବାଇଁ, ରାକେଶ ଦାସ ଓ ଆଶୁତୋଷ ଦାସ ପ୍ରମୁଖ ଉପସ୍ଥିତ ରହି ସୂଚନା ଦେଇଛନ୍ତି। ସମସ୍ତ ଜିଲା ଖେଳାଳିମାନେ ଗଞ୍ଜାମରେ ପହଞ୍ଚି ସାରିଥିବା ବେଳେ ସେମାନଙ୍କ ରହଣି ଓ ଖାଦ୍ୟପେୟ ପାଇଁ ସମସ୍ତ ବ୍ୟବସ୍ଥା କରାଯାଇଛି। ଏହି ପ୍ରତିଯୋଗିତାରେ ୭ ବର୍ଷରୁ ଊର୍ଦ୍ଧ୍ୱ ବୟସର ଖେଳାଳିମାନେ ଭାଗ ନେଉଥିବା ବେଳେ କୃତୀ ପ୍ରତିଯୋଗୀମାନଙ୍କୁ ମେଡାଲ ଏବଂ ନଗଦ ଅର୍ଥରାଶି ପ୍ରଦାନ କରାଯିବ। ଜୁନିଅର, ସବ ଜୁନିୟର ଓ ସିନିୟର୍‌ ବର୍ଗରେ ଖେଳାଳି ଚୟନ କରାଯିବ। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଏହି ଚାମ୍ପିୟନଶିପ୍‌ରେ ଉନ୍ନତ ପ୍ରଦର୍ଶନ କରିଥିବା ଶ୍ରେଷ୍ଠ ଖେଳାଳିମାନଙ୍କୁ ଜାତୀୟ ସ୍ତରୀୟ କିକ ବକ୍ସିଂ ପ୍ରତିଯୋଗିତା ପାଇଁ ଚୟନ କରାଯିବ। ଖେଳାଳିମାନଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଥିବା ବେଳେ ଗଞ୍ଜାମ ସହର ଏହି ତିନି ଦିନିଆ ରାଜ୍ୟ ସ୍ତରୀୟ ଇଭେଣ୍ଟ ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିଛି।

Dharitri – Odisha’s No.1 Odia Daily

Share