Categories: ଜାତୀୟ

୭୯୮ ଭାରତୀୟଙ୍କୁ ନେଇ ହିଣ୍ଡନ ଏୟାରବେସ୍‌ ପହଞ୍ଚିଲେ ୪ ବିମାନ…

ଗାଜିଆବାଦ୍‌,୩।୩ : ଅପରେଶନ୍‌ ଗଙ୍ଗା ଅନ୍ତର୍ଗତ ୟୁକ୍ରେନ୍‌ରୁ ଭାରତୀୟଙ୍କୁ ଏୟାରଲିଫ୍ଟ କାର୍ଯ୍ୟ ଜାରି ରହିଛି। ଗୁରୁବାର ମୋଟ ୭୯୮ ଭାରତୀୟଙ୍କୁ ନେଇ ଭାରତୀୟ ବାୟୁସେନାର ୪ଟି ବିମାନ ଗାଜିଆବାଦ୍‌ର ହିଣ୍ଡନ ଏୟାରବେସ୍‌ରେ ପହଞ୍ଚିଛି।

ଭାରତୀୟ ବାୟୁସେନା ପକ୍ଷରୁ କୁହାଯାଇଛି ଯେ ରୋମାନିଆର ରାଜଧାନୀ ବୁକାରେଷ୍ଟ, ହଙ୍ଗେରୀର ବୁଦ୍ଧାପେଷ୍ଟ ଏବଂ ପୋଲାଣ୍ଡର ରେଜଜୋ ସହରର ଭାରତୀୟମାନଙ୍କୁ ଏୟାର ଲିଫ୍ଟ କରାଯାଇଛି। ବିମାନ ୪ଟି ଗୁରୁବାର ସକାଳେ ଏୟାରବେସରେ ଅବତରଣ କରିଛି।

ବୁକାରେଷ୍ଟରୁ ୨୦୦ ଲୋକଙ୍କୁ ନେଇ ବାୟୁସେନାର ପ୍ରଥମ ବିମାନ ରାତି ସାଢ଼େ ଗୋଟାଏରେ ଅବତରଣ କରିଥିଲା। ଦ୍ୱିତୀୟ ବିମାନ ଗୁରୁବାର ସକାଳେ ବୁଦ୍ଧାପେଷ୍ଟରୁ ୨୧୦ ଭାରତୀୟଙ୍କୁ ଆଣିଥିଲ। ଦ୍ୱିତୀୟର କିଛି ସମୟ ପରେ, ବାୟୁସେନାର ତୃତୀୟ ବିମାନ ୨୦୮ ଜଣ ଭାରତୀୟଙ୍କ ସହ ରିଜଜୋରୁ ଆସି ପହଞ୍ଚିଥିଲା।

ସେହିପରି ବୁକାରେଷ୍ଟରୁ ଭାରତୀୟ ବାୟୁସେନାର ସି-୧୭ ଚତୁର୍ଥ ବିମାନ ଗାଜିଆବାଦର ହିଣ୍ଡନ ଏୟାରବେସରେ ୧୮୦ ଜଣ ଭାରତୀୟଙ୍କୁ ନେଇ ଅବତରଣ କରିଛି।

ସୂଚନାଯୋଗ୍ୟ, ସ୍ବତନ୍ତ୍ର ବିମାନ ମାଧ୍ୟମରେ ରୋମାନିଆ, ହଙ୍ଗେରୀ ଏବଂ ପୋଲାଣ୍ଡ ଭଳି ୟୁକ୍ରେନର ପାଶ୍ଚାତ୍ୟ ପଡୋଶୀ ଦେଶରୁ ଭାରତ ନିଜ ନାଗରିକମାନଙ୍କୁ ଏୟାରଲିଫ୍ଟ କରିବା କାର୍ଯ୍ୟ ଜାରି ରଖିଛି।

Share