ଢେଙ୍କାନାଳ ମୁଖ୍ୟ ଷ୍ଟାଡିୟମରେ ୭୭ତମ ଜିଲା ସ୍ତରୀୟ ସ୍ଵାଧୀନତା ଦିବସ ପାଳିତ

ଢେଙ୍କାନାଳ ଅଫିସ୍‌, ୧୫ । ୮ , (ରତନ ନାୟାର): ଢେଙ୍କାନାଳ ମୁଖ୍ୟ ଷ୍ଟାଡିୟମ ଠାରେ ମଙ୍ଗଳବାର ୭୭ ତମ ଜିଲା ସ୍ତରୀୟ ସ୍ଵାଧୀନତା ଦିବସ ପାଳିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ରାଜ୍ୟ ସରକାରଙ୍କ ମହିଳା ଓ ଶିଶୁ ବିକାଶ ଏବଂ ମିଶନ ଶକ୍ତି ମନ୍ତ୍ରୀ ବାସନ୍ତୀ ହେମବ୍ରମ ଜାତୀୟ ପତାକା ଉତ୍ତୋଳନ କରି ସମିଳିତ ପ୍ୟାରେଡ଼ ରେ ଅଭିବାଦନ ଗ୍ରହଣ କରିଥିଲେ । ଏହି ଅବସରରେ ମନ୍ତ୍ରୀ କନିଷ୍ଠ ସହୀଦ ବାଜି ରାଉତଙ୍କ ତ୍ୟାଗ ଓ ବଳିଦାନର ସ୍ମତିଚାରଣ କରିଥିଲେ ।

ଏଥି ସହିତ ଦେଶ, ରାଜ୍ୟ ଓ ଜିଲାର ସ୍ଵାଧୀନତା ସଂଗ୍ରାମୀ ଓ ପ୍ରଜାମଣ୍ଡଳ ଆନ୍ଦୋଳନର କର୍ଣ୍ଣଧାର ସାଜିଥିବା ସଂଗ୍ରାମୀମାନଙ୍କୁ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିଥିଲେ ।

ଏହି ଅବସରରେ ସେ କହିଲେ ଯେ, ଦେଶର ସ୍ଵାଧୀନତା ଓ ପ୍ରଜାମଣ୍ଡଳ ଆନ୍ଦୋଳନରେ ବୀର ବାଜି ରାଉତଙ୍କ ତ୍ୟାଗ ଓ ବଳିଦାନ ଚିର ସ୍ମରଣୀୟ ହୋଇ ରହିବ । ରାଜ୍ୟ ସରକାରଙ୍କ ବିଭିନ୍ନ ଜନହିତକର ଯୋଜନା ସଂପର୍କରେ ଆଲୋକପାତ କରି ମନ୍ତ୍ରୀ କହିଲେ ଯେ, ଜନ୍ମ ଠାରୁ ମୃତ୍ୟୁ ପର୍ଯ୍ୟନ୍ତ ରାଜ୍ୟ ସରକାର ଜନସାଧାରଣଙ୍କ ପାଇଁ ଯୋଜନା ପ୍ରସ୍ତୁତ କରିଛନ୍ତି। ସ୍ଥାସ୍ଥ୍ୟ କ୍ଷେତ୍ରରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ସମଗ୍ର ଦେଶ ପାଇଁ ଏକ ଉଦାହରଣ ସୃଷ୍ଟି କରିଛି । ସେହିପରି ଶିକ୍ଷାକ୍ଷେତ୍ରରେ ବିକାଶ ପାଇଁ ୫ଟି ରୁପାନ୍ତକରଣ ଏକ ଅଭିନବ ପ୍ରୟାସ ବୋଲି ମନ୍ତ୍ରୀ କହିଥିଲେ । ଚଳିତବର୍ଷ ପ୍ୟାରେଡ଼ ରେ ୪୦ ଟି ଦଳ ଅଂଶ ଗ୍ରହଣ କରିଥିଲେ ।

ରିଜର୍ଭ ଇନ୍ସପେକ୍ଟର ଟୁନୁ ସାହୁ ପ୍ୟାରେଡ଼ ପରିଚାଳନା କରିଥିଲେ । ଚଳିତ ବର୍ଷ ପ୍ୟାରେଜରେ ଦିଲ୍ଲୀ ପବ୍ଲିକ ସ୍କୁଲର ଏନସିସି ଜୁନିୟର ଡିଭିଜନ ବାଳିକା ଦଳଙ୍କୁ ଶ୍ରେଷ୍ଠ ସମର ଶିକ୍ଷାର୍ଥୀ ଦଳ ଭାବେ, ଶ୍ରେଷ୍ଠ ବେସାମରିକ ବାଳିକା ଦଳ ଭାବେ ସୁଲକ୍ଷଣା ଦେବୀ ବାଳିକା ଉଚ୍ଚ ବିଦ୍ୟାଳୟର ସିଭିଲିୟାନ ଦଳ ଓ ଶ୍ରେଷ୍ଠ ବାଳକ ଦଳ ଭାବେ ଦିଲ୍ଲୀ ପବ୍ଲିକ ସ୍କୁଲ ବାଳକ ସିଭିଲିୟାନ ଦଳ ଭାବେ ପୁରସ୍କତ ହୋଇଥିଲେ ।

ସେହିପରି ସେଣ୍ଟ ଜାଭିୟର୍ସ ହାଇସ୍କୁଲର ବାଳିକା ଗାଇଡ଼ ଦଳକୁ ଶ୍ରେଷ୍ଠ ଗ୍ରୀନ ଆର୍ମି ଦଳ ଭାବେ ପୁରସ୍କୃତ ହୋଇଥିଲେ । ଏଥି ସହିତ ବିଭିନ୍ନ ପ୍ରତିଯୋଗିତା କ୍ଷେତ୍ରରେ କୃତିତ୍ୱ ଅର୍ଜନ କରିଥିବା ପ୍ରତିଯୋଗୀ, ବ୍ୟକ୍ତି ବିଶେଷ ଓ ଅନୁଷ୍ଠାନ କୁ ପୁରସ୍କୃତ କରାଯାଇଥିଲା । ବିଭିନ୍ନ ଶିକ୍ଷାନୁଷ୍ଠାନ ପକ୍ଷରୁ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଉତ୍ସବ ରେ ଜିଲାପାଳ ସରୋଜ କୁମାର ସେଠି, ଏସପି ଜ୍ଞାନ ରଞ୍ଜନ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ ।