ସହରରେ ଲାଗିବ ୭୫୦ ସିସିଟିଭି

ଢେଙ୍କାନାଳ ଅଫିସ, ୨୯।୪: ଢେଙ୍କାନାଳରେ ଆପରାଧିକ କାର୍ଯ୍ୟକଳାପ ଉପରେ ନଜର ରଖିବା ପାଇଁ ସାରା ସହରରେ ୭୫୦ଟି ସିସିଟିଭି କ୍ୟାମେରା ଲଗାଯିବ।  ନିର୍ବାଚନ ପୂର୍ବରୁ ଦୁର୍ଦ୍ଦାନ୍ତ ଅପରାଧୀଙ୍କ ସମ୍ପର୍କରେ ପୂର୍ଣ୍ଣାଙ୍ଗ ତଥ୍ୟ ସଂଗ୍ରହ କରାଯିବ। ୬-୭ ବର୍ଷ ତଳର ପ୍ରାୟ ୭ଟି ପୁରୁଣା ମାମଲାର ରହସ୍ୟ ଖୁବ୍‌ଶୀଘ୍ର ଉନ୍ମୋଚନ ହେବ। ଉତ୍ତର କେନ୍ଦ୍ରାଞ୍ଚଳ ଡିଆଇଜି ବ୍ରିଜେଶ କୁମାର ରାୟ ଶୁକ୍ରବାର ଟାଉନ ଥାନା ପରିଦର୍ଶନ କରି ବିଭିନ୍ନ କାର୍ଯ୍ୟର ସମୀକ୍ଷା କରିବା ଅବସରରେ ଏହି ସୂଚନା ଦେଇଛନ୍ତି।
ଏସ୍‌ପି ଜ୍ଞାନରଞ୍ଜନ ମହାପାତ୍ରଙ୍କ ଉପସ୍ଥିତିରେ ଅପରାହ୍ନ ୨ଟାରେ ଟାଉନ ଥାନା ପରିସରରେ ଆୟୋଜିତ ଖବରଦାତା ସମ୍ମିଳନୀରେ ଡିଆଇଜି ଗଣମାଧ୍ୟମକୁ ସୂଚନା ଦେଇ କହିଲେ, ଟାଉନ ଥାନା ଅଞ୍ଚଳର ବିଭିନ୍ନ ଆପରାଧିକ ମାମଲାର ସମୀକ୍ଷା କରାଯାଇଛି। ପୁରୁଣା ମାମଲାଗୁଡ଼ିକ କିପରି ଫର୍ଦ୍ଦାଫାଶ ହେବ ସେ ନେଇ ଏସ୍‌ପିଙ୍କ ନେତୃତ୍ୱରେ କାର୍ଯ୍ୟ ଜାରିରହିଛି। ସହରରେ ଆତଙ୍କ ସୃଷ୍ଟି କରୁଥିବା ଦୁର୍ଦ୍ଦାନ୍ତ ଅପରାଧୀଙ୍କ ଗତିବିଧି ଉପରେ ନଜର ରଖାଯିବ। ଆବଶ୍ୟକ ସ୍ଥଳେ ସେମାନଙ୍କ ଜାମିନ ରଦ୍ଦ ସମ୍ପର୍କରେ ମଧ୍ୟ ପଦକ୍ଷେପ ନିଆଯିବ। ଆଇନଶୃଙ୍ଖଳା ସଜାଡ଼ିବା ପାଇଁ ଢେଙ୍କାନାଳ ସହରରେ ପ୍ରାୟ ୭୫୦ ସିସିଟିଭି କ୍ୟାମେରା ଲାଗିବ। ପିପିପି ମୋଡ୍‌ରେ ହେଉ କିମ୍ବା ଏଥିଲାଗି ଅନୁଦାନ ଯୋଗାଡ଼ କରାଯିବ। ବିଭିନ୍ନ ମାମଲାରେ ସମ୍ପୃକ୍ତ ଥାଇ ଫେରାର ଥିବା ୬୦ ଅଭିଯୁକ୍ତଙ୍କୁ ଗିରଫ କରିବା ଲାଗି ନିର୍ଦ୍ଦେଶ ଦିଆଯାଇଛି। ଟ୍ରାଫିକ୍‌ ସମସ୍ୟା ସୃଷ୍ଟି କରୁଥିବା ଜବରଦଖଲ ହଟାଇବା ଏବଂ ବିବାହ ଶୋଭାଯାତ୍ରା ବେଳେ ଶବ୍ଦ ପ୍ରଦୂଷଣକୁ ରୋକିବା ଲାଗି ପଦକ୍ଷେପ ନେବାକୁ ଥାନାଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଆଗାମୀ ଦିନରେ କନଷ୍ଟେବଲ୍‌ ନିଯୁକ୍ତି ପାଇବା ପରେ ସେମାନଙ୍କୁ ଟ୍ରାଫିକ୍‌ ସମସ୍ୟାର ସମାଧାନ ଲାଗି ନିୟୋଜିତ କରାଯିବ। ଢେଙ୍କାନାଳ ସହରବାସୀଙ୍କୁ ପୋଲିସ ପକ୍ଷରୁ ଉନ୍ନତ ସେବା ଯୋଗାଇ ଦେବା ପାଇଁ ସମସ୍ତ ପଦକ୍ଷେପ ନିଆଯିବ ବୋଲି ଡିଆଇଜି କହିଛନ୍ତି। ଖବରଦାତା ସମ୍ମିଳନୀରେ ସଦର ଏସ୍‌ଡିପିଓ ସୂର୍ଯ୍ୟମଣି ପ୍ରଧାନ, ଟାଉନ ଥାନାଧିକାରୀ ରାଜେନ୍ଦ୍ର ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।