Categories: ଜାତୀୟ

କରୋନାର ଦ୍ୱିତୀୟ ଲହରରେ ୭୫ ଲକ୍ଷ ଲୋକ ହରାଇଛନ୍ତି ଚାକିରି

ମୁମ୍ବାଇ,୪।୫: କରୋନା ମହାମାରୀର ଦ୍ୱିତୀୟ ଲହର ଯୋଗୁ ଅନେକ ସ୍ଥାନୀୟ ଭାବରେ ଲାଗୁ ହୋଇଥିବା ଲକଡାଉନ ଏବଂ ଅନ୍ୟାନ୍ୟ ପ୍ରତିବନ୍ଧକ ଯୋଗୁ ୭୫ ଲକ୍ଷରୁ ଅଧିକ ଲୋକ ଚାକିରି ହରାଇଛନ୍ତି। ଏହା ସହିତ ବେରୋଜଗାର ହାର ଚାରି ମାସର ସର୍ବୋଚ୍ଚ ସ୍ତର ୮ ପ୍ରତିଶତରେ ପହଞ୍ଚିଛି। ସେଣ୍ଟର ଫର ମନିଟରିଂ ଇଣ୍ଡିଆନ ଇକୋନୋମି (ସିଏମ୍‌ଆଇଇ) ଏହି ସୂଚନା ଦେଇଛି। ସିଏମ୍‌ଆଇଇ ପରିଚାଳନା ନିର୍ଦ୍ଦେଶକ ତଥା ମୁଖ୍ୟ କାର୍ଯ୍ୟର୍ନିବାହୀ ଅଧିକାରୀ (ସିଇଓ) ମହେଶ ବ୍ୟାସ କହିଛନ୍ତି ଯେ, ଆଗାମୀ ଦିନରେ ନିଯୁକ୍ତି ସାମ୍ନାରେ ପରିସ୍ଥିତି ଚ୍ୟାଲେଞ୍ଜ ରହିବ ବୋଲି ଆଶା କରାଯାଉଛି। ସେ କହିଛନ୍ତି, ମାର୍ଚ୍ଚ ତୁଳନାରେ ଏପ୍ରିଲ ମାସରେ ୭୫ ଲକ୍ଷ ଲୋକ ଚାକିରି ହରାଇଛନ୍ତି। ଏହି କାରଣରୁ ବେକାରୀ ହାର ବୃଦ୍ଧି ପାଇଛି।
କେନ୍ଦ୍ର ସରକାରଙ୍କ ଆକଳନ ଅନୁଯାୟୀ ଜାତୀୟ ବେକାରୀ ହାର ୭.୯୭ ପ୍ରତିଶତରେ ପହଞ୍ଚିଛି। ସହରାଞ୍ଚଳରେ ୯.୭୮ ପ୍ରତିଶତ ଥିବାବେଳେ ଗ୍ରାମାଞ୍ଚଳରେ ବେକାରୀ ହାର ୭.୧୩ ପ୍ରତିଶତ ରହିଛି। ଏହାପୂର୍ବରୁ ମାର୍ଚ୍ଚରେ ଜାତୀୟ ବେକାରୀ ହାର ୬.୫୦ ପ୍ରତିଶତ ଥିଲା ଏବଂ ଏହି ହାର ଉଭୟ ଗ୍ରାମାଞ୍ଚଳ ଏବଂ ସହରାଞ୍ଚଳରେ ଅପେକ୍ଷାକୃତ କମ ଥିଲା। କରୋନା ମହାମାରୀ ବୃଦ୍ଧି ପାଉଥିବାରୁ ଅନେକ ରାଜ୍ୟ ‘ଲକଡାଉନ’ ସମେତ ଅନ୍ୟାନ୍ୟ ପ୍ରତିବନ୍ଧକ ଲଗାଇଛନ୍ତି। ଏହା ଅର୍ଥନୈତିକ କାର୍ଯ୍ୟକଳାପ ଉପରେ ପ୍ରତିକୂଳ ପ୍ରଭାବ ପକାଇଛି। ଫଳସ୍ବରୂପ ଚାକିରି କ୍ଷେତ୍ର ପ୍ରଭାବିତ ହୋଇଛି।

Share