ଦାରିଙ୍ଗବାଡ଼ି, ୨୯।୧୦(ଅରୁଣ ସାହୁ):ଗୋପାଳପୁରରୁ ରାୟପୁରକୁ ସଂଯୋଗ କରୁଥିବା ଜାତୀୟ ରାଜପଥ-୫୯ର ଗାଜଲବାଡ଼ି ଘାଟି ଭୂସ୍ଖଳନପ୍ରବଣ ଅଞ୍ଚଳ ଭାବେ ପରିଚିତ। ୨୦୧୯ରେ ବାତ୍ୟା ‘ଫନି’ ସମୟରେ ଏଠାରେ ବଡ଼ଧରଣର ଭୂସ୍ଖଳନ ହୋଇଥିଲା। ଏହାପରେ ମଧ୍ୟ ବିଭିନ୍ନ ବାତ୍ୟା ଓ ଲଘୁଚାପଜନିତ ବର୍ଷା ସମୟରେ ପାହାଡ଼ରୁ ମାଟି ଅତଡ଼ା ଓ ବଡ଼ ବଡ଼ ପଥର ଖସିବାର ଘଟଣା ସାମ୍ନାକୁ ଆସିଛି। ଏଭଳି ସ୍ଥିତିରେ ବାତ୍ୟା ଅର୍ଣ୍ଣବ ପାଇଁ ଯାତ୍ରୀ ଓ ଯାନବାହନର ସୁରକ୍ଷାକୁ ଦୃଷ୍ଟିରେ ରଖି ଉଭୟ ଜିଲା ପ୍ରଶାସନ ଘାଟିକୁ ଦୁଇ ପଟୁ ବନ୍ଦ କରିଛନ୍ତି। ତେବେ ସୁରକ୍ଷା ଦୃଷ୍ଟିରୁ ନିଆଯାଇଥିବା ଏହି ପଦକ୍ଷେପ ଯୋଗୁ ସାଧାରଣ ଲୋକଙ୍କ ଦୈନନ୍ଦିନ ଜୀବନ ଓ ଜୀବିକା ଉପରେ ବ୍ୟାପକ ପ୍ରଭାବ ପଡ଼ୁଛି।
ଗାଜଲବାଡ଼ି ଘାଟିର ସମ୍ପ୍ରସାରଣ ଓ ଉନ୍ନତୀକରଣ ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ୭୪୨ କୋଟି ଟଙ୍କା ଅନୁଦାନ ମଞ୍ଜୁର ହୋଇଥିବା ସୂଚନା ରହିଛି। ତେବେ ଟେଣ୍ଡର ପ୍ରକ୍ରିୟା ଓ କାର୍ଯ୍ୟ ଆରମ୍ଭରେ ବିଳମ୍ବ ହେଉଥିବାରୁ ସମସ୍ୟାର ସ୍ଥାୟୀ ସମାଧାନ ହୋଇପାରୁନାହିଁ। ପ୍ରତିବର୍ଷ ବର୍ଷା ଓ ବାତ୍ୟା ସମୟରେ ଏହି ରାସ୍ତାରେ ଯାତାୟାତ ବନ୍ଦ ହେବା ଯୋଗୁ ଦାରିଙ୍ଗବାଡ଼ିବାସୀଙ୍କୁ ଦୁର୍ଦ୍ଦଶା ଭୋଗିବାକୁ ପଡ଼ୁଛି। ତେଣୁ ପ୍ରକଳ୍ପ କାର୍ଯ୍ୟ ଶୀଘ୍ର ଆରମ୍ଭ କରି ରାସ୍ତାର ସୁରକ୍ଷା ଓ ଯୋଗାଯୋଗ ବ୍ୟବସ୍ଥାର ସ୍ଥାୟୀ ସମାଧାନ କରିବାକୁ ଅଞ୍ଚଳବାସୀ ଦାବି କରୁଛନ୍ତି। ବର୍ତ୍ତମାନ ଗାଜଲବାଡ଼ି ଘାଟି ବନ୍ଦ ରହିଥିବାରୁ ଦାରିଙ୍ଗବାଡ଼ିରେ ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଣ ଓ ଲୋକଙ୍କ ଯାତାୟାତ ସ୍ବାଭାବିକ କରିବା ପ୍ରଶାସନ ପାଇଁ ବଡ଼ ଆହ୍ବାନ ପାଲଟିଛି।