ଆଖଣ୍ଡଳମଣି ପୀଠ ବିକାଶ ଲାଗି ଖର୍ଚ୍ଚ ହେବ ୭୨ କୋଟି

ଆରଡ଼ି, ୧୪।୯ (ଡି.ଏନ.ଏ.): ଭଦ୍ରକ ଜିଲା ଆରଡ଼ି ଆଖଣ୍ଡଳମଣି ପୀଠର ବିକାଶ ପାଇଁ ମାଷ୍ଟରପ୍ଲାନ କାର୍ଯ୍ୟକାରୀ ହେବ। ଏଥିନିମନ୍ତେ ରାଜ୍ୟ ସରକାରଙ୍କ ପକ୍ଷରୁ ୭୨କୋଟି ଟଙ୍କା ବ୍ୟୟ ଅଟକଳ କରାଯାଇଥିବା ମଙ୍ଗଳବାର ବିଜେଡି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ପୀଠକୁ ଆସି ଘୋଷଣା କରିଛନ୍ତି। ପୀଠ ସମ୍ପ୍ରସାରଣ ପାଇଁ ୧୩୨ ପରିବାରଙ୍କ ବାସଗୃହ ଓ ବ୍ୟବସାୟ ପ୍ରତିଷ୍ଠାନ ଭାଙ୍ଗି ସେମାନଙ୍କୁ ପୁନଃ ଥଇଥାନ କରାଯିବ ବୋଲି ସେ ସେବାୟତମାନଙ୍କ ସହ ଆଲୋଚନା ବେଳେ ପ୍ରକାଶ କରିଥିଲେ। ଚାନ୍ଦବାଲି ବିଧାୟକ ବ୍ୟୋମକେଶ ରାୟ, ଭଦ୍ରକ ଏମ୍‌ପି ମଞ୍ଜୁଲତା ମଣ୍ଡଳ, ଭଦ୍ରକ ବିଧାୟକ ସଞ୍ଜୀବ ମଲ୍ଲିକ, ଧର୍ମଶାଳା ବିଧାୟକ ପ୍ରଣବ ବଳବନ୍ତରାୟ, ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ, ଜିଲା ପରିଷଦ ସଭ୍ୟ ପ୍ରିନ୍ସ ରାକେଶ ନାୟକ, ରଞ୍ଜନ ସାହୁ, ପୂର୍ବତନ ସରପଞ୍ଚ ଅରବିନ୍ଦ ପାଢୀ, ଓଳଗ ସରପଞ୍ଚ ପ୍ରଫୁଲ୍ଲ ବେହେରା ପ୍ରମୁଖ ଉପସ୍ଥିତ ଥିଲେ। ଭଦ୍ରକ ଉପଜିଲାପାଳ ତଥା ମନ୍ଦିର ମ୍ୟାନେଜିଂ ଟ୍ରଷ୍ଟି ମନୋଜ କୁମାର ପାତ୍ର, ଚାନ୍ଦବାଲି ବିଡିଓ ଜ୍ୟୋତି ବିକାଶ ଦାଶ ଓ ତହସିଲଦାର ସୁଶାନ୍ତ ସୁତାର ପୀଠରେ ଉପସ୍ଥିତ ରହି ଆଲୋଚନା କରିଥିଲେ।