୭୧ ଶିକ୍ଷୟିତ୍ରୀ-ଶିକ୍ଷକଙ୍କୁ ବରିଷ୍ଠ ପଦକୁ ପଦୋନ୍ନତି: ଛୁଟୁଛି ଅଭିନନ୍ଦନର ସୁଅ

କେସିଙ୍ଗା, ୨୩।୯(ତୁମେଶ୍ୱର ସାହୁ): କେସିଙ୍ଗା ବ୍ଲକରେ ୭୧ ଜଣ ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କୁ ବରିଷ୍ଠ ଶିକ୍ଷକ ପଦକୁ ପଦୋନ୍ନତି ମିଳିଛି। ଓଡ଼ିଶା ସରକାରଙ୍କ ପ୍ରାଥମିକ ଶିକ୍ଷା ବିଭାଗର ନିର୍ଦ୍ଦେଶ ଏବଂ ଜିଲାସ୍ତରୀୟ ପଦୋନ୍ନତି କମିଟିର ସୁପାରିଶ ଆଧାରରେ ଏହି ପଦୋନ୍ନତି ପ୍ରକ୍ରିୟା ସମ୍ପନ୍ନ ହୋଇଛି।

ପ୍ରାପ୍ତ ସୂଚନା ଅନୁଯାୟୀ, ଲେଭେଲ-ଭି(ଏ) ସହକାରୀ ଶିକ୍ଷକମାନଙ୍କୁ ଲେଭେଲ-ଭି(ବି) ବରିଷ୍ଠ ଶିକ୍ଷକ ପଦକୁ ପଦୋନ୍ନତି ଦେବା ନେଇ ପ୍ରାଥମିକ ଶିକ୍ଷା ବିଭାଗ ପକ୍ଷରୁ ଜିଲା ଶିକ୍ଷା ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା। ଜିଲାସ୍ତରୀୟ ପଦୋନ୍ନତି କମିଟିର ସୁପାରିଶ ଏବଂ ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶକଙ୍କ ଅନୁମୋଦନ କ୍ରମେ ଏହି ପଦୋନ୍ନତି ପ୍ରକ୍ରିୟା ସମ୍ପନ୍ନ ହୋଇଛି।

ଯୋଗ୍ୟ ବିବେଚିତ ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କ ତାଲିକା ଆଧାରରେ କେସିଙ୍ଗା ବ୍ଲକ ଶିକ୍ଷା ଅଧିକାରୀ ଆନନ୍ଦ କୁମାର ବେହେରା ୭୧ ଜଣଙ୍କୁ ପଦୋନ୍ନତି ପତ୍ର ପ୍ରଦାନ କରିଛନ୍ତି। ପଦୋନ୍ନତିପ୍ରାପ୍ତ ଶିକ୍ଷକ-ଶିକ୍ଷୟିତ୍ରୀମାନେ ଲେଭେଲ-ଭି(ବି) ବରିଷ୍ଠ ଶିକ୍ଷକ ପଦରେ ଯୋଗଦାନ କରିବା ଦିନଠାରୁ ଏହି ଆଦେଶ କାର୍ଯ୍ୟକାରୀ ହେବ ବୋଲି ବିଭାଗୀୟ ସୂତ୍ରରୁ ଜଣାପଡ଼ିଛି।
ଦୀର୍ଘଦିନ ଧରି ପଦୋନ୍ନତିକୁ ଅପେକ୍ଷା କରିଥିବା ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କ ପାଇଁ ଏହି ପଦୋନ୍ନତି ଖୁସିର ଖବର ଆଣିଛି। ଶିକ୍ଷା କ୍ଷେତ୍ରରେ ସେମାନଙ୍କ ଅଭିଜ୍ଞତା ଓ କାର୍ଯ୍ୟଦକ୍ଷତାକୁ ଏହା ଏକ ସ୍ବୀକୃତି ବୋଲି ମତ ପ୍ରକାଶ ପାଇଛି। ପଦୋନ୍ନତି ପରେ ଶିକ୍ଷକମାନଙ୍କ ଦାୟିତ୍ୱ ଓ କାର୍ଯ୍ୟ ପରିସର ବୃଦ୍ଧି ପାଇବା ସହ ଶିକ୍ଷାର ଗୁଣାତ୍ମକ ବିକାଶରେ ଏହା ସକାରାତ୍ମକ ପ୍ରଭାବ ପକାଇବ ବୋଲି ଶିକ୍ଷାବିତ୍‌ମାନେ ଆଶା ପ୍ରକାଶ କରିଛନ୍ତି।

କେସିଙ୍ଗା ବ୍ଲକର ୭୧ ଜଣ ଶିକ୍ଷକ-ଶିକ୍ଷୟିତ୍ରୀ ଏକାସାଙ୍ଗରେ ପଦୋନ୍ନତି ପାଇଥିବାରୁ ଶିକ୍ଷକ ମହଲରେ ଉତ୍ସାହର ପରିବେଶ ସୃଷ୍ଟି ହୋଇଛି। ବିଭିନ୍ନ ବିଦ୍ୟାଳୟର ଶିକ୍ଷକମାନେ ଏହି ପଦକ୍ଷେପକୁ ସ୍ବାଗତ କରିଥିବାବେଳେ ପଦୋନ୍ନତିପ୍ରାପ୍ତ ଶିକ୍ଷକ-ଶିକ୍ଷୟିତ୍ରୀଙ୍କୁ ସହକର୍ମୀ ଓ ଶୁଭେଚ୍ଛୁମାନଙ୍କ ପକ୍ଷରୁ ଅଭିନନ୍ଦନର ସୁଅ ଛୁଟୁଛି।

 

Dharitri – Odisha’s No.1 Odia Daily

 

Share