୭୧ ଲକ୍ଷ ମେଟ୍ରିକ୍‌ ଟନ୍‌ ଧାନ ସଂଗ୍ରହ ଲକ୍ଷ୍ୟ

ଭୁବନେଶ୍ୱର,୧ା୧୦(ବ୍ୟୁରୋ): ୨୦୨୨-୨୩ ଖରିଫ ଓ ରବି ଋତୁରେ ରାଜ୍ୟରୁ ୭୧ ଲକ୍ଷ ମେଟ୍ରିକ ଟନ ଧାନ ଅର୍ଥାତ୍‌ ୪୮ ଲକ୍ଷ ମେଟ୍ରିନ ଟନ ଚାଉଳ ସଂଗ୍ରହ କରାଯିବ। ଖରିଫରେ ୫୭ ଲକ୍ଷ ଏବଂ ରବି ଋତୁରେ ୧୪ ଲକ୍ଷ ଟନ ଧାନ ସଂଗ୍ରହ ପାଇଁ ସରକାର ଲକ୍ଷ୍ୟଧାର୍ଯ୍ୟ କରିଛନ୍ତି। ଯଦି ଏହାଠାରୁ ଅଧିକ ଧାନ ମଣ୍ଡିକୁ ଆସିବ ସେଗୁଡିକ ମଧ୍ୟ ସରକାର କ୍ରୟ କରିବେ। ଆବଶ୍ୟକ ସ୍ଥଳେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ଧାର୍ଯ୍ୟଲକ୍ଷ୍ୟ ବୃଦ୍ଧି କରିପାରିବେ। ଧାନ ଓ ଚାଉଳ ସଂଗ୍ରହ ପରିଚାଳନା ସମ୍ପର୍କିତ ପ୍ରକି୍ରିୟାକୁ ସୁପରିଚାଳନା କରିବା ପାଇଁ ଖାଦ୍ୟ ଓ ସଂଗ୍ରହ ନୀତି ୨୦୨୨-୨୩କୁ ଶୁକ୍ରବାର ଅନୁଷ୍ଠିତ ରାଜ୍ୟ କ୍ୟାବିନେଟରେ ଅନୁମୋଦନ କରାଯାଇଛି।
ଖରିଫ ଧାନ ସଂଗ୍ରହ ଅକ୍ଟୋବର ପହିଲାରୁ ଆରମ୍ଭ ହୋଇ ୨୦୨୩ ସେପ୍ଟେମ୍ବର ୩୦ରେ ଶେଷ ହେବ। ଏହି ସମୟ ମଧ୍ୟରେ ରାଜ୍ୟ ସରକାର ଖରିଫ ଓ ରବି ଋତୁ ପାଇଁ ପୃଥକ ଭାବେ ଧାନ ସଂଗ୍ରହ କରିବେ। ଚାଷୀଙ୍କଠାରୁ କେନ୍ଦ୍ର ସରକାର ଧାର୍ଯ୍ୟ କରିଥିବା ସର୍ବନିମ୍ନ ସହାୟକ ମୂଲ୍ୟ (ଏମ୍‌ଏସ୍‌ପି) ସାଧାରଣ ଧାନ ପାଇଁ କୁଇଣ୍ଟାଲ ପିଛା ୨୦୪୦ ଓ ଗ୍ରେଡ୍‌-ଏ ଧାନ ପାଇଁ ୨୦୬୦ ଟଙ୍କା ଦେଇ ଧାନ କ୍ରୟ କରିବେ। ନିଯୁକ୍ତିପ୍ରାପ୍ତ କଷ୍ଟମ୍‌ ମିଲରମାନଙ୍କ ଦ୍ୱାରା ଏହି ଧାନକୁ ମିଲିଂ କରାଯାଇ ସମତୁଲ୍ୟ ଚାଉଳ ସଂଗ୍ରହ କରାଯିବ। ସଂଗୃହୀତ ଚାଉଳକୁ ସାଧାରଣ ବଣ୍ଟନ ବ୍ୟବସ୍ଥାରେ ଆବଶ୍ୟକତା ପୂରଣ ପାଇଁ ବ୍ୟବହାର କରାଯିବ। ବଳକା ଚାଉଳକୁ ଭାରତୀୟ ଖାଦ୍ୟ ନିଗମକୁ ପ୍ରଦାନ କରାଯିବ। ୨୦୨୩ ମେ’ରୁ ଜୁନ୍‌ ମଧ୍ୟରେ ରବି ଧାନ ସଂଗ୍ରହ କରାଯିବ। କେବଳ ପଞ୍ଜୀକୃତ ଚାଷୀଙ୍କଠାରୁ ବଳକା ଧାନ ସଂଗ୍ରହ କରାଯିବ।