Categories: ଜାତୀୟ

୪ ବର୍ଷରେ ଆତଙ୍କବାଦୀ ସଂଗଠନରେ ଯୋଗ ଦେଇଛନ୍ତି ୭୦୦ ଯୁବକ…

ଶ୍ରୀନଗର,୧୧।୭ : ଜମ୍ମୁ-କଶ୍ମୀରରେ ଆତଙ୍କବାଦୀ ସଂଗଠନ ଗତ ଚାରି ବର୍ଷ ମଧ୍ୟରେ ୭୦୦ ଯୁବକଙ୍କୁ ନିଯୁକ୍ତି ଦିଆଯାଇଛି। ସମ୍ପ୍ରତି ଜମ୍ମୁ-କଶ୍ମୀରରେ ୧୪୧ ଆତଙ୍କବାଦୀ ସକ୍ରିୟ ଅଛନ୍ତି। ସେମାନଙ୍କ ମଧ୍ୟରୁ ଅଧିକାଂଶ ବିଦେଶୀ। ଅଧିକାରୀମାନେ ଏସମ୍ପର୍କରେ ସୂଚନା ପ୍ରଦାନ କରିଛନ୍ତି।  ବହୁ ସଂଖ୍ୟକ ଆତଙ୍କବାଦୀଙ୍କ ଉପସ୍ଥିତି ସୀମା ପାର୍‌ ଆତଙ୍କବାଦୀ ଶିବିରରୁ ଅନୁପ୍ରବେଶ ଜାରି ରହିଥିବା ଘଟଣାକୁ ସ୍ପଷ୍ଟ କରିଛି। କେନ୍ଦ୍ରୀୟ ସ୍ବରାଷ୍ଟ୍ର ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ, ୫ ଜୁଲାଇ ୨୦୨୨ ପର୍ଯ୍ୟନ୍ତ ଜମ୍ମୁ -କଶ୍ମୀରରେ ସମୁଦାୟ ୮୨ ବିଦେଶୀ ଆତଙ୍କବାଦୀ ଏବଂ ୫୯ ସ୍ଥାନୀୟ ଆତଙ୍କବାଦୀ ସକ୍ରିୟ ଥିଲେ।

ଏହି ଆତଙ୍କବାଦୀମାନେ ମୁଖ୍ୟତଃ ଜୈଶ-ଇ-ମହମ୍ମଦ ଏବଂ ହିଜବୁଲ ମୁଜାହିଦ୍ଦିନ ବ୍ୟତୀତ ଲଶ୍କର-ଇ-ତୋଏବା, ଏହାର ଅନୁବନ୍ଧିତ ସଂଗଠନ ଦି ରେଜିଷ୍ଟାନ୍ସ ଫ୍ରଣ୍ଟ ଭଳି ସଂଗଠନରୁ ଆସିଛନ୍ତି। ବିଭିନ୍ନ ଆତଙ୍କବାଦୀ ସଂଗଠନ ଗତ ଚାରି ବର୍ଷ ମଧ୍ୟରେ ଜମ୍ମୁ-କଶ୍ମୀରରେ ୭୦୦ ସ୍ଥାନୀୟ ଯୁବକଙ୍କୁ ନିଯୁକ୍ତି ଦେଇଛନ୍ତି। ସେଥିମଧ୍ୟରୁ ୧୮୭ ଜଣଙ୍କୁ ୨୦୨୮ ରେ, ୨୦୧୯ ରେ ୧୨୧ ଜଣ , ୨୦୨୦ ରେ ୧୮୧ ଜଣ ଏବଂ ୨୦୨୧ରେ ୧୪୨ ଜଣଙ୍କୁ ନିଯୁକ୍ତି ଦିଆଯାଇଛି।
ଚଳିତ ବର୍ଷ ଜୁନ ଶେଷ ପର୍ଯ୍ୟନ୍ତ ୬୯ ଜଣ ଯୁବକ ଆତଙ୍କବାଦୀ ସଂଗଠନ ଦ୍ୱାରା ନିଯୁକ୍ତ ହୋଇଛନ୍ତି। ଏଥି ସହିତ ଚଳିତ ବର୍ଷ ୫୫ଟି ଏନକାଉଣ୍ଟରରେ ସୁରକ୍ଷା ବାହିନୀ ୧୨୫ ଆତଙ୍କବାଦୀଙ୍କୁ ହତ୍ୟା କରିଛନ୍ତି।

ଚଳିତ ବର୍ଷ ଆତଙ୍କବାଦୀ ଘଟଣାରେ ଦୁଇଜଣ ସୁରକ୍ଷା କର୍ମୀ ପ୍ରାଣ ହରାଇଛନ୍ତି ଏବଂ ୨୩ ଜଣ ଆହତ ହୋଇଛନ୍ତି। ଚଳିତ ବର୍ଷ ଜମ୍ମୁ-କଶ୍ମୀରରେ ୨୦ ଜଣ ସାଧାରଣ ନାଗରିକଙ୍କ ମୃତ୍ୟୁ ଘଟିଛି। ଏହା ସହିତ ଚଳିତ ବର୍ଷ ଆଠଟି ଗ୍ରେନେଡ ଆକ୍ରମଣ ହୋଇଛି। ତଥ୍ୟ ଅନୁଯାୟୀ, ୨୦୨୧ରେ ଜମ୍ମୁ-କଶ୍ମୀରରେ ହୋଇଥିବା ଆତଙ୍କବାଦୀ ଘଟଣାରେ ୧୪୬ ଆତଙ୍କବାଦୀ ଏବଂ ୪୧ ସାଧାରଣ ନାଗରିକଙ୍କ ମୃତ୍ୟୁ ଘଟିଛି। ସେହିପରି ତିନିଜଣ ସୁରକ୍ଷା କର୍ମୀ ଶହୀଦ୍‌ ହୋଇଛନ୍ତି। ଗତ ବର୍ଷ ଆତଙ୍କବାଦୀ ଘଟଣାରେ ମୋଟ ୬୩ ଜଣ ସୁରକ୍ଷା କର୍ମୀ ଆହତ ହୋଇଥିବା ରିପୋର୍ଟରେ ଉଲ୍ଲେଖ କରାଯାଇଛି।

Share