Categories: ଜାତୀୟ

୭୦୦ ଦୋକାନ ପୋଡ଼ି ପାଉଁଶ : ଦମକଳ ବାହିନୀ ବିରୋଧରେ ଅବହେଳା ଅଭିଯୋଗ…

ଇଟାନଗର,୨୫।୧୦ : ଅରୁଣାଚଳ ପ୍ରଦେଶର ରାଜଧାନୀ ଇଟାନଗର ନିକଟସ୍ଥ ନାହରଲଗୁନ ଦୈନିକ ବଜାରରେ ମଙ୍ଗଳବାର ଭୋର ସମୟରେ ଏକ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି। ଏହି ଅଗ୍ନିକାଣ୍ଡରେ ୭୦୦ ଦୋକାନ ପୋଡ଼ି ପାଉଁଶ ହୋଇ ଯାଇଛି। ଭୋର ପ୍ରାୟ୪ଟା ବେଳେ ଅଗ୍ନିକାଣ୍ଡ ସମ୍ପର୍କରେ ସୂଚନା ମିଳିଥିବା ପୋଲିସ ଅଧିକାରୀ କହିଛନ୍ତି। ଏହା ରାଜ୍ୟର ସର୍ବ ପୁରାତନ ବଜାର ଏବଂ ଇଟାନଗର ଠାରୁ ପ୍ରାୟ ୧୪ କିଲୋମିଟର ଦୂରରେ ଥିବା ନାହରଲଗୁନ ଠାରେ ଥିବା ଅଗ୍ନିଶମ କେନ୍ଦ୍ର ନିକଟରେ ଅବସ୍ଥିତ।

ଦୀପାବଳି ଉତ୍ସବରେ ବାଣଫୁଟା ଯୋଗୁ ଅଗ୍ନିକାଣ୍ଡ ଘଟିଥିବା ସନ୍ଦେହ କରାଯାଉଛି। ଅଗ୍ନିଶମ ବିଭାଗ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲେ, କିନ୍ତୁ ଦୋକାନଗୁଡ଼ିକ ବାଉଁଶ ଓ କାଠରେ ତିଆରି ହୋଇଥିବାବେଳେ ଏଥିରେ ଶୁଖିଲା ଦ୍ରବ୍ୟ ଭର୍ତ୍ତି ହୋଇଥିବାରୁ ନିଆଁ ଶୀଘ୍ର ବ୍ୟାପି ଯାଇଥିବା କୁହାଯାଉଛି।

 

ଆତଙ୍କିତ ଦୋକାନୀମାନେ ନିଆଁକୁ ଆୟତ୍ତ କରିବାକୁ ଉଦ୍ୟମ କରୁଥିବାବେଳେ ସିଲିଣ୍ଡର ବିସ୍ଫୋରଣ ଯୋଗୁଁ ନିଆଁ ଏକ ଭୟଙ୍କର ରୂପ ନେଇଥିଲା।

ପୋଲିସ କହିଛି ଯେ ନିଆଁକୁ ଆୟତ୍ତ କରିବା ପାଇଁ ତିନୋଟି ଦମକଳ ଗାଡ଼ିକୁ ଅଣାଯାଇଥିଲା। ସେଥିମଧ୍ୟରୁ ଗୋଟିଏ ଇଟାନଗରରୁ ଅଣାଯାଇଥିଲା। ଅଗ୍ନିକାଣ୍ଡରେ ହୋଇଥିବା କ୍ଷୟକ୍ଷତିର ଆକଳନ କରାଯାଉଛି ବୋଲି ସେ କହିଛନ୍ତି। କୋଟି କୋଟି ଟଙ୍କା କ୍ଷତି ହୋଇଥିବାର ଆଶଙ୍କା କରାଯାଉଛି। ପୋଲିସ ଅଧୀକ୍ଷକ ଜିମି ଚିରାମ କହିଛନ୍ତି ଯେ ଅଗ୍ନିଶମ ବିଭାଗର ତଦନ୍ତ ପରେ ହିଁ ଅଗ୍ନିକାଣ୍ଡର କାରଣ ଜଣାପଡିବ।

ଦୋକାନୀମାନେ ଅଭିଯୋଗ କରିଛନ୍ତି ଯେ ଯେତେବେଳେ ସେମାନେ ନିଆଁ ବିଷୟରେ ସୂଚନା ପାଇଲେ ସେମାନେ ନିକଟସ୍ଥ ଅଗ୍ନିଶମ କେନ୍ଦ୍ରରେ ପହଞ୍ଚିଥିଲେ ମଧ୍ୟ ସେଠାରେ କୌଣସି କର୍ମଚାରୀ ଉପସ୍ଥିତ ନଥିଲେ। ଅଗ୍ନିଶମ କର୍ମଚାରୀ ପହଞ୍ଚିବା ପରେ ନିଆଁ ଲିଭାଇବା ପାଇଁ ଗାଡିରେ ପାଣି ନଥିଲା। ଦୋକାନୀମାନେ ଅଭିଯୋଗ କରିଛନ୍ତି ଯେ ଅଗ୍ନିଶମ ବିଭାଗର କର୍ମଚାରୀମାନେ ପାଣି ଭରିବା ପାଇଁ ବହୁ ଦୂରକୁ ଯାଇଥିଲେ। ସେମାନେ ଭୋର ୫ଟାରେ ଫେରିଥିଲେ। ସେତେବେଳକୁ ବଜାରର ଅଧିକାଂଶ ଦୋକାନ ନିଆଁରେ ପୋଡି ହୋଇଯାଇଥିଲା।

ନାହରଲଗୁନ ବଜାର କଲ୍ୟାଣ କମିଟିର ଅଧ୍ୟକ୍ଷ କିପା ନାଇ କହିଛନ୍ତି, ପୋଲିସ ମଧ୍ୟ କୌଣସି ପଦକ୍ଷେପ ନେଇ ନାହିଁ। ନିଜ କର୍ତ୍ତବ୍ୟ ପାଳନ କରିବାରେ ବିଫଳ ହୋଇଥିବାରୁ ସେମାନଙ୍କୁ ବରଖାସ୍ତ କରାଯିବା ଉଚିତ। ଦୋକାନୀମାନଙ୍କ ସହ କଥାବାର୍ତ୍ତା କରିବା ପରେ ଅରୁଣାଚଳ ଚାମ୍ବର ଅଫ କମର୍ସ ଆଣ୍ଡ ଇଣ୍ଡଷ୍ଟ୍ରିଜ(ଏସିସି ଆଣ୍ଡ ଆଇ) ସଭାପତି ତାରା ନାଚୁଙ୍ଗ ଅବହେଳା କାରଣରୁ ସମସ୍ତ ଅଗ୍ନିଶମ କର୍ମଚାରୀଙ୍କୁ ନିଲମ୍ବନ କରିବାକୁ ଦାବି କରିଛନ୍ତି। ଇଟାନଗର ବିଧାୟକ ତେଚି କାସୋ କହିଛନ୍ତି ଯେ ରାଜ୍ୟ ସରକାର ଏବଂ ଏସିସି ଆଣ୍ଡ ଆଇ ସହଯୋଗରେ ବଜାରର ପୁନଃ ନିର୍ମାଣ କରାଯିବ।

Share