Categories: ଫୁରସତ

ଉତ୍ସବ ପାଳିବାକୁ ଆସି ଫସିଲେ ୭୦ ହଜାର ଲୋକ

ୱାଶିଂଟନ: ନିକଟରେ ଏକ ଉତ୍ସବ ପାଳନ କରିବାକୁ ଯାଇ ସେଠାରେ ୭୦ ହଜାରରୁ ଊର୍ଦ୍ଧ୍ୱ ଲୋକ ଫସି ଯାଇଛନ୍ତି। ଆମେରିକାର ନେୱଡା ରାଜ୍ୟରେ ବର୍ନିଂ ମ୍ୟାନ୍‌ ଉତ୍ସବ ଆୟୋଜିତ ହୋଇଥାଏ। ଉତ୍ସବକୁ ମନାଇବାକୁ ୭୦ ହଜାରରୁ ଅଧିକ ଲୋକ ଏଠାରେ ପହଞ୍ଚିଥିଲେ। ହେଲେ ସେମାନେ ଏବେ ଏଠାରେ ଫସି ଯାଇଛନ୍ତି। ଦକ୍ଷିଣ ନେୱଡାର ଏକ ମରୁଭୂମିରେ ଏହି ଉତ୍ସବ ଆୟୋଜିତ ହୋଇଥିଲା। ହେଲେ ସେଠାରେ ୨-୩ ଘଣ୍ଟା ବର୍ଷା ହେଲା। ଫଳରେ ମରୁଭୂମିର ବାଲି କାଦୁଅରେ ପରିଣତ ହୋଇଯିବାରୁ ଲୋକେ ସେହି କାଦୁଅରେ ଫସି ଯାଇଛନ୍ତି। କେହି ଚାଲିବାକୁ ସକ୍ଷମ ନୁହନ୍ତି। ଉତ୍ସବରେ ସେଲିବ୍ରିଟିଙ୍କଠାରୁ ଆରମ୍ଭ କରି ଅନେକ କୋଟିପତି ମଧ୍ୟ ଯୋଗ ଦେଇଥାନ୍ତି। ଏପରି ହେବା ଯୋଗୁ ଉତ୍ସବକୁ ବନ୍ଦ କରିଦିଆଯାଇଛି। ଏହା ପୂର୍ବରୁ ୨୦୧୮ରେ ହୋଇଥିବା ଏହି ଉତ୍ସବରେ କିଛି ଅଘଟଣ ଘଟିଥିଲା। ଫଳରେ ଲୋକଙ୍କ ଆସିବାକୁ ଅସ୍ଥାୟୀ ଭାବେ ବନ୍ଦ କରିଦିଆଯାଇଛି। ଏହାଛଡ଼ା କରୋନା ମହାମାରୀ ସମୟରେ ମଧ୍ୟ ଏହି ଉତ୍ସବକୁ ୨ ଥର ବନ୍ଦ କରାଯାଇଛି। ଆମେରିକାର ଲ୍ୟାଣ୍ଡ ମେଜରମେଣ୍ଟ ବ୍ୟୁରୋର କହିବା ମୁତାବକ, ଅଧିକ କାଦୁଅ ହୋଇଯିବାରୁ ସେଠାରେ ଗାଡ଼ି ଚାଲିବା କଷ୍ଟକର ହୋଇପଡ଼ିଛି। ଆଗକୁ ଅଧିକ ବର୍ଷା ହେବାର ସମ୍ଭାବନା ରହିଛି। ସେଥିପାଇଁ ଲୋକେ ତାଙ୍କ ପାଖରେ ଖାଦ୍ୟ ଓ ପାଣି ବଞ୍ଚାଇ ରଖିବାକୁ ଅନୁରୋଧ କରାଯାଇଛି। ଏପରି ଅବସ୍ଥା ସତ୍ତ୍ୱେ ଲୋକେ ମଜା କରିବାରେ ଲାଗି ପଡ଼ିଛନ୍ତି। ଏହି ଉତ୍ସବ ନେୱଡା ବ୍ଲାକ ରୋଡ୍‌ ସହରରେ କରାଯାଏ। ଏହି ମରୁଭୂମି ଦୁନିଆର ସବୁଠୁ ଖରାପ ମରୁଭୂମି ମଧ୍ୟରୁ ଅନ୍ୟତମ। ଏଠାକୁ କେବଳ ଏମର୍ଜେନ୍ସି ସମୟରେ ସେବା ଯୋଗାଇଦେଉଥିବା ଲୋକ ହିଁ ଆସିଥାନ୍ତି। ଏହାଛଡ଼ା ଏହି ମରୁଭୂମିରେ ଅନ୍ୟ ଲୋକଙ୍କ ପ୍ରବେଶ ନିଷେଧ। ଏହି ଉତ୍ସବର ଆରମ୍ଭ ୧୯୯୦ରେ ହୋଇଥିଲା। ସେତେବେଳେ ଉତ୍ସବକୁ କେବଳ ୮୦ ଜଣ ଲୋକ ହିଁ ଆସୁଥିଲେ। ପରେ ୧୯୯୩ରେ ଲୋକଙ୍କ ସଂଖ୍ୟା ବଢି ହଜାରରେ ପରିଣତ ହେଲା। ଉତ୍ସବ ଆମେରିକାର ଛୁଟି ସମୟରେ ଆୟୋଜିତ ହୋଇଥାଏ। ଉତ୍ସବରେ ଲୋକ ମୋବାଇଲ ଓ ସୋସିଆଲ ମିଡିଆଠାରୁ ଦୂରରେ ରହି ପରିବାର ସହ ନାଚ ଗୀତ କରି ଗୋଟେ ସପ୍ତାହ ବିତାଇଥାନ୍ତି। ଲୋକେ ଉତ୍ସବର ଶେଷ ଦିନ ଏଠାରେ ନିଜେ ପ୍ରସ୍ତୁତ କରିଥିବା କଳାକୃତିକୁ ପୋଡିଥାନ୍ତି। ଫଳରେ ନିଜ ଭିତରେ ଥିବା ଅହଂକାରକୁ ଦୂରେଇ ପାରିବେ। ଏଥିପାଇଁ ଉତ୍ସବର ନାମ ଏପରି ରଖାଯାଇଛି।

Share