ଭିସୁଟ୍‌ର ୭୦ ଜଣଙ୍କ ସ୍ବାବ୍‌ ପରୀକ୍ଷା ପାଇଁ ଗଲା

ସମ୍ବଲପୁର,୨।୭(ବ୍ୟୁରୋ): ସମ୍ବଲପୁର ଜିଲା ବୁର୍ଲା ବୀରସୁରେନ୍ଦ୍ର ସାଏ ବୈଷୟିକ ବିଶ୍ୱବିଦ୍ୟାଳୟ (ଭିସୁଟ୍‌)ର ଜଣେ ଅଧ୍ୟାପିକା କରୋନାରେ ଆକ୍ରାନ୍ତ ହୋଇଥିବା ଜଣାପଡିବା ପରେ ମଙ୍ଗଳବାର ତାଙ୍କୁ ତାଳଚେର କୋଭିଡ୍‌ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା। ସେଠାରୁ ତାଙ୍କୁ କଟକର ଏକ ଘରୋଇ ନର୍ସିଂହୋମକୁ ସ୍ଥାନାନ୍ତରିତ କରାଯାଇଛି । ଅପରପକ୍ଷେ ଭିସୁଟ୍‌ରେ ଅଧ୍ୟାପିକାଙ୍କ ସଂସ୍ପର୍ଶରେ ଆସିଥିବା ସିଭିଲ ଇଞ୍ଜିନିୟରିଂ ବିଭାଗ ଆକାଉଣ୍ଟ, ଏକାଡେମୀ, ଏଷ୍ଟାବ୍ଲିସମେଣ୍ଟ ବିଭାଗର ମୋଟ ୭୦ ଜଣଙ୍କ ସ୍ବାବ୍‌ ନମୁନା ସଂଗ୍ରହ କରାଯାଇ ଟେଷ୍ଟ ପାଇଁ ପଠାଯାଇଛି। ଗୁରୁବାର ଏହାର ରିପୋର୍ଟ ଆସିବ । ଏଥିପାଇଁ ଭିସୁଟ୍‌କୁ ୩ ତାରିଖ ପର୍ଯ୍ୟନ୍ତ ସିଲ୍‌ କରି ଦିଆଯାଇଛି। ସମ୍ପୃକ୍ତ ଅଧ୍ୟାପିକା କାମ କରୁଥିବା ସିଭିଲ ଇଞ୍ଜିନିୟରିଂ ବିଭାଗକୁ ଜୁଲାଇ ୭ ପର୍ଯ୍ୟନ୍ତ ସଟ୍‌ ଡାଉନ କରାଯାଇଛି । ସେହିପରି ସ୍ବାବ୍‌ ନମୁନା ସଂଗ୍ରହ କରାଯାଇଥିବା ଅଧ୍ୟାପିକା, ଅଧ୍ୟାପକ ଓ କର୍ମଚାରୀମାନଙ୍କୁ ଜୁଲାଇ ୧୨ ପର୍ଯ୍ୟନ୍ତ ହୋମ କ୍ବାରାଣ୍ଟାଇନରେ ରହିବାକୁ ଭିସୁଟ୍‌ କର୍ତ୍ତୃପକ୍ଷ ନିର୍ଦ୍ଦେଶ ଦେଇଛନ୍ତି । ସେହିପରି ଅଧ୍ୟାପିକାଙ୍କ ଘରେ କାମ କରୁଥିବା ରୋଷେୟା ଓ ଜଣେ ମହିଳାଙ୍କ ମଧ୍ୟ ସ୍ବାବ୍‌ ନମୁନା ସଂଗ୍ରହ ହୋଇଛି । ସୂଚନାଯୋଗ୍ୟ, ଅଧ୍ୟାପିକାଙ୍କ ସ୍ବାମୀଙ୍କ କରୋନାରେ ମୃତ୍ୟୁ ଘଟିଥିଲା । ସେ ଅନୁଗୋଳ ନାଲ୍‌କୋରେ କାର୍ଯ୍ୟରତ ଥିଲେ । ସ୍ବାମୀଙ୍କ ସଂସ୍ପର୍ଶରେ ଆସିବା ପରେ ଅଧ୍ୟାପିକା ମଧ୍ୟ କରୋନାରେ ଆକ୍ରାନ୍ତ ହୋଇଥିଲେ ା